ମକର ସଂକ୍ରାନ୍ତିରେ ସଙ୍ଗାତ ବସନ୍ତି ଏବଂ ଜୀବନ ସାରା ସାଙ୍ଗ ହୋଇ ରହିବା ପାଇଁ ପ୍ରତିଶ୍ରୁତି ଦିଅନ୍ତି ମୟୂରଭଂଜର ଯୁବକ-ଯୁବତୀ

ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ମକର ପର୍ବ ଓ ଟୁସୁ ମେଳା

ରାଇରଙ୍ଗପୁୁର (ତୁଷାରକାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାରେ ଏହି ଆଧ୍ୟାତ୍ମିକତାର ପର୍ବ ମକର ସଂକ୍ରାନ୍ତିକୁ ବହୁ ଜାକ ଜମକ ସହିତ ପାଳନ କରାଯାଏ। ଏହି ପର୍ବ ସାଧାରଣତଃ ମୟୂରଭଞ୍ଜ, କେନ୍ଦୁଝର ଏବଂ ପଡୋଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରେ ମକର ପର୍ବ ସହିତ ଟୁସୁ ପର୍ବକୁ ଏହି ଅଞ୍ଚଳର ଲୋକମାନେ ବହୁ ଜାକଜମକ ସହକାରେ ପାଳନ କରିଥାନ୍ତି। ମକର ସଂକ୍ରାନ୍ତିର ପୂର୍ବ ଦିନକୁ ମକର ବାଉଣ୍ଡି ବା ମକର ମିଳନ ରୂପେ ପାଳିତ ହୋଇଥାଏ। ବାଉଣ୍ଡି ଦିନ ଘରର ସ୍ତ୍ରୀ ଲୋକ ମାନେ ଉପବାସ କରି ମକର ପ୍ରସ୍ତୁତିର ପିଠାପଣା ଇତ୍ୟାଦି କରିବା ପାଇଁ ଢିଙ୍କିକୁ ଧରି ଅରୁଆ ଚାଉଳର ଚୁନା କରିଥାନ୍ତି ଏବଂ ସେହି ରାତ୍ରିରେ ବିଭିନ୍ନ ପ୍ରକାର ପିଠାପଣା ପ୍ରସ୍ତୁତ କରିଥାନ୍ତି।

ମକର ସଂକ୍ରାନ୍ତି ଦିନ ଅବିବାହିତ ଯୁବକଯୁବତୀ, ବାଳକବାଳିକା, ବୃଦ୍ଧବୃଦ୍ଧା ମାନେ ଜଳାଶୟକୁ ଯାଇ ବୁଡ ପକାଇଥାନ୍ତି ବୁଡ ପକାଇସାରି ଆଗରୁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଡାଳପତ୍ରର କୁଡିଆ, କୁମା ତିଆରି କରିଥାନ୍ତି। ତାହାକୁ ଅଘିରା ବୋଲି କୁହାଯାଏ। ବୁଡ ପକାଇସାରିଲା ପରେ ଅଘିରାକୁ ଜଳାଇ ସେଥିରେ ସେକି ହୋଇ ବାଣରସଣି ଫୁଟାଇ ସକାଳେ ଘରକୁ ଫେରିଥାନ୍ତି। ଏହାକୁ ମକର ବୁଡ କୁହାଯାଏ। ବିଶ୍ୱାସ କରାଯାଏ ଯେ ମକର ବୁଡ ପକାଇଲେ ବର୍ଷକର ସବୁ ଅଶୁଭ ବା ପାପ ଦୂର ହୋଇଥାଏ ଏବଂ ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆତ୍ମ ସନ୍ତୋଷ ମିଳିଥାଏ।

ସେହିପରି ଠିକ ମକର ସଂକ୍ରାନ୍ତି ଦିନ ସମସ୍ତଙ୍କ ଘରେ ପିଠାପଣା ଇତ୍ୟାଦି କରି ବନ୍ଧୁ ବାନ୍ଧବ ମାନଙ୍କୁ ପରସ୍ପର ଘରକୁ ନିମନ୍ତ୍ରିତ କରିଥାନ୍ତି ଏବଂ ପରସ୍ପର ଭିତରେ ଅତୁଟ ବନ୍ଧନ ଥିବା ଯୁବକ-ଯୁବତୀ ତଥା ବାଳକବାଳିକା ମାନେ ମକର ସଙ୍ଗାତ ବସନ୍ତି ଏବଂ ଜୀବନ ସାରା ସାଙ୍ଗ ହୋଇ ରହିବା ପ୍ରତିଶ୍ରୁତି ଦିଅନ୍ତି। ଏହାକୁ ମକର ମିଳନ କୁହାଯାଇଥାଏ। କିମ୍ବଦନ୍ତି ଅନୁସାରେ ଏକଦା ଟୁସୁ ନାମରେ ଜଣେ ଦେବି ଥିଲେ। ସେହି ଟୁସୁ ଦେବୀ ଜଣେ ବିଧର୍ମୀ କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ଟୁସୁ ଦେବୀ ଅତିତରେ ନିଜେ ଗଭିର ଜଳାଶୟକୁ ବିସର୍ଜନ କରିଥିଲେ। ଏଣୁ ଲୋକମାନେ ଟୁସୁଦେବୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଟୁସୁ ଦେବୀଙ୍କୁ ପୂଜା କରିଥାନ୍ତି ଏବଂ ଝିଅମାନେ ନିଜର ସମ୍ମାନ ଗୁରୁତ୍ୟପୂର୍ଣ୍ଣ ବୋଲି ପ୍ରତିପାଦିତ କରନ୍ତି। ଏହି ସମୟରେ ହାଟବଜାରରେ ଛୋଟରୁବଡ ବିଭିନ୍ନ ପ୍ରକାରର ଟୁସୁ ପ୍ରତିମା ମାନ ମିଳିଥାଏ।  

Sambad

ସେହି ଟୁସୁ ଦେବୀଙ୍କୁ ନେଇ ସୁନ୍ଦର ଭାବରେ ଗୀତକୁ ସଜାଇ (ଟୁସୁ କାହାଣୀ) ଗୀତ ଗାଇ ଗାଇ ଘରକୁ ଘର ଦାଣ୍ଡ ବୁଲି ବୁଲି ଟୁସୁମେଳା ବା ଟୁସୁ ଭସାଇବାକୁ ନେଇଥାନ୍ତି ଏବଂ ବହୁତ ଜାକଜମକରେ ନଦୀ ବା ପୋଖରୀରେ ବସର୍ଜନ କରିଥାନ୍ତି। ଠିକ୍ ସେହିପରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପିତୃ ପୁରୁଷଙ୍କ ପିଣ୍ଡ ଦାନ, ମକର ସଂକ୍ରାନ୍ତି ଦିନ କରିଥାନ୍ତି ଏବଂ ଲୋକମାନଙ୍କୁ ନୂତନ ଲୁଗାପଟା, କଂସା ବାସନ, ଗଷଣା ଇତ୍ୟାଦି ସାମଗ୍ରୀ ଦାନକରି ପୋରଲୋକରେ ଥିବା ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥାନ୍ତି ଏବଂ ସେହିସ୍ଥଳରେ ମାଦଲ, ଧୁମସା ଓ ବଇଁଶି ବଜାଇ ଝୁମି ଉଠନ୍ତି। ଏହାକୁ ଦାମଦର ବୋଲି କୁହାଯାଇଥାଏ।

ମକର ସଂକ୍ରାନ୍ତି ଦିନଠାରୁ ବିଭିନ୍ନ ଗ୍ରାମରେ ଟୁସୁ ମେଳା ଓ କ୍ରୀଡା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥାଏ। ତା’ ସହିତ କୁକୁଡା ଲଢେଇ ଏହି ପର୍ବକୁ ଅଧିକ ରୋମାଞ୍ଚକ କରିଥାଏ। ଏବେ କିନ୍ତୁ ଏହି ପର୍ବକୁ ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ବଡପର୍ବ ଭାବେ ପାଳନ କରାଯାଏ। ବର୍ତ୍ତମାନ ନାରୀ ମାନଙ୍କର ସୁରକ୍ଷା ନେଇ ଚାରି ଆଡେ ଚର୍ଚ୍ଚା ଓ ସଚେତନତାର ପ୍ରଚାର ଚାଲିଛି। ଗୋଟିଏ ଅଘଟଣ ଘଟିଲେ ପ୍ରତିବାଦ ଜଣାଇବା ପାଇଁ ଓ ଦୋଷୀକୁ ଦଣ୍ଡ ଦେବା ପାଇଁ କିଛିଦିନ ହୋହାଲ୍ଲା, ଦଙ୍ଗା ପରେ ସବୁ ଗଣନଗତକ ରିତିରେ ଚାଲିଛି। ଏଠାରେ ଅପରାଧ ପାଇଁ କଡା ନିମ କାନୁନ ମଧ୍ୟ ପ୍ରଣୟନ କରାଯାଇଛି। ତଥାପି ନାରୀ ମାନଙ୍କ ପ୍ରତି ର୍ଦୁବ୍ୟବହାର ଓ ଦୁର୍ଷ୍କମର ଘଟଣା ମଧ୍ୟ ବଢିଚାଲିଛି। ଏହି ପରିପ୍ରେକ୍ଷୀରେ ବିଚାର କଲେ ଟୁସୁପର୍ବ ପାଳନ ବହୁତ ଗୁରୁତ୍ୟ ବହନ କରେ। ବାସ୍ତବରେ ପୁରାତନ ଯୁଗରୁ ପାଳିତ ହୋଇ ଆସୁଥିବା ଟୁସୁ ଉତ୍ସବର ତାତ୍ପର୍ଯ୍ୟକୁ ଅନୁସିଳନ କଲେ କୁଡୁମୀ ମାନଙ୍କର ଏହି ପର୍ବ ମାଧ୍ୟମରେ ଯୁବତୀ ମାନଙ୍କର ଆସାମାଜିକ ମାନଙ୍କ ବିରୋଧରେ ଏକ ସ୍ପଷ୍ଟ ପ୍ରତିବାଦ ପରି ମନେ ହୁଏ।

ସମ୍ବନ୍ଧିତ ଖବର