ବାପା…ଆମ ସ୍କୁଲରେ ଶବ ଥିଲା, ଡରାଇବେନି ତ?

ହୋମଯଜ୍ଞ ପରେ ସ୍କୁଲ ଖୋଲିବ

ବାଲେଶ୍ବର, (ବାହାନଗାରୁ କେଶବ ପାଣି): ‘‘ବାପା, ଆମ ସ୍କୁଲରେ କ’ଣ ଲୋକଙ୍କ ଶବ ରଖାଯାଇଥିଲା! ଯୋଉ ଲୋକ ମରିଛନ୍ତି, ସେମାନେ ଭୂତ ହୋଇ ଆମକୁ ଡରାଇବେନି ତ! ମୁଁ ଆଉ ସ୍କୁଲ ଯିବିନି। ଛୋଟିଆ ଝିଅର ଏ ପ୍ରଶ୍ନରେ ବାପା କହିଥିଲେ ନା’‌ରେ ମା’। ତୁ ବ୍ୟସ୍ତ ହୁଅନା। ତମ ସ୍କୁଲରେ ଶବ ନଥିଲା। ଟ୍ରେନ୍‌ ଦୁର୍ଘଟଣାରେ ଆହତ ଯାତ୍ରୀମାନେ ଆଶ୍ରୟ ନେଇଥିଲେ। ଏବେ ସେମାନେ ଚିକିତ୍ସିତ ହେଉଛନ୍ତି। ସମସ୍ତେ ସୁସ୍ଥ ଅଛନ୍ତି।’’

ବାହାନଗା ହାଇସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ସଦସ୍ୟ ଆଶିଷ କୁମାର ସାହୁ ଏଭଳି କଥା କହି ଝିଅର ମନ ବୁଝାଇଥିଲେ। ୨୪ ଘଣ୍ଟା ଧରି ବିଦ୍ୟାଳୟରେ ପଡ଼ି ରହିଥିବା ମରଶରୀରକୁ ନେଇ ପିଲାଙ୍କ ମନରେ ଥିବା ଭୟ ଦୂର କରିବାକୁ ଏଭଳି ପ୍ରୟାସ କରିଥିଲେ ଆଶିଷ। ଖାଲି ଆଶିଷ ନୁହେଁ, ନିକଟବର୍ତ୍ତୀ ଅଞ୍ଚଳରେ ଥିବା ୫ଖଣ୍ଡ ଗାଁ ଛାତ୍ରଛାତ୍ରୀଙ୍କ ମନରେ ଥିବା ଭୟକୁ ଏଭଳି ଢଙ୍ଗରେ ଦୂର କରୁଛନ୍ତି ସେମାନଙ୍କ ପିତାମାତା।

The New Indian Express

ଶୁକ୍ରବାର ଦୁର୍ଘଟଣା ସମ୍ପର୍କରେ ବର୍ଣ୍ଣନା କରି ଆଶିଷ କହିଛନ୍ତି ଯେ ଦୁର୍ଘଟଣା ଅତି ଭୟଙ୍କର ଥିଲା। ସେଥିରେ ଥିବା ଲୋକଙ୍କ ଅବସ୍ଥା ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ବଗି ତଳୁ ଗୋଟିଏ ପରେ ଗୋଟିଏ ଶବ ବାହାରିବା ପରେ ସେଗୁଡ଼ିକୁ ରଖିବା ଲାଗି ସମସ୍ୟା ସୃଷ୍ଟି ହୋଇଥିଲା। ଉପରିସ୍ଥ ଅଧିକାରୀମାନଙ୍କ ପକ୍ଷରୁ ସ୍କୁଲ ପରିସରରେ ଶବ ରଖିବାକୁ ନିର୍ଦ୍ଦେଶ ଆସିବା ପରେ ଆଗ ପଛ ନ ବିଚାରି ଅନୁମତି ଦିଆଯାଇଥିଲା। ଏଠାରେ ୨୦୦ରୁ ଅଧିକ ଶବ ରଖାଯାଇଥିଲା। ତେବେ ଏବେ ସ୍ଥିତି ସ୍ବାଭାବିକ ହୋଇଥିଲେ ମଧ୍ୟ ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସଫେଇ ଆହ୍ବାନ ସୃଷ୍ଟି କରିଛି। ଯୁଦ୍ଧାକଳୀନ ଭିତ୍ତିରେ ସଫେଇ କରିବାକୁ ସିଡିଏମ୍‌ଓକୁ ଅନୁରୋଧ କରାଯାଇଛି। ଆଶ୍ବାସନା ମଧ୍ୟ ମିଳିଛି। ଛୋଟ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ହୋମଯଜ୍ଞ କରାଯିବା ପରେ ସ୍କୁଲ ଖୋଲିବ।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସ୍ବାଇଁ କହିଛନ୍ତି ଯେ ଦୁର୍ଘଟଣା ପରେ ରାତି ପ୍ରାୟ ୮ଟା ବେଳେ ମୋତେ ଫୋନ୍‌ ଆସିଥିଲା। କ୍ୟାମ୍ପସ୍‌ରେ ଶବ ରହିବ ବୋଲି କେହି କହି ନଥିଲେ। ରାତି ସାଢ଼େ ୧୨ଟା ବେଳକୁ ୩ଟି ଟ୍ରକ୍‌ରେ ଶବ ଆସିଥିଲା। ଖୋଲା ହଲ୍‌ରେ ପ୍ରଥମେ ଶବ ରଖାଗଲା। ତାହା ପୂରଣ ହେବା ପରେ ବାରଣ୍ଡା ଓ ପରେ ୫ଟି କ୍ଲାସରୁମ୍‌ ଖୋଲାଗଲା। ଡେକ୍ସ, ବେଞ୍ଚ କଢ଼ାଯିବା ପରେ ବି ରଖିବାକୁ ସ୍ଥାନ ନିଅଣ୍ଟ ପଡ଼ିଲା। ତେଣୁ ବାହାରେ ବି କୁଢ଼କୁଢ଼ ଶବ ରଖାଯାଇଥିଲା। ଅତ୍ୟନ୍ତ ଛାତିଥରା ଦୃଶ୍ୟ ଥିଲା। କାହାର ହାତଗୋଡ଼ ନଥିଲା ତ କାହାର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା। ୧୮ ତାରିଖ ସ୍କୁଲ ଖୋଲିବ। ଆସନ୍ତା ୧୨ ତାରିଖରେ ମଧ୍ୟାହ୍ନଭୋଜନ ରୋଷେୟାଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତା’ ପୂର୍ବରୁ ଏଠାରେ ପୂଜାର୍ଚ୍ଚନା କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଶାସନକୁ ଏ ବିଷୟରେ ଅବଗତ କରାଯାଇଛି। ଆଜି ବ୍ଲିଚିଂ ଓ ପାଣି ପକାଯାଇ ସଫା କରାଯାଇଛି। କ୍ୟାମ୍ପସ୍‌ ସାରା ରକ୍ତଛିଟା ପଡ଼ିଥିବାରୁ ତାହାକୁ ସଫା କରାଯିବା ସହ ରଙ୍ଗ କରିବା ଲାଗି ଉପରିସ୍ଥ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି। ପିଲାମାନଙ୍କ ମନରେ ଯେପରି ଭୟ ସୃଷ୍ଟି ନ ହେବ, ସେ ଦିଗରେ ବି ପଦକ୍ଷେପ ନିଆଯିବ।

ବିଦ୍ୟାଳୟ ଶିକ୍ଷୟିତ୍ରୀ ସ୍ମୃତିରେଖା ପଣ୍ଡା କହିଛନ୍ତି, ବଡ଼ ପିଲାଙ୍କ ମଧ୍ୟରେ ଭୟ ନାହିଁ। ସେମା‌ନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଅଧିକରୁ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖାଉଛନ୍ତି। ହେଲେ ଛୋଟ କ୍ଲାସର ପିଲାଙ୍କ ମଧ୍ୟରେ ଟିକିଏ ଭୟ ରହିପାରେ। ତାହାକୁ ନଜରରେ ରଖି ଆମେ ପଦକ୍ଷେପ ଗ୍ରହଣ କରିବୁ। ଅଭିଭାବକଙ୍କ ସହଯୋଗ ଲୋଡ଼ିବୁ। ଡେଡ୍‌ବଡି ରହୁଥିବା ନେଇ ସେମାନଙ୍କୁ ଆଦୌ ଜାଣିବାକୁ ସୁଯୋଗ ଦିଆଯିବ ନାହିଁ, ବରଂ ଏଠାରେ ଆହତମାନେ ଆଶ୍ରୟ ନେଇଥିଲେ ବୋଲି ଜଣାଇବୁ।

ସମ୍ବନ୍ଧିତ ଖବର