୧୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପିରେ ବିଦ୍ରୋହ ତେଜୁଛି

ବାଲିଅନ୍ତା :ବିଜେଡ଼ିର ଦୁର୍ଗ କୁହାଯାଉଥିବା ୧୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ରାଜନୈତିକ ପରିସ୍ଥିତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ବିଭିନ୍ନ ରାଜନୈତିକ  ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ସରଗରମ ହୋଇପଡ଼ିଥିବା ବେଳେ ଭୋଟରଙ୍କ ମହଲରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି। ବିଜେପି ଏବଂ କଂଗ୍ରେସ ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର ସ୍ଥଳ ବିଶେଷରେ ସେତେଟା ଆଖିଦୃଶିଆ ହୋଇନଥିବା ବେଳେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଛି।  ବିଜେଡ଼ି ସମର୍ଥକଙ୍କ ଭାବାବେଗ ଏବଂ ପ୍ରଚାରରୁ ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ମଙ୍ଗରାଜ ବେହେରାଙ୍କ ସ୍ଥିତି ସୁଦୃଢ଼ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହିକ୍ରମରେ ବିରୋଧୀ ରାଜନୈତିକ ଦଳ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ କୁମାର ବେହେରା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ପ୍ରଚାର ବେଳେ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ତା’ ପରଠାରୁ ଦିଲ୍ଲୀପଙ୍କ ପ୍ରଚାର ଭୋଟରମାନଙ୍କୁ ସେଭଳି ପ୍ରଭାବିତ କରୁନଥିବା ଲକ୍ଷ କରାଯାଉଛି।

ଅନ୍ୟପକ୍ଷରେ ସ୍ଥାନୀୟ ବିଜେପି ସଂଗଠନରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ବିଦ୍ରୋହ ସବୁ ସୀମା ଟପିଯାଇଛି। ବିଗତ ଦିନରୁ ପଞ୍ଚାୟତ ନିର୍ବାଚନ ଯାଏ ବିଭିନ୍ନ ସଭା ସମିତରେ ଦଳୀୟ ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ବାରିହୋଇପଡ଼ୁଛି। ତେଣୁ ସାଧାରଣ ନିର୍ବାଚନ ବେଳଠାରୁ ସ୍ଥାନୀୟ ସଂଗଠନରେ ଦେଖାଦେଇଥିବା ଦଳୀୟ ଅସନ୍ତୋଷ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜିଲ୍ଲାପରିଷଦ ଦଳୀୟ ପ୍ରାର୍ଥୀ  ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଅଣ୍ଟି ଛୁରି ତଣ୍ଟି କାଟିବା ନ୍ୟାୟରେ ବିଦ୍ରୋହୀ ବିଜେପି ସମର୍ଥକ ଏବେ ବିଜେଡ଼ି ମୁହାଁ ହୋଇଥିବା ଜଣାପଡ଼ିଛି। ତେଣୁ ଦଳୀୟ ଟିକେଟ ନପାଇବା କାରଣରୁ ଆଶାୟୀ ସମର୍ଥକ ଗୋଷ୍ଠୀ ମଧ୍ୟ ବିଦ୍ରୋହ ଆରମ୍ଭ ‌କରିଛନ୍ତି। ବିଜେପିରେ ଦଳୀୟ ଅନ୍ତର୍ଦ୍ବନ୍ଦ୍ବ ନେଇ ବିଦ୍ରୋହୀ ସମର୍ଥକଙ୍କ  ଭୋଟ  ବିଜେଡ଼ି ସପକ୍ଷରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। କଂଗ୍ରେସ ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜନ କୁମାର ଭୋଇ ଅନୁରୂପ ଭାବେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସମର୍ଥକଙ୍କ ସହ ବିଭିନ୍ନ ପଞ୍ଚାୟତରେ ଜୋରଦାର ପ୍ରଚାର ଚଳାଇଛନ୍ତି।

ସମ୍ବନ୍ଧିତ ଖବର