ଭଦ୍ରକ: ବଳକା ଚାଉଳକୁ ନେଇ ଏବେ ଅଡୁଆରେ ପଡିଛନ୍ତି ଭଦ୍ରକ ଜିଲ୍ଲାର ମିଲର ଏବଂ ଯୋଗାଣ ନିଗମ । ଜିଲ୍ଲାରେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଯେତିକି ଚାଉଳ ଆଵଶ୍ୟକତା ରହିଛି ତାଠାରୁ ଅଧିକ ଚାଉଳ ସଂଗ୍ରହ କରି ଅଡୁଆରେ ପଡିଛି ଯୋଗାଣ ନିଗମ । ବଳକା ଚାଉଳକୁ ଏଫସିଆଇ ନେଉନଥିବାବେଳେ ଏହି ବଳକା ରହୁଥିବା ଚାଉଳକୁ ମଧ୍ୟ ବାହାର ଜିଲ୍ଲାକୁ ପଠାଇବାକୁ ସରକାର ଅନୁମତି ଦେଉନାହାନ୍ତି । ଯେଉଁଥିପାଇଁ ମିଲରଙ୍କ ଗୋଦାମରେ ପଡିରହିଛି ହଜାର ହଜାର କୁଇଣ୍ଟାଲ ଚାଉଳ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଜିଲ୍ଳାର ମିଲର । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ସରକାରୀ ଚାଉଳ ସଂଗ୍ରହ ସମୟ ଶେଷ ହେବାକୁ ଯାଉଛି । ମିଲରଙ୍କ ମତ ହେଉଛି, ଆଗାମୀ ସେପ୍ଟେମ୍ବର ୩୦ ସୁଦ୍ଧା ଜିଲ୍ଲାରେ ଚାଉଳ ସଂଗ୍ରହ ଅବଧି ସରିବାକୁ ଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମାତ୍ର ୫୦ ପ୍ରତିଶତ ଚାଉଳ ସଂଗ୍ରହ ହୋଇଛି । ସରକାରୀ ଚାଉଳ ସଂଗ୍ରହ ସମୟ ଅନୁଯାୟୀ ଆଉ ମାତ୍ର ଅଢେଇମାସ ବାକି ରହିଥିବା ବେଳେ ବଳକା ୫୦ ପ୍ରତିଶତ ଚାଉଳ ଡେଲିଭରି ଦେବା କାଠିକର ପାଠ ହୋଇଛି । ଏହି ପରିସ୍ଥିତିରେ ଜିଲ୍ଲା ଯୋଗାଣ ନିଗମ ଗୋଦାମରେ ପର୍ଯ୍ୟାପ୍ତ ଜାଗା ଥାଇ ମଧ୍ୟ ନିଗମ କର୍ତ୍ତୃପକ୍ଷ ଚାଉଳ ଉଠାଉନାହାନ୍ତି । ଫଳରେ ମିଲରଙ୍କ ଗୋଦାମରେ ହଜାର ହଜାର କୁଇଣ୍ଟାଲ ଚାଉଳ ଡେଲିଭରି ଅପେକ୍ଷାରେ ପଡି ରହିଛି ।

Advertisment

ଯାହାକୁ ନେଇ ଜିଲ୍ଲାର ମିଲରମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଛନ୍ତି। ଯଥା ଶୀଘ୍ର ସେମାନଙ୍କ ମିଲ ଖାଲି କରିବାକୁ ଅନୁରୋଧ କରିଛନ୍ତି । ଏସମ୍ପର୍କରେ ଜିଲ୍ଲା ଯୋଗାଣ ନିଗମ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ପଚାରିବାରେ ସେ କହିଥିଲେ ଆମ ଜିଲ୍ଲାରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନାରେ ବାର୍ଷିକ ସର୍ବାଧିକ ୮ ଲକ୍ଷ କୁଇଣ୍ଟାଲ ଚାଉଳର ଆଵଶ୍ୟକତା ରହିଥିବା ବେଳେ ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୨ ଲକ୍ଷ କୁଇଣ୍ଟାଲ ଚାଉଳ ସଂଗ୍ରହ ହୋଇଛି । ତେବେ ଭାରତୀୟ ଖାଦ୍ୟ ନିଗମ ଚଳିତବର୍ଷ ଜିଲ୍ଲାରୁ ପ୍ରାୟ ୪ ଲକ୍ଷ କୁଇଣ୍ଟାଲ ଚାଉଳ ନେବାକୁ ଘୋଷଣା କରିଥିଲେ ମଧ୍ୟ ମାତ୍ର ୧ ଲକ୍ଷ ୭୦ ହଜାର କୁଇଣ୍ଟାଲ ଚାଉଳ ନେଇ ଚାଉଳ ଉଠାଣ ବନ୍ଦ କରିଦେଇଛନ୍ତି । ଫଳରେ ବଳକା ଚାଉଳକୁ ନେଇ ଆମେ ଅଡୁଆରେ ପଡିଛୁ । ତେଣେ ବାହାର ଜିଲ୍ଲାକୁ ଚାଉଳ ପଠାଇବାକୁ ସରକାରଙ୍କ ନିକଟରେ କରିଥିବା ଦରଖାସ୍ତ ସରକାରଙ୍କ ବିଚାରାଧୀନ ରହିଛି ।

ନିଗମ ଗୋଦାମ ଖାଲି ଥିଲେ ମଧ୍ୟ ନୂଆ ହ୍ୟାଣ୍ଡଲିଂ ଠିକାଦାର ନିଯୁକ୍ତି ଜନିତ ଅସୁବିଧା ଯୋଗୁ ଆରଆରସିଗୁଡିକରେ ଚାଉଳ ସଂଗ୍ରହ ବାଧାପ୍ରାପ୍ତ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଚାଉଳ ସଂଗ୍ରହ ଅବଧି ବୃଦ୍ଧି କରିବେ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି । ଚାଉଳ ଡେଲିଭରି ଜନିତ ଅସୁବିଧା ନେଇ ମିଲରମାନେ ଆଦୌ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି । ଏଭଳି ସମସ୍ୟା ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ମିଲରମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।