ରାୟଗଡ଼ା: ଜିଲ୍ଲା ଚାଷୀଙ୍କୁ ସାର ମିଳୁନି, କିନ୍ତୁ ବିକ୍ରି କରାଯାଇଛି ବାହାର ଜିଲ୍ଲାରେ। ତାହା ପୁଣି ଚାଷୀ ବଦଳରେ ସରକାରୀ ଅଧିକାରୀଙ୍କୁ। ଏପଟେ ଲ୍ୟାମ୍ପସ ରେକର୍ଡରେ ଚାଷୀକୁ ୭୦ ବର୍ଷା ସାର ଦିଆଯାଇଥିବା ଉଲ୍ଲେଖ ରହିଥିବା ବେଳେ ପ୍ରକୃତରେ ଚାଷୀ ପାଇଛି ୨ ବସ୍ତା। ଚାଷୀଙ୍କୁ ସାର ଯୋଗାଣ ନାଁରେ ଏପରି ବଡ଼ ଧରଣର ଦୁର୍ନୀତି ଏବେ ପଦାକୁ ଆସିଛି। ଯାହାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ।
ଖରିଫ୍ ଫସଲ ପାଇଁ ଲ୍ୟାମ୍ପସ, ଏମପିସିଏସ୍, ଡିଲର ଓ ରିଟେଲରଙ୍କ ଜରିଆରେ ଚାଷୀଙ୍କୁ ସାର ଯୋଗାଇବାର ବ୍ୟବସ୍ଥା କରିଛନ୍ତି ସରକାର। ଚଳିତ ବର୍ଷ ୧୪ ହଜାର ମେଟ୍ରିକ୍ ଟନ୍ ୟୁରିଆର ଆବଶ୍ୟକତା ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରିପୋର୍ଟ ଦେବା ପରେ ସରକାର ସେହି ଅନୁଯାୟୀ ସାର ପଠାଇବା ଆରମ୍ଭ କରିଛନ୍ତି। ଏଯାବତ୍ ଜିଲ୍ଲାକୁ ୧୦ ହଜାର ୮୦୦ ମେଟ୍ରିକ୍ ଟନ୍ ସାର ପହଞ୍ଚିଛି। ବଳକା ଆବଶ୍ୟକ ୩ ହଜାର ୨ ଶହ ମେଟ୍ରିକ୍ ଟନ୍ ଆସି ପାରିନି। ଆସିଥିବା ୧୦ ହଜାର ୮୦୦ ମେଟ୍ରିକ୍ ଟନ୍ ୟୁରିଆ ମଧ୍ୟରୁ ୩୬୯୦ ମେଟ୍ରିକ୍ ଟନ୍ ୟୁରିଆ ୧୩ଟି ଲ୍ୟାମ୍ପସ, ଗୋଟିଏ ଏମପିସିଏସ୍ ଜରିଆରେ ଏବଂ ମାର୍କଫେଡ୍ ୧ ହଜାର ଟନ୍ ୟୁରିଆ କ୍ୟାସସେଲରେ ରିଟେଲରକୁ ବିକ୍ରି କରିଛି। ବଳକା ୟୁରିଆ ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ ଜରିଆରେ ହୋଲସେଲରଙ୍କୁ ଦିଆଯାଇଛି। ଯେଉଁଥିରେ ବ୍ୟାପକ ଅନିୟମିତତା ହୋଇଛି। ଚାଷୀଙ୍କ ବଦଳରେ ସାର କଳାବଜାରୀ କରି ଲକ୍ଷାଧିକ ଟଙ୍କାର ମୁନାଫା କମାଇବା ପାଇଁ ଅସାଧୁ ଡିଲରଙ୍କ ସହ ଲ୍ୟାମ୍ପସ-ଏମପିସିଏସ୍-ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ କର୍ମଚାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇଛି।
ଚାଷୀଙ୍କ ନାଁରେ ସାର ଉଠାଇ ଖୋଲା ମାର୍କେଟରେ ବିକ୍ରି କରାଯାଉଛି। ଯେଉଁଥିରୁ ବସ୍ତା ପିଛା ୨୭୦ ଟଙ୍କାରୁ ଅଧିକ ମୁନାଫା ଆସୁଛି। ଅନ୍ୟପକ୍ଷରେ ସର୍ବାଧିକ ସାର କିଣିଥିବା ଜିଲ୍ଲାର ୨୦ ଚାଷୀଙ୍କ ରେକର୍ଡପତ୍ରରେ ମଧ୍ୟ କୌଣସି ତାଳମେଳ ନାହିଁ। ଲ୍ୟାମ୍ପସ, ଏମପିସିଏସରୁ ସର୍ବାଧିକ ସାର ଏହି ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବେଳେ ଆଧାର କାର୍ଡ ସହ ଠିକଣା ମେଳ ଖାଉନି। ଯାହା ସାର କଳାବଜାରୀ ପାଇଁ ହୋଇଥିବା ଦୁର୍ନୀତିକୁ ସ୍ପଷ୍ଟ କରୁଛି। ସାର କିଣିବା ସମୟରେ ଆଧାରକାର୍ଡ ସହ ଚାଷୀଙ୍କ ଫିଙ୍ଗର ପ୍ରିଣ୍ଟକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ହେଲେ ନୀତି, ନିୟମକୁ ଉଲ୍ଲଂଘନ କରି ଲ୍ୟାମ୍ପସ, ଏମପିସିଏସ ଓ ଡିଲରମାନେ ସାର ବିକ୍ରି କରିଛନ୍ତି। ଏପରିକି ରାୟଗଡ଼ା ଏମପିସିଏସ୍ କର୍ତ୍ତୃପକ୍ଷ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଓ କୋଟଗଡ଼ ରେଞ୍ଜରକୁ ସାର ବିକ୍ରି କରିଥିବା ନେଇ ରେକର୍ଡରେ ଉଲ୍ଲେଖ କରିଛନ୍ତି।
କନ୍ଧମାଳ ଜିଲ୍ଲାରେ ସମବାୟ ସମିତି ସହ କୃଷି ବିଭାଗ ସାର ଯୋଗାଇବାକୁ ଥିବା ବେଳେ ତୁମୁଡିବନ୍ଧ ଓ କୋଟଗଡ଼ ରେଞ୍ଜର କାହିଁକି ରାୟଗଡ଼ାରୁ ସାର କିଣିଲେ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ସେହିପରି ରାୟଗଡ଼ାର ଏକ ଚାଷୀଙ୍କ ୫ ଏକର ଜମି ଥିବା ବେଳେ ସଂପୃକ୍ତ ଚାଷୀ ପ୍ରକୃତରେ ୨ ବସ୍ତା ୟୁରିଆ ନେଇଛନ୍ତି। ଲ୍ୟାମ୍ପସ କର୍ତ୍ତୃପକ୍ଷ କିନ୍ତୁ ରେକର୍ଡରେ ଉକ୍ତ ଚାଷୀଙ୍କ ନାଁରେ ୭୦ ବସ୍ତା ଦେଖାଇଛନ୍ତି। କେବଳ ରାୟଗଡ଼ା ନୁହେଁ, ମୁନିଗୁଡା, ଗୁଣପୁର, କଲ୍ୟାଣସିଂହପୁର ସମେତ ଅନ୍ୟ ଲ୍ୟାମ୍ପସରେ ମଧ୍ୟ ଆଖିବୁଜା ଦୁର୍ନୀତି ହୋଇଛି। ଆଇନ ବାହାରେ ସାର ବିକ୍ରି କରିବା ଅଭିଯୋଗରେ ମୁନିଗୁଡା କୃଷି ଜିଲ୍ଲା ଅଧିକାରୀ ହିରଂଜନ ମହାନ୍ତ ମୁନିଗୁଡା ଲ୍ୟାମ୍ପସ ସମେତ ୩ ଡିଲରଙ୍କୁ ନୋଟିସ୍ ଜାରି କରିଛନ୍ତି। ସେହିପରି ଗୁଣପୁର କୃଷି ଜିଲ୍ଲା ଅଧିକାରୀ ବାବାଜୀ ଚରଣ ବେହେରା କ୍ଷମତା ବାହାରେ ସାର ଉଠାଇ ବିକ୍ରି କରିବା ଅଭିଯୋଗରେ ସୁଭଦ୍ରାପୁର ଡିଲରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ ମଧ୍ୟ ମନଇଚ୍ଛା ହୋଲସେଲରଙ୍କୁ ସାର ଯୋଗାଇଛି। ଯାହାର ବାଟମାରଣା ହୋଇଛି। ସାର କଳାବଜାରୀକୁ ନେଇ ଏପରି ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହିତ ସାର ହେରଫେରରେ ସଂପୃକ୍ତ ଡିଲର, ଲ୍ୟାମ୍ପସ, ଏମପିସିଏସ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବାକୁ ଜିଲ୍ଲାପାଳ ରାୟଗଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏବଂ ସମବାୟ ସମିତି ସମୂ୍ହ ଉପନିବନ୍ଧକ, ରାୟଗଡ଼ା ବିଭାଜନଙ୍କୁ ନିର୍ଦେଶ ଦେଇଛନ୍ତି। ଉଭୟ ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/RGD_Fertilizer-Inquiry.jpg)