କେନ୍ଦ୍ରାପଡ଼ା: ଚାରିଆଡ଼ୁ ବିରୋଧ, ସମାଲୋଚନା ହେବା ପରେ ଶେଷରେ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ନାମଲେଖା ଫି’ କମିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆଉ କଲେଜ ପରିଚାଳନା ସମିତିର ସହମତି କ୍ରମେ ଅଧୢକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ବର୍ଧିତ ନାମଲେଖା ଫି’ରୁ ୮୩ପ୍ରତିଶତ ହ୍ରାସ କରିବା ସହିତ ଗତବର୍ଷ ଧାର୍ଯ୍ୟ ନାମଲେଖା ଡେଭଲପମେଣ୍ଟ୍‌ ଫି’ ଉପରେ ୧୫ପ୍ରତିଶତ ବୃଦ୍ଧି କରିଛନ୍ତି। ଯଦ୍ବାରା ପିଲାମାନଙ୍କୁ ଗତବର୍ଷ ତୁଳନାରେ ଏଥର ବର୍ଧିତ ଫି’ ବାବଦକୁ ସର୍ବନିମ୍ନ ୨ହଜାରରୁ ସର୍ବାଧିକ ୩୬୦୦ଟଙ୍କା ଯାଏଁ ଯେଉଁ ଅଧିକ ଦେବାକୁ ପଡ଼ୁଥିଲା, ତାହା ଆଉ ଗଣିବାକୁ ପଡ଼ିବ ନାହିଁ। ସରଳ ଅର୍ଥରେ ବୁଝିବାକୁ ଗଲେ ପିଲାମାନଙ୍କୁ ଏଥର ଯୁକ୍ତ ଦୁଇ କଳା, ବାଣିଜ୍ୟ ଆଉ ବିଜ୍ଞାନରେ ଗତବର୍ଷ ନାମଲେଖା ଫି’ ସହିତ ଅଧିକ ୩୪୫ରୁ ୭୦୫ଟଙ୍କା ଦେବାକୁ ପଡ଼ିବ। ବିଳମ୍ବରେ ହେଲେ ମଧୢ କଲେଜ କର୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ବଡ଼ କଥା ହେଉଛି, ଯେଉଁ ପିଲା ମାନଙ୍କର ଆଜି ସୁଦ୍ଧା ନାମଲେଖା ସରିଛି, ସେମାନଙ୍କର ଧାର୍ଯ୍ୟ ନାମଲେଖା ଫି’ ରଖାଯାଇ ଅବଶିଷ୍ଟ ରାଶି ବ୍ୟାଙ୍କ ଆକାଉଣ୍ଟ୍‌ ଜରିଆରେ ପଠାଇ ଦିଆଯିବ ବୋଲି ଅଧୢକ୍ଷ ପ୍ରଫେସର ବେହେରା ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚ ୧୬ତାରିଖରେ ଅନୁଷ୍ଠିତ ପରିଚାଳନା ସମିତି ବୈଠକରେ ନାମଲେଖା ଫି’ ବୃଦ୍ଧି ସ˚କ୍ରାନ୍ତୀୟ ନିଷ୍ପତ୍ତି ଉପରେ ମୋହର ବାଜିଥିଲା। ସେତେବେଳେ କଲେଜର ଅଧୢକ୍ଷ ଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ। କିନ୍ତୁ ନାମଲେଖାକୁ ନେଇ ନିକଟରେ ଯେତେବେଳେ ନୋଟିସ୍‌ ବାହାରିଲା, ସେତେବେଳେ ଅହେତୁକ ଫି’ ବୃଦ୍ଧି କଥା ସାମ୍ନାକୁ ଆସିଥିଲା। ଗତବର୍ଷ ଫି’ ତୁଳନାରେ ଏଥର ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ୨୬୦୦ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିବା ବେଳେ ବିଜ୍ଞାନରେ ୩୬୦୦ଟଙ୍କା ବଢ଼ାଯାଇଥିଲା। ଯୁକ୍ତ ତିନିରେ କଳାରେ ୨ହଜାର ଟଙ୍କା ବୃଦ୍ଧି ହୋଇଥିବା ବେଳେ ବାଣିଜ୍ୟ ଓ ବିଜ୍ଞାନରେ ୨୫୦୦ଟଙ୍କା ଲେଖାଏ ବଢ଼ିଥିବା ଜଣାପଡ଼ିଥିଲା।

Advertisment

ଏକାଥରକେ ଯୁକ୍ତ ଦୁଇ ଓ ତିନି ପ୍ରଥମ ବର୍ଷ ନାମଲେଖାରେ ୫୦ରୁ ୫୫ପ୍ରତିଶତ ଫି’ ବୃଦ୍ଧିକୁ ସହଜରେ କେହି ଗ୍ରହଣ କରିପାରି ନ ଥିଲେ। ପୁରାତନ ଛାତ୍ରଙ୍କଠୁ ନେଇ ଛାତ୍ର କ˚ଗ୍ରେସ, ବିଜେଡି, ଏବିଭିପି ଆଉ ବୁଦ୍ଧିଜୀବୀ ମହଲ ଏହାକୁ ବିରୋଧ କରିବା ସହିତ ବର୍ଧିତ ଫି’ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ‘ସମ୍ବାଦ’ରେ ଏ ସ˚କ୍ରାନ୍ତରେ ଲଗାତର ଖବର ପ୍ରକାଶ ପାଇବା ସହିତ ଯୁକ୍ତ ଦୁଇ ଓ ତିନିର ସମସ୍ତ ସିଟ୍‌ ଯଦି ପୂରଣ ହୁଏ, ତେବେ ବର୍ଧିତ ଫି’ ଆକାରରେ ୨୪୩୨ପିଲା  ୬୫ଲକ୍ଷ ୨୭ହଜାର ଟଙ୍କା ଗଣିବେ ବୋଲି ଏକ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଗଣମାଧୢମରେ ଖବର ସା˚ଗକୁ ବିଭିନ୍ନ ମହଲରେ ବର୍ଧିତ ଫି’କୁ ନେଇ ବିରୋଧ ହେବା ପରେ ଜିଲ୍ଲାପାଳ ଗୁରୁବାର ସ˚ଧ୍ୟାରେ ଅଧୢକ୍ଷଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅଧୢକ୍ଷଙ୍କଠାରୁ ଫି’ ବୃଦ୍ଧି ପଛର କାରଣ ବୁଝିବା ପରେ କମ୍‌ କରିବାକୁ କହିଥିଲେ। ତଦନୁଯାୟୀ, ଆଜି ପରିଚାଳନା ସମିତିର ସହମତି କ୍ରମେ ଗତବର୍ଷ ନାମଲେଖା ଡେଭଲପ୍‌ମେଣ୍ଟ୍‌ ଫି’ ଉପରେ ୧୫ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ଗତବର୍ଷ ଡେଭଲପମେଣ୍ଟ ଫି’ ରାଶି ଯାହା ଥିଲା, ସେଥିରେ ସର୍ବନିମ୍ନ ୩୪୫ରୁ ସର୍ବାଧିକ ୭୦୫ଟଙ୍କା ଯାଏ ବୃଦ୍ଧି ହୋଇଛି। ଏହି କ୍ରମରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ଡେଭଲପ୍‌ମେଣ୍ଟ ଫି’ ରାଶି ୨୩୦୫ରୁ ବଢ଼ି ୨୬୫୦ଟଙ୍କା ହୋଇଥିବା ବେଳେ ବିଜ୍ଞାନରେ ୩୩୦୫ରୁ ବଢ଼ି ୩୮୦୦ଟଙ୍କା ହୋଇଛି। ସେହିପରି ଯୁକ୍ତ ତିନି କଳାରେ ଡେଭଲପଫଣ୍ତ୍‌ ଫି’ ୩୭୦୦ରୁ ବଢ଼ି ୪୨୫୫ଟଙ୍କା ହୋଇଥିବା ବେଳେ ବିଜ୍ଞାନରେ ୪୭୦୦ରୁ ୫୪୦୫ ଏବ˚ ବାଣିଜ୍ୟରେ ୪ହଜାରରୁ ୪ହଜାର ୬୦୦କୁ ବୃଦ୍ଧି ପାଇଛି। ଅଧୢକ୍ଷ ପ୍ରଫେସର ବେହେରା କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଯୁକ୍ତ ଦୁଇରେ ପାଖାପାଖି ୮୦ପ୍ରତିଶତ ନାମଲେଖା ସରିଛି। ଯେଉଁ ମାନେ ବର୍ଧିତ ଫି’ ରାଶିରେ ନାମ ଲେଖାଇ ସାରିଛନ୍ତି, ସେମାନେ ବ୍ୟସ୍ତ ହେବାର ନାହିଁ। ନାମଲେଖା ସରିବା ପରେ ସେମାନଙ୍କ ଆକାଉଣ୍ଟ୍‌କୁ ଆର‌୍‌ଟିଜିଏସ୍‌ ମାଧୢମରେ ଧାର୍ଯ୍ୟ ଫି’ ରଖାଯାଇ ଅବଶିଷ୍ଟ ଫେରାଇ ଦିଆଯିବ।