୩ ଫୁଟିଆ ଘରେ ୫ ଫୁଟିଆ ମଣିଷ: ଦଦରା ଘରେ କାଳ କାଟୁଛନ୍ତି ଆଦିବାସୀ ଯୁବକ ଶୁକ୍ରୁ ଓ ତାଙ୍କ ଦୁଇ ସନ୍ତାନ

ଜୟପୁର (ଶ୍ରୀକାନ୍ତ ସାହୁ): ବର୍ଷା ହେଲେ ପାଦ ଭିଜିଲେ ଗୁଞ୍ଜି ହେବ ମୁଣ୍ଡ । ମୁଣ୍ଡ ଭିଜିଲେ ‌ତିନ୍ତିବନି ପାଦ। ଗୋଟିଏ ପଟେ ଛତା ରଖିଲେ ଚଳୁଛି ନ ହେଲେ ନାହିଁ। ଏପରି ଏକ ଦଦରା ଘରେ କାଳ କାଟୁଛନ୍ତି ଜଣେ ଆଦିବାସୀ ଓ ତାଙ୍କ ଦୁଇ ସନ୍ତାନ। ଏପରି ଦୁର୍ବିଶହ ଜୀବନ ଯିଉଁଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଡଙ୍ଗରଛିଞ୍ଜି ଗ୍ରାମ ପଞ୍ଚା ଅନ୍ତର୍ଗତ ଦୁର୍ଗାଭଟା ଗାଁର ଜଣେ କୁଲିଭୁତିକୁ ଭରଷା କରି ଗୁଞ୍ଜୁରାଣ ଚଳାଉଥିବା ଗରିବ ଆଦିବାସୀ। ଏକ ତିନିପୁଟିଆ ଭଙ୍ଗା କଟୁଛି ୫ ଫୁଟିଆ ଆଦିବାସୀ ଶୁକ୍ରୁ ପରଜାଙ୍କର କାରୁଣ୍ୟ ପରିବାର।। ଘର ନ ଥିବାରୁ ଦୁଇ ପିଲା ପର ଦୁଆରରେ ମୁଣ୍ଡ ଗୁଞ୍ଚୁଥିବାବେଳେ ଭିଟା ମାଟିକୁ ଛାଡିବାକୁ ପ୍ରସ୍ତୁତ ନୁହେଁ ଜଣେ ଅଭାବୀ ମଣିଷ। ଦିନେ ଦୁଇଦିନ ନୁହେଁ ଦୀର୍ଘ ୧୦ ମାସ ହେଲା ତିନିପଟେ ଭାଙ୍ଗା କାନ୍ଥ ଓ ଗୋଟିଏ ପଟେ ଘୋଡେଇ ହେବାକୁ ଥିବା କମ୍ବଳ ସାଜିଛି ରକ୍ଷା କବଜ। ପରିସ୍ଥିତି ଏପରି ହୋଇଛି ଯେ ଦିନରେ ସୂର୍ଯ୍ୟ, ରାତିରେ ତାରା ଓ ଜହ୍ନ ସମୟ ଦେଖି ଆସୁଛନ୍ତି ଆଉ ଯାଉଛନ୍ତି କିନ୍ତୁ ଏହି ଅଭାବୀ ମଣିଷର ଜୀବନରେ କିଛି ପରିବର୍ତ୍ତନ ହେଉନି। ଏକ ତିନିଫୁଟିଆ ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ଏହି ଆଦିବାସୀ।

୧୦ ମାସ ତଳେ ଶୁକ୍ରୁଙ୍କର ଝାଟିମାଟିର ଘର ରହିଥିଲା। କିନ୍ତୁ ଗତବର୍ଷ ଅର୍ଥ ଅଭାବ ଓ ସ୍ତ୍ରୀର ବିୟୋଗ ହେତୁ ଏହି ଘରର ଛପର ବଦଳାଇ ପାରି ନ ଥିବାରୁ  ବର୍ଷାରେ ତାଙ୍କ ଘର ଭାଙ୍ଗି ଯାଇଥିଲା। ଏହି ସମୟରେ ପିଲାମାନଙ୍କର ବିଶେଷ କିଛି କ୍ଷୟକ୍ଷତି  ହୋଇ ନ ଥିଲାବେଳେ ବାସହରା ହୋଇଯାଇିଲେ। ସେମାନଙ୍କ ନିକଟରେ ନା ପହଞ୍ଚିଥିଲା ପ୍ରଶାସନ ନା ପହଞ୍ଚିଥିଲା କୌଣସି ସରକାରୀ ସୁବିଧା। ଫଳରେ ଏହି ଅଭାବୀ ମଣିଷ ଜଣକ ଓ ତାଙ୍କ ପରିବାର ଅତି ଦୟନୀୟ ଭାବେ କାଳ କାଟୁଛନ୍ତି। ଏବେ ପୁଅ ଅଧୁ ପରଜା, ଝିଅ ସନାଦେଇ ପରଜା କେତେବେଳେ ମାମୁଁ ଘରେ ତ କେତେବେଳେ ସାହିପଡ଼ିଶାଙ୍କ ଘରେ ରହୁଥିବା ଦେଖିବାକୁ ମିଳିଛି। ତେବେ ତାଙ୍କର ବଡ ଝିଅ ରଇଲା ପରଜା ଓ ଲକ୍ଷ୍ମୀ ପରଜାକୁଙ୍କୁ ବାହାଘର କରିଦେଇଥିବାବେଳେ ସେମାନେ ଖୁସିରେ ରହିଥିବା ଜଣାପଡିଛି। ଗତବର୍ଷ ଡିସେମ୍ବର ମାସରେ ତାଙ୍କ ଘର ଭାଙ୍ଗିଥିବାବେଳେ କେତେଥର ସରପଞ୍ଚଙ୍କୁ ଜଣାଇବା ସହ ବ୍ଲକ କାର୍ଯ୍ୟଳୟକୁ ଆସି ଅଭିଯୋଗ ଦେଇଛନ୍ତି ହେଲେ ତାଙ୍କ ଗୁହାରୀ କେହି ଶୁଣି ନାହାନ୍ତି। ସବୁଠୁ ନା ଶୁଣିବା ପରେ ଏହି ତିନିଫୁଟିଆ ଘରେ ୯ ମାସ ହେଲା କାଳ କାଟୁଛନ୍ତି। ଖରାଦିନେ ଯେମିତି ସେମିତି ଚଳିଯାଉଥିବାବେଳେ କିଛିଦିନ ହେବ ପ୍ରବଳ ବର୍ଷା ହେଉଥିବାରୁ ପାଦ ତଳେ ଛତା ରଖି ଏହିଠାରେ ରହୁଥିବା ସେ କହିଛନ୍ତି।

ତେବେ ତାଙ୍କୁ ୨୦୧୫ରେ ରାସନକାର୍ଡ ଯୋଗାଇ ଦିଆଯାଇଥିବାବେଳେ ଲକଡାଉନ ଆରମ୍ଭ ହେବା ପୂର୍ବରୁ ସରକାରଙ୍କର ନିୟମ ଅନୁସାରେ ମିଳିଥିବା ଖାଦ୍ୟପଦାର୍ଥରେ ତିନିପ୍ରାଣି ସଂସାର ଚଳୁଥିବା ଜଣାପଡିଛି। ଏପରିକି ଅତି ବର୍ଷା ହେଲେ ସେ ଏହିଠାରୁ ରୋଷେଇ କରି ପରିବାରଙ୍କ ମୁହଁକୁ ଆହାର ଦେଉଥିବା ଦେଖିବାକୁ ମିଳିଛି। ଏହି ଶୁକ୍ରି ଅତ୍ୟନ୍ତ ଗରିବ ଶ୍ର‌େଣୀୟ ହୋଇଥିବାବେଳେ କୁଲିଭୂତି କରି ପାରିବାର ଚଳାଉଥିଲେ। ଏହି ଅଞ୍ଚଳରେ ଟ୍ରାକ୍ଟର ବହୁତ ରହିଥିବାରୁ ସେହିଠାରେ ମାଟି ଉଠାଇ ପରିବାର ମୁହଁରେ ଦାନା ଦେଉଥିଲେ। ହେଲେ ଲକଡାଉନ ହେବା ଦିନରୁ ସବୁ କାମ ବନ୍ଦ ରହିଥିବାବେଳେ ଜବ କାର୍ଡ ନ ଥିବାରୁ ତାଙ୍କୁ କୌଣସି ଯୋଜନାରେ କାମ ମିଳୁନାହିଁ। ଫଳରେ ଅସହାୟ ଅବସ୍ତାରେ ସେ ଓ ତାଙ୍କ ଦୁଇ ପିଲା ଦିନ କାଟୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ତାଙ୍କୁ ସହଯୋଗର ହାତ ବଢାଉବାକୁ ଦାବି କରାଯାଇଛି।

ଏନେଇ ବିଡିଓ ସୂରଜ କୁମାର ପଟ୍ଟନାୟକ କହିଛନ୍ତି ଯେ ଗଣମାଧ୍ୟମରୁ ଏନେଇ ଅଭିଯୋଗ ପାଇଛି। ଆସନ୍ତାକାଲି ଏହାର ସତ୍ୟତା ଅନୁଧ୍ୟାନ କରି ହିତାଧିକାରୀଙ୍କୁ ଯେଉଁ ସବୁ ସୁବିଧା ପାଇବାକୁ ଯୋଗ୍ୟ ତାଙ୍କୁ ପ୍ରଦାନ କରାଯିବ।

 

ସମ୍ବନ୍ଧିତ ଖବର