ବାରିପଦା: ଜେଲରେ ଥାଇ ମୃତ୍ୟୁବରଣ କଲେ ମହିଳା। ଶବ ବ୍ୟବଚ୍ଛେଦ ପରେ କିନ୍ତୁ ଶେଷକୃତ୍ୟ ପାଇଁ କେହି ନଥିଲେ। କାରଣ ସ୍ବାମୀ ଏବଂ ଦୁଇ ପୁଅ ମଧ୍ୟ ଜେଲରେ ଥିଲେ। ଏପରି ଅବସ୍ଥାରେ ଗତକାଲି ମୃତ୍ୟୁବରଣ କରିଥିବା ଗୀତା ରାୟ(୫୬)ଙ୍କ ଶବ ଏକପ୍ରକାର ଅସହାୟ ଅବସ୍ଥାରେ ପଡ଼ିଥିଲା। ମାତ୍ର ବାରିପଦା ଏଡିଜେ-୧ ବିଚାରପତିଙ୍କ ନିକଟରେ ଏସମ୍ପର୍କରେ ଆବେଦନ କଲାପରେ ବିଚାରପତି ସ୍ବାମୀ ଏବଂ ଦୁଇ ପୁଅଙ୍କୁ ଜେଲରୁ ଆସି ନିଜ ମା’ଙ୍କ ଶବ ସତ୍କାର କରିବାକୁ ଅନୁମତି ଦେଇଥିଲେ।
ଏହି ଆଦେଶ ପରେ ମୃତକ ଗୀତାଙ୍କ ସ୍ବାମୀ ଏବଂ ଦୁଇ ପୁଅଙ୍କୁ ଜେଲରୁ ଅଣାଯାଇଥିଲା। ପୁଲିସ୍ ଉପସ୍ଥିତିରେ ଗୀତାଙ୍କୁ ତାଙ୍କ ସ୍ୱାମୀ ଶଙ୍ଖା ସିନ୍ଦୁର ପିନ୍ଧାଇ ଅହ୍ୟରାଣୀ ବେଶରେ ଶେଷ ବିଦାୟ ଦେଇଥିଲେ। ସେହିପରି ଜେଲରେ ଥାଇ ମଧ୍ୟ ନିଜ ମା’ଙ୍କୁ କାନ୍ଧ ଦେବା ସହ ମୁଖାଗ୍ନୀ ଦେବାର ସୌଭାଗ୍ୟ ପାଇଛନ୍ତି ଦୁଇ ପୁଅ ।
/sambad/media/post_attachments/wp-content/uploads/2021/01/vlcsnap-2021-01-06-18h18m34s55-1-300x169.png)
ତେବେ ସ୍ଥାନୀୟ ବାରୁଣୀ ଶ୍ମଶାନଘାଟରେ ଶବଶତ୍କାର ପରେ ପୁଣି କାରାଗାରକୁ ଫେରିଛନ୍ତି ମୃତକଙ୍କ ଦୁଇ ପୁଅ ଏବଂ ସ୍ବାମୀ। କୌଣସି ଫିଲ୍ମର କାହାଣୀର ଦୃଶ୍ୟ ଭଳି ଲାଗୁଥିଲେ ମଧ୍ୟ ଏହା ନିରାଟ ସତକଥା। ଜେଲରେ ଦୁର୍ଭାଗ୍ୟଜନକ ଭାବେ ପ୍ରାଣ ହରାଇବା ଏବଂ ଜେଲରେ ଆସି ପୁଲିସ୍ ଉପସ୍ଥିତିରେ ପୁଅ ଏବଂ ସ୍ବାମୀ ଶବ ସଂସ୍କାର କରିବା ଦୃଶ୍ୟ ସମସ୍ତଙ୍କୁ ଦୁଃଖିତ କରିଛି।
ବାରିପଦାରେ ଏପରି ଘଟଣା ପ୍ରଥମ ବୋଲି ଚର୍ଚ୍ଚା ହୁଏ। ନିଜ ସାନ ବୋହୂର ହତ୍ୟା ମାମଲାରେ ଜେଲରେ ଥିଲେ ମୃତକ ଗୀତା, ତାଙ୍କ ସ୍ବାମୀ ଏବଂ ଦୁଇ ପୁଅ। ନ୍ୟାୟାଳୟ ଦଣ୍ଡ ଦେବା ପୂର୍ବରୁ ପ୍ରକୃତିର ଏପରି ବିଚାର ସମସ୍ତଙ୍କୁ ବିଚଳିତ କରିଛି। ଗତ ବର୍ଷ ଅଗଷ୍ଟ ମାସରୁ ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ ବନ୍ଦୀ ଭାବେ ରହି ଆସୁଥିଲେ ବାରିପଦା ସହରର ୱାର୍ଡ ନଂ-୫ ବାବୁସାହି ଅଞ୍ଚଳର ମୃତକ ମହିଳା। ମାତ୍ର ଗତକାଲି ସେ ସକାଳେ ଗାଧୋଇବା ପାଇଁ ଯାଉଥିବାବେଳେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇ ଦେଇଥିଲା। ପରେ ଗୀତାଙ୍କୁ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
/sambad/media/post_attachments/wp-content/uploads/2021/01/vlcsnap-2021-01-06-18h19m27s94-300x169.png)
ମାତ୍ର ପ୍ରାୟ ଦିନ ପ୍ରାୟ ୧୧.୫୫ରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାରର ସମସ୍ତ ସଦସ୍ୟ ଜେଲରେ ଥିବାରୁ ଗୀତାଙ୍କର ଅନ୍ତିମ ସତ୍କାର ନେଇ ଦ୍ବନ୍ଦ୍ବ ଉପୁଜୁଥିଲା। ଏନେଇ ଏମାନଙ୍କର ମକଦ୍ଦମା ଲଢ଼ୁଥିବା ଆଇନଜୀବୀ ସ୍ୱରଲିପି ଦାସ ପଟ୍ଟନାୟକ ଗତକାଲି ଏଡିଜେ-୧ କୋର୍ଟରେ ଆବେଦନ କରିଥିଲେ।
ମାନ୍ୟବର କୋର୍ଟ ଏହାକୁ ଗମ୍ଭୀରତାର ସହ ନେଇ ଖୁବ୍ କମ୍ ସମୟ ମଧ୍ୟରେ ଆବେଦନକୁ ଅନୁମତି ଦେବା ସହିତ ଶବଶତ୍କାର ସମୟରେ ଜେଲରେ ଥିବା ମୃତକଙ୍କ ସ୍ବାମୀ ଏବଂ ଦୁଇ ପୁଅଙ୍କୁ ଉପସ୍ଥିତ ରହିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଆଜି ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ସମସ୍ତଙ୍କୁ ଶ୍ମଶାନକୁ ନିଆଯାଇଥିଲା। ତେବେ ପରିବାରର ସମସ୍ତ ସଦସ୍ୟ ଜେଲରେ ଥିବାରୁ ବର୍ତ୍ତମାନ ମୃତ ମହିଳାଙ୍କର ଦଶାହ କର୍ମ କେମିତି ଏବଂ କିଏ କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/vlcsnap-2021-01-06-18h16m58s163-2.png)