୧୦୮ ବୋଟ୍‌ ଆମ୍ବୁଲାନ୍ସରେ ଯାନ୍ତ୍ରିକ ତ୍ରୁଟି ; କାଠ ଡଙ୍ଗାରେ ସନ୍ତାନ ପ୍ରସବ

ଜଳବନ୍ଦୀ ଅଞ୍ଚଳରେ ସ୍ବାସ୍ଥ୍ୟସେବା ନେଇ ପ୍ରଶ୍ନବାଚୀ

ଜୟପାଟଣା : ପଶ୍ଚିମ ଓଡ଼ିଶାରେ ପ୍ରତିଦିନ ଜନନୀ ଯନ୍ତ୍ରଣାର ନୂଆ ନୂଆ ଚିତ୍ର ସାମ୍‌ନାକୁ ଆସୁଛି। କେତେବେଳେ ରାସ୍ତା ନଥିବାରୁ ପ୍ରସୂତି ଖଟିଆରେ ବୁହା ହେଉଛନ୍ତି ତ ଆଉ କେତେବେଳେ ରାସ୍ତାରେ ପ୍ରସବ କରୁଛନ୍ତି। ଆଜି (ବୁଧବାର) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ପୋଡ଼ାପଦର ପଞ୍ଚାୟତ ଲିଟିମସ୍କା ଗ୍ରାମରୁ ପୁଣି ଏକ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍‌ନାକୁ ଆସିଛି। ଜଣେ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ବୋଟ୍‌ ଆମ୍ବୁଲାନ୍ସ ପହଂଚି ପାରିନଥିଲା । ଫଳରେ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଏକ କାଠ ଡଙ୍ଗାରେ ନେବା ସମୟରେ ଡଙ୍ଗା ମଧ୍ୟରେ ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି ।

ପ୍ରକାଶ ଯେ, ବୁଧବାର ସକାଳୁ ଲିଟିମସ୍କା ଗ୍ରାମର ଭାଗୀରଥି ମାଝୀଙ୍କ ପତ୍ନୀ ସରୋଜିନୀ ମାଝୀଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ୧୦୮ ବୋଟ୍‌ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଆମ୍ବୁଲାନ୍ସ ଆସିବାକୁ ମନା କରିଥିଲା। ପରେ ଏକ କାଠ ଡଙ୍ଗାରେ ପରିବାର ଲୋକଙ୍କ ଦ୍ବାରା ଡାକ୍ତରଖାନାକୁ ଅଣାଯାଉଥିବା ସମୟରେ ସରୋଜିନୀ ଡଙ୍ଗା ମଧ୍ୟରେ ସନ୍ତାନ ଜନ୍ମ ଦେଇଥିଲେ। ଜଳଭଣ୍ଡାର କୂଳକୁ ଆସିବା ପରେ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ପ୍ରସୂତିଙ୍କୁ ଭର୍ତି କରାଯାଇଛି। ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ପୁଣିଥରେ ଜଳବନ୍ଦୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବାସ୍ତବତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବୋଟ୍‌ ଆମ୍ବୁଲାନ୍ସ ଚାଳକଙ୍କୁ ପଚାରିବାରୁ ଲଞ୍ଚ୍‌ର ବ୍ୟାଟେରି ଖରାପ ଥିବାରୁ ଜୟପୁରକୁ ପଠାଯାଇଛି। ତେଣୁ ଆମ୍ବୁଲାନ୍ସ ଯାଇପାରି ନଥିଲା ବୋଲି କହିଥିଲେ।

ସମ୍ବନ୍ଧିତ ଖବର