ତିନି ବର୍ଷର ନିଷ୍ପାପ ଶିଶୁକୁ ଫାଶୀ ଦେଇ ମଦ୍ୟପ ବାପାର ଆତ୍ମହତ୍ୟା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚ୍ଚା ପଞ୍ଚାୟତ ଅନ୍ତର୍ଗତ ଥାଟବେଡା ନିକଟସ୍ଥ ଅର୍ଜ୍ଜୁନଗୁଡା ଗ୍ରାମରେ ଗତକାଲି ଜଣେ ମଦ୍ୟପ ବାପା ପାରିବାରିକ କଳହ ନେଇ ରାଗରେ ହିତାହିତ ଜ୍ଞାନ ହରାଇ ନିଜର ଏକମାତ୍ର ତିନି ବର୍ଷର ଶିଶୁକୁ ଶୋଇଥିବା ଅବସ୍ଥାରେ ଦଉଡ଼ିରେ ଫାଶୀ ଦେଇ ହତ୍ୟା କରିଥିଲା। ଶେଷରେ ନିଜେ ଫାଶୀ ହୋଇ ମୃତ୍ୟୁବରଣ କରିଥିବା ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଯେ ଅର୍ଜ୍ଜୁନଗୁଡା ଗ୍ରାମର ପୀତବାସ ଭତ୍ରା(୨୫)ଙ୍କ ସ୍ତ୍ରୀ ବିମଳା ଭତ୍ରା ଓ ପୁଅ ଜିତେନ୍ଦ୍ର ଭତ୍ରା(୩)କୁ ନେଇ ତାଙ୍କ ପରିବାର । ତେବେ କିଛିବର୍ଷ ହେବ ପୀତବାସ ଜଣେ ଅଭ୍ୟାସ ଗତ ମଦ୍ୟପ ପାଲଟି ପ୍ରତ୍ୟେକ ଦିନ ରାତିରେ ଘରକୁ ଫେରି କିଛି ନା କିଛି କାରଣକୁ ନେଇ ସ୍ତ୍ରୀ ସହିତ ଗଣ୍ଡଗୋଳ କରି ମାଡ଼ ମାରିଥାଏ। ଫଳରେ ସ୍ତ୍ରୀ ବିମଳା ପଡ଼ିଶାରେ ଥିବା ଦେଢଶୁର ରୁଦ୍ରଦେଵଙ୍କ ଘରକୁ ଚାଲିଯାଇ ଥାଆନ୍ତି। ଏବଂ ପୀତବାସ ଶୋଇଯିବା ପରେ ଘରକୁ ଆସି ଶୋଇଥାଆନ୍ତି। ଏହା ତାଙ୍କର ଅଭ୍ୟାସରେ ମଧ୍ୟ ପରିଣତ ହୋଇଯାଇଥିଲା।

ସବୁଦିନ ଭଳି ଗତକାଲି ରାତି ଆଠଟାରେ ପୀତବାସ ମଦ ପିଇ ଘରକୁ ଫେରିଥିଲା ଓ ବିମଳା ସହିତ ଗଣ୍ଡଗୋଳ କରିବାରୁ ବିମଳା ରୁଦ୍ରଦେବଙ୍କ ଘରକୁ ଚାଲି ଯାଇଥିଲେ ଓ କିଛି ଘଣ୍ଟା ପରେ ଫେରିବା ବେଳକୁ ଘରର କବାଟ ଭିତରୁ ବନ୍ଦ ଥିଲା। ଝରକା ପଟେ ଦେଖିଥିଲା ଯେ ପୀତବାସ ଘରର ପାଟିଆରେ ଫାଶୀ ହୋଇ ଝୁଲିଛି । ସେ ସଙ୍ଗେ ସଙ୍ଗେ ଯାଇ ରୁଦ୍ରଦେବଙ୍କ ପରିବାରକୁ ଉଠାଇ ଘଟଣା ସମ୍ପର୍କରେ ଜଣାଇଥିଲେ।

ସମସ୍ତେ କବାଟ ଭାଙ୍ଗି ଭିତରକୁ ଆସି ଦେଖିବାବେଳକୁ ପୀତବାସ ସହିତ ତିନି ବର୍ଷର ପୁଅ ଜିତେନ୍ଦ୍ର ମଧ୍ୟ ଫାଶୀ ହୋଇ ଝୁଲିଛି। ଉଭୟ କାଳେ ବଞ୍ଚି ଯାଇ ପାରନ୍ତିି ବୋଲି ଭାବି ତଳକୁ ଓଲ୍ହାଇ ଥିଲେ । ତେବେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ଆଜି ସକାଳୁ ଘଟଣା ନେଇ ରୁଦ୍ରଦେବ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି କରିଛି।

ସମ୍ବନ୍ଧିତ ଖବର