ଜିଲ୍ଲାରେ ଡିଏପି ସାରର କଳା ବଜାର, ବସ୍ତାପିଛା ୪ଶହ ଟଙ୍କା ଅଧିକ ଦରରେ ବିକ୍ରି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସାର ଯୋଗାଣରେ ଅଭାବ ଦେଖା ଦେଇଛି। ବିଳମ୍ବିତ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି। ଏବେ ଚାଷୀ ଚାଷ କାମ ପାଇଁ ବାହାରି ଥିବା ବେଳେ ସରକାର ସାର ଯୋଗାଣରେ ଅଭାବ ସୃଷ୍ଟି କରିଛନ୍ତି। ସରକାରଙ୍କର ବିହନ ନିଗମ। ବିହନ ଯୋଗାଣରେ ବିଫଳ ହୋଇଥିଲା ବେଲେ ଏବେ ପୁଣି ସାରର କୃତ୍ରିମ ଅଭାବ ସୃଷ୍ଠି ହୋଇଛି। ସାରର ଅଭାବ ଏବେ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁଁ ଜିଲ୍ଲାରେ ଖରିଫ ଧାନ ଚାଷ ବିଳମ୍ବିତ ହୋଇଛି। ସମୁଦାୟ ଜମିର ମାତ୍ର ୧୫ ପ୍ରତିଶତ ଜମିରେ ବୁଣାବୁଣି ହୋଇଥିବା ବେଳେ ୮୫ ପ୍ରତିଶତ ଜମି ରୋଇବାକୁ ରହିଛି। ଏବେ ଚାଷୀ ରୁଆ ପୋତା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ତାକୁ ସାର ମିଳୁନି। ତଳି ସାର ଭାବେ ବ୍ୟବହାର ହେଉଥିବା ଡିଏପି ଏବଂ ପଟାସ ସାରର ଉତ୍କଟ ଅଭାବ ଏବଂ କଳା ବଜାରୀ ଚାଷୀକୁଳଙ୍କୁ ଚିନ୍ତାରେ ପକାଇଛି। ସରକାରୀ ଡିପୋରେ ଏହି ସାର ମିଳୁନଥିବା ବେଳେ ସାର କଳା ବଜାରୀ ଏହାର ଫାଇଦା ଉଠାଉଛନ୍ତି। ଚାଷୀଙ୍କୁ ଖୋଲା ବଜାରରେ ଏହାକୁ ବସ୍ତାପିଛା ୩୦୦ ରୁ ୪୦୦ ଟଙ୍କା ଅଧିକ ଦର ଦେଇ କ୍ରୟ କରିବାକୁ ପଡୁଛି। ସାରର ଏହି ସଙ୍କଟ ସମୟରେ ସେବା ସମବାୟ ସମିତି ଗୁଡିକ ସରକାରୀ ଡିପୋରୁ ପର୍ଯ୍ୟାପ୍ତ ସାର ଉଠାଉ ନାହାଁନ୍ତି। ଚାଷୀ ମାନେ ପ୍ରାଇଭେଟ ସାର ବେପାରୀଙ୍କ ହାତରେ ଶୋଷଣର ଶିକାର ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ୧୦୮ ଗୋଟି ସେବା ସମବାୟ ସମିତି ରହିଥିଲେ ମଧ୍ୟ ସାର ରଖିବାକୁ ଜାଗା ନଥିବା ଏବଂ ଆଵଶ୍ୟକମତେ ସାର ମିଳୁନଥିବା ଦର୍ଶାଇ ସେଥିରୁ ମାତ୍ର ୨୨ ଗୋଟି ସୋସାଇଟି ଜରିଆରେ ମାତ୍ର ୨ ହଜାର ୮୦୦ କ୍ବିଣ୍ଟାଲ ସାର ଉଠାଇଛନ୍ତି। ଏହି ସାର ଚାଷୀଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ହୋଇଛି।

ଜିଲ୍ଲା କୃଷି ବିଭାଗ ସୂଚନା ଅନୁଯାୟୀ, ଚଳିତବର୍ଷ ଜିଲ୍ଲା ପାଇଁ ୩୭ ହଜାର ମେଟ୍ରିକ ଟନ ସାରର ଆଵଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ଜିଲ୍ଲାକୁ ମାତ୍ର ୧୭ ହଜାର ୯୫୩ କୁଇଣ୍ଟାଲ ସାର ଯୋଗାଣ ହୋଇଛି। ସବୁଠାରୁ ବଡ଼ କଥା ହେଲା ଖରିଫ ବେଉଷଣର ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲାରେ ୨୧ ହଜାର ମେଟ୍ରିକ ଟନ୍‌ ସାରର ଆଵଶ୍ୟକତା ରହିଥିବା ବେଳେ ଜିଲ୍ଲାକୁ ପ୍ରାୟ ୫ ହଜାର ମେଟ୍ରିକ ଟନ ସାର କମ ଯୋଗାଣ ହୋଇଛି। ସେଥିରେ ପୁଣି ତଳି ସାର ଭାବେ ବହୁଳ ଭାବେ ଦରକାର ହେଉଥିବା ଡିଏପି ସାରର ନିୟଣ୍ଟିଆ ପରିସ୍ଥିତି ଚାଷୀକୁଳଙ୍କୁ ହତାସ କରିଛି। କତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଆଵଶ୍ୟକତାକୁ ଆଖିରେ ରଖି ଆମେ ଜିଲ୍ଲାପାଇଁ ଅଧିକ ୨୫୦୦ ମେଟ୍ରିକ ଟନ କେବଳ ଡିଏପି ସାର ମାଗିଛୁ।

ତେବେ ଚଳିତବର୍ଷ ଜିଲ୍ଲାରେ ୧ ଲକ୍ଷ ୬୧ ହଜାର ୫୦୦ ହେକ୍ଟର ଜମିରେ କେବଳ ଖରିଫ ଧାନ ଚାଷ ପାଇଁ ୧୪ ହଜାର ୩୨୨ ହେକ୍ଟର ଜମିରେ ତଳିର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସାର, ବିହନ ଏବଂ ଜଳ ଅଭାବ ଯୋଗୁଁ ମାତ୍ର ୭ ହଜାର ୫୨୩ ହେକ୍ଟର ଜମିରେ ତଳିପକା କାମ ସମ୍ଭବ ହୋଇଛି। ଯେଉଁଥିରେ ପାଖାପାଖି ୭୫ ହଜାର ହେକ୍ଟର ଜମି ରୁଆ ହୋଇ ପାରିବ। ତେଣୁ ଅବଶିଷ୍ଟ ଜମି ପାଇଁ ଖୁବଶୀଘ୍ର ଅଧିକ ତଳିପକାର ଆଵଶ୍ୟକତା ରହିଛି। ଏଥିପାଇଁ ଜିଲ୍ଲାକୃଷି ବିଭାଗଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଏବଂ ବିହନର ଆଵଶ୍ୟକତା ରହିଛି। ଅନ୍ୟପକ୍ଷରେ ତଳି ସାର ଡିଏପିର ଅଭାବ ଭରଣା କରିବାକୁ ଜିଲ୍ଲାରେ ପ୍ରଚୁର ପରିମାଣରେ ମହଜୁଦ ଥିବା ସିଙ୍ଗଲ ସୁପର ଫସଫଟ ସାର ବ୍ୟବହାର କରିବାକୁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। କାରଣ ଅତ୍ୟଧିକ ଡିଏପି ସାର ପ୍ରୟୋଗ କୃଷି କ୍ଷେତ୍ରରେ ଅମ୍ଳ ବୃଦ୍ଧି କରି ଉତ୍ପାଦନ ହାନି କରିବାର ଆଶଙ୍କା କରି କତ୍ତୃପକ୍ଷ ଚାଷୀଙ୍କୁ ଏହି ସାର ବ୍ୟବହାର କରିବାକୁ କହିଛନ୍ତି। ତେବେ ଡିଏପି ସାରର ଏହି ନିଅଣ୍ଟିଆ ପରିସ୍ଥିତି ବେଳେ ଜିଲ୍ଲା କୃଷି ବିଭାଗର ଏହି ପରାମର୍ଶ ଚାଷୀ ଗ୍ରହଣ କରିବାକୁ ନାରାଜ।

ସମ୍ବନ୍ଧିତ ଖବର