ରାୟଗଡ଼ା: ପୁତ୍ର ସନ୍ତାନ ମୋହରେ ଅନ୍ଧ ହୋଇଗଲା ବାପା। ନିଜ ଅବଶୋଷ ମେଣ୍ଟାଇବାକୁ ଶେଷରେ ମେଡ଼ିକାଲରୁ ପିଲା ଚୋରି କରିବାକୁ ମଧ୍ୟ ପଛାଇ ନାହିଁ। କିନ୍ତୁ ପରିବାର ଲୋକଙ୍କ ବିରୋଧ ପରେ ଚୋରି ପିଲାକୁ ପୁଲିସକୁ ହସ୍ତାନ୍ତର କରିଛି ବାପା। ଏମିତି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଚୋରି ପିଲାକୁ ପାଇ ଅଭିଭାବକ ଆତ୍ମହରା ହୋଇଥିବା ବେଳେ ରାୟଗଡ଼ା ପୁଲିସ୍ ପିଲା ଚୋରି କରିଥିବା ବ୍ୟକ୍ତିଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ସୂଚନା ମୁତାବକ, ରାୟଗଡ଼ା ବ୍ଲକ୍ ଗୁମ୍ମା ପଞ୍ଚାୟତ ବଡବାଲେଶ୍ୱର ଗ୍ରାମର ଦେଶୁ ହିକକା ଓ ତାଙ୍କ ସ୍ତ୍ରୀ ରାୟଗଡ଼ା ମେଡ଼ିକାଲକୁ ନିଜ ୮ ମାସର ପୁଅକୁ ନେଇ ଆସିଥିଲେ। ଅନ୍ୟ ଦୁଇ ପୁଅର ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦ୍ବିତୀୟ ମହଲାରେ ଥିବା ଶିଶୁ ୱାର୍ଡରେ ୨ ପୁଅଙ୍କ ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳେ ବାପା ଦେଶୁ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ଆଣିବା ପାଇଁ ବାହାରି ଯାଇଥିଲେ। ଦେଶୁଙ୍କ ସ୍ତ୍ରୀ ୩ ପୁଅଙ୍କୁ ଧରି ଶିଶୁ ୱାର୍ଡରେ ଥିବା ବେଳେ ମଧ୍ୟାହ୍ନରେ ସାନ ପୁଅ ମହାତିକୁ ବଡ ଭାଇ ପାଖେ ରଖି ଶୌଚାଳୟ ଯାଇଥିଲେ। ଏହି ସମୟରେ ରାଜ କୁମାର କନ୍ଧପାଣି ନାମକ ଜଣେ ବ୍ୟକ୍ତି ମହାତିକୁ ଗେଲ କରିବ କହି ବଡଭାଇ ପାଖରୁ ନେଇ ମେଡ଼ିକାଲରୁ ଚମ୍ପଟ ମାରିଥିଲା। ମାଆ ଫେରିବା ପରେ ମହାତିକୁ ଖୋଜାଖୋଜି କରିଥିଲେ।

ପୁଅକୁ ନ ପାଇବା ପରେ ଏ ସଂପର୍କରେ ଦେଶୁଙ୍କୁ ସୂଚନା ଦେବା ପରେ ଦେଶୁ ମେଡ଼ିକାଲରେ ପହଞ୍ଚି ଖୋଜାଖୋଜି କରିଥିଲେ। ୮ ମାସ ପୁଅର କୌଣସି ସନ୍ଧାନ ନ ମିଳିବା ପରେ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଘଟଣାକୁ ଗୁରୁତର ସହ ନେଇ ମେଡିକାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ନିଖୋଜ ଶିଶୁକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲା। ସେପଟେ ମେଡ଼ିକାଲରୁ ଶିଶୁ ପୁତ୍ରକୁ ନେଇ ରାଜ କୁମାର ଘରେ ପହଞ୍ଚିବା ପରେ ପରିବାର ଲୋକ ଏପରି ଘଟଣାକୁ ବିରୋଧ କରିବା ସହ ଶିଶୁପୁତ୍ରକୁ ଫେରାଇ ଦେବା ପାଇଁ କହିଥିଲେ। ସଂଧ୍ୟାରେ ଶାନ୍ତି କନ୍ଧପାଣି ନାମକ ଜଣେ ମହିଳା ଓ ତାଙ୍କ ୨ଜଣ ସଂପର୍କୀୟ ଶିଶୁ ମହାତିକୁ ଆଣି ପୁଲିସ୍ ମାଧ୍ୟମରେ ବାପା ଦେଶୁକୁ ହସ୍ତାନ୍ତର କରିଥିଲେ। ପିଲା ଚୋରି କରିଥିବା ରାଜ କୁମାର କନ୍ଧପାଣିଙ୍କ ସ୍ତ୍ରୀ ଅସ୍ତ୍ରୋପଚାର ପରେ ଆଉ ମାଆ ହୋଇ ପାରିବେ ନାହିଁ ବୋଲି ଡାକ୍ତର ମନା କରିବା ପରେ ରାଜ କୁମାର ଏପରି ଘଟଣା ଘଟାଇଥିବା ପୁଲିସ୍ ଆଗରେ ସ୍ବୀକାର କରିଛନ୍ତି।