ସାର୍ କଳାବଜାର ଜୋର ଧରିଲା: ଦରକାର ୩୯ହଜାର ୯୦୦ଏମଟି, ମିଳିଛି ୧୦ହଜାର ୪୨୩ଏମଟି

ହାଇବ୍ରୀଡ୍ ବିହନ ନେଇଥିବା ଚାଷୀଙ୍କୁ ପ୍ରାଥମିକତା ଦେଉଛି ଘରୋଇ କଂପାନି

ଜୟପୁର: ଗତ କିଛି ଦିନ ହେବ ଲଘୁଚାପ ବର୍ଷା ଜାରି ରହିବା ପରେ ଜିଲ୍ଲାରେ ରୁଆ କାମ ଜୋର ଧରିଛି। ଜିଲ୍ଲାର ୯୮ହଜାର ହେକ୍ଟର ଜମିରେ ଖରିଫରେ ଧାନ ଚାଷ କରାଯାଉଛି। ଜୟପୁର ଉପଖଣ୍ଡର ଜୟପୁର, ବୋରିଗୁମ୍ମା, କୋଟପାଡ଼, କୁନ୍ଦ୍ରା, ବୈପାରୀଗୁଡା ବ୍ଲକରେ ସର୍ବାଧିକ ଧାନ ଚାଷ ହେଉଛି। ଏଥିକି ଜମି ପାଇଁ ୟୁରିଆ ୧୪ହଜାର ମେଟ୍ରୀକ ଟନ୍, ଡିଏପି ୧୧ହଜାର ୫୦୦ଏମଟି, ଏମଓପି ୫୫୦୦, ଏସଏସପି ୧୦୦ଏମଟି, କମ୍ପେଲସେସ୍ ୮୮୦୦ମେଟ୍ରୀକ ଟନ ଏଭଳି ସର୍ବମୋଟ ୩୯ହଜାର ୯୦୦ମେଟ୍ରୀକ ଟନ୍ ସାରର ଆବଶ୍ୟକତା ରହିଥିବା

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆକଳନ ହୋଇଛି। ଅନ୍ୟ ପକ୍ଷରେ ଏବେ ପର୍ଯ୍ୟନ୍ତ ଜିଲ୍ଲାକୁ ମାତ୍ର ୧୦ହଜାର ୪୨୩.୭୪ମେଟ୍ରୀକ ଟନ ସାର ହିଁ ରାଜ୍ୟ ସରକାର ଯୋଗାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଅନ୍ୟ ପକ୍ଷରେ ଏହାକୁ ସୁଯୋଗ ଭାବେ ନେଇଛନ୍ତି ବିଭିନ୍ନ ଘରୋଇ ହାଇବ୍ରୀଡ୍ ବିହନ କଂପାନି। ଏହି ବିହନ କଂପାନୀ ଗୁଡ଼ିକ ନିଜ ବିତରକଙ୍କ ଜରିଆରେ ଚାଷୀଙ୍କୁ ସାର୍ ଯୋଗାଉଛନ୍ତି। ଯେଉଁ ଚାଷୀ ମାନେ ବିଭିନ୍ନ ହାଇବ୍ରିଡ୍ ଧାନ ବିହନ ବିଭିନ୍ନ ବିକ୍ରେତାଙ୍କ ଠାରୁ ନେଇଥିଲେ ସେମାନଙ୍କୁ ବିତରକ ମାନେ ବି ପ୍ରାଥମିକତା ଦେଇ ସାର ଯୋଗାଉଛନ୍ତି।

ୟୁରିଆ ସାରର ସରକାରୀ ଦର ୪୫କିଲୋକୁ ୨୬୫ଟଙ୍କା ରହିଛି। ତେବେ ତା ଠାରୁ ଦୁଇରୁ ତିନି ଗୁଣା ଚଢ଼ା ଦରରେ ଚାଷୀଙ୍କୁ ବିକୁଛନ୍ତି। ଚାଷୀମାନେ ବି ବର୍ତ୍ତମାନ ମିଳିଥିବା ଧାନ ରୁଆ ପାଗକୁ ଆଉ ହାତଛଡ଼ା ନ କରି ସାର ଚଢ଼ା ଦର ହେଲେ ପଛେ କିଣି ନିଜ ଜମିରେ ରୁଆ କାମ ଜୋର କରିଛନ୍ତି। ଗତ ବର୍ଷ ବିଭିନ୍ନ ଲ୍ୟାମ୍ପ ଓ ବିତରକଙ୍କ ନିକଟରେ ୟୁରିଆ ପାଇଁ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିଥିଲା। ଏଥରକ ରାଜ୍ୟ ସରକାର ଠିକଣା ସମୟରେ ସାର ନ ଯୋଗାଇବାରୁ ବାଧ୍ୟ ହୋଇ ବିଭିନ୍ନ ବିତରକଙ୍କ ନିକଟରୁ ଚଢ଼ାଦରରେ କିଣି ନେଉଥିବା କହିଛନ୍ତି ଚାଷୀ ଗଙ୍ଗାଧର ନାୟକ, ତିରୁପତି ଦୁଃଖୁ। ଏହି ସ୍ଥିତିରେ ସାର୍ କଳାବଜାର ଏବେ ଜିଲ୍ଲାରେ ଜୋର ଧରିଛି। ହାଇବ୍ରିଡ଼୍ ବିହନ ସହ ସାର , କୀଟନାଶକ ଔଷଧ ଆଦି ଯଦି ବିତରକଙ୍କ ନିକଟରୁ ଚାଷୀ କିଣେ ତେବେ ବିତରକଙ୍କୁ ଘରୋଇ କଂପାନୀ ଦେଉଥିବା କମିଶନରେ ଢ଼େର ପ୍ରତିଶତ ବୃଦ୍ଧି କରୁଥିବା ନିଜ ନାଁକୁ ଗୁପ୍ତରେ ରଖି ଜଣେ ବିତରକ କହିଛନ୍ତି।

ଚାଷୀ ପ୍ରଥମେ ସରକାରୀ ଧାନ କୁ ମୁହଁ ମୋଢ଼ି ହାଇବ୍ରିଡ଼୍ ଧାନ ଚାଷ କରିବା ଆରମ୍ଭ କରିଥିଲେ। ତେବେ ସାର ପାଇଁ ସରକାରଙ୍କ ଉପରେ ନିର୍ଭର ଥିଲେ। ତେବେ ସରକାର ଠିକଣା ସମୟରେ ସାର ଯୋଗାଉନଥିବାରୁ ଏବେ ସାର ପାଇଁ ବି ମୁହଁ ମୋଢ଼ିବା ସହ ଘରୋଇ ବିହନ କଂପାନୀ ଉପରେ ନିର୍ଭର ହେବାକୁ ବାଧ୍ୟ ହେଲେଣି। ଚାଷୀ ଘରୋଇ କଂପାନୀର ଶୋଷଣର ଶୀକାର ହେଉଥିବା ବେଳେ ଏହାକୁ କିଭଳି ରୋକାଯାଇ ହେବ ସେ ଦିଗରେ ସରକାର ଧ୍ୟାନ ଦେବାକୁ ଦାବି କରିଛନ୍ତି ଚାଷୀ ମନୋଜ ପାତ୍ର, ଜୟନ୍ତ ପଟ୍ଟନାୟକ, ଅରୁଣ ପାଣିଗ୍ରାହୀ। ଅନ୍ୟ ପକ୍ଷରେ ବଳକା ୨୮ହଜାର ମେଟ୍ରୀକ ଟନ୍ ସାର୍ ଯୋଗାଇବାକୁ ରାଜ୍ୟସରକାରଙ୍କୁ ଅବଗତ କରାଯାଇଛି। ଜୁଲାଇ ଶେଷ ସପ୍ତାହରେ କିମ୍ବା ଅଗଷ୍ଠ ପ୍ରଥମ ସପ୍ତାହରେ ସାର୍ ପହଚିଂବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର