୧୧ ଖଣ୍ଡ ଗାଁରେ ବ୍ୟାପିଲା ଜ୍ବର, କାଶ, ଥଣ୍ଡା, ଭୟଭୀତ ଅବସ୍ଥାରେ ଆଦିବାସୀ 

୩ ଥର ନିରାଶ ହୋଇ ଫେରିଲାଣି ସ୍ବାସ୍ଥ୍ୟ ବିଭାଗ ଟିମ୍

ରାୟଗଡ଼ା: ୪/୫ ଦିନ ହେଲା ବ୍ୟାପିଲାଣି ଜ୍ବର, କାଶ, ଥଣ୍ଡା। ଆକ୍ରାନ୍ତ ହୋଇଛନ୍ତି ଶତାଧିକ ଲୋକ। ସ୍ବାସ୍ଥ୍ୟକର୍ମୀ ମେଡ଼ିସିନ୍ ଦେଇଥିଲେ ମଧ୍ୟ ଜ୍ବର କମୁନି। ଭୟରେ ଗାଁ ଲୋକ ମେଡ଼ିକାଲକୁ ନ ଆସି ଘରେ ପଡ଼ି ରହିଥିବାରୁ କରୋନା ସ୍ବାବ ଟେଷ୍ଟିଂ ମଧ୍ୟ ହୋଇପାରୁନି। ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ତାଲିକା ସହ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ ମଧ୍ୟ ଆଜି ସ୍ବାବ ଟେଷ୍ଟିଂ ପାଇଁ ଗ୍ରାମବାସୀ ସହଯୋଗ କରୁନାହାନ୍ତି। ଫଳରେ ରାୟଗଡ଼ା ବ୍ଲକ୍ ବୈରାଗୀହାଲୁଆ ପଞ୍ଚାୟତର ୧୧ ଖଣ୍ଡ ଆଦିବାସୀ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମିଳିଥିବା ସୂଚନାନୁଯାୟୀ, ବୈରାଗୀ ହାଲୁଆ ପଞ୍ଚାୟତର ଗୁରୁରାଜୁଗୁଡା, ଉଶୁରିକାପାଡୁ, ବେଣିଆଡାଙ୍ଗ, ଗୋସେଇଁ କଣ୍ଟୁଆ, ଉମରବାଲି, ସାନ ଲୁକୁଟି, ବଡଲୁକୁଟି, ବ୍ରାହ୍ମଣ ହାଲୁଆ ପରି ୧୧ ଖଣ୍ଡ ଗ୍ରାମରେ ଜ୍ବର ବ୍ୟାପିଛି। ଖବର ପାଇ ଆଶା ଦିଦି, ଅଙ୍ଗନବାଡିକର୍ମୀ, ସ୍ୱାସ୍ଥ୍ୟକର୍ମୀ ଗାଁରେ ପହଞ୍ଚି ମେଡ଼ିସିନ୍ ପ୍ରଦାନ କରିଛନ୍ତି।

ଜ୍ବର ହୋଇଥିବା ଆକ୍ରାନ୍ତଙ୍କୁ ପାରାସିଟାମଲ୍, କାଶ/ଥଣ୍ଡା ହୋଇଥିବା ଲୋକଙ୍କୁ ସେହି ଅନୁଯାୟୀ ମେଡ଼ିସିନ୍ ପ୍ରଦାନ କରିଛନ୍ତି। ହେଲେ ମେଡ଼ିସିନ୍ ଦ୍ବାରା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିପାରୁନି। ଆକ୍ରାନ୍ତ ଲୋକଙ୍କ ସ୍ବାବ ଟେଷ୍ଟିଂ କରିବା ପାଇଁ ମେଡ଼ିକାଲ୍ ଟିମ୍ ଇତି ମଧ୍ୟରେ ଗାଁକୁ ୩ ଥର ଗଲାଣି। କିନ୍ତୁ କରୋନା ପଜିଟିଭ୍ ବାହାରିଲେ ମେଡ଼ିକାଲରେ ରଖିଦେବା ଭୟରେ ଗ୍ରାମବାସୀ ତାଟି କବାଟ ପକାଇ ଘରେ ରହୁଛନ୍ତି।  ଫଳରେ ଆକ୍ରାନ୍ତ ଆଦିବାସୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଗୋଟିଏ ଗୋଟିଏ ପରିବାରର ୩ରୁ ୪ ସଦସ୍ୟ ଜ୍ବର, କାଶରେ ଆକ୍ରାନ୍ତ ହୋଇ ପଡ଼ି ରହିଛନ୍ତି। ଗାଁ ଗାଁରେ ଜ୍ବର ବ୍ୟାପିଥିବାରୁ ଗାଁ ଲୋକ ଭୟରେ ଘରୁ ନ ବାହାରିବା ଯୋଗୁ ଗାଁ ଗୁଡ଼ିକ ଖାଁ ଖାଁ ହୋଇ ପଡ଼ିଛି। ବିଭିନ୍ନ ଗାଁରେ ବୈରାଗୀ ହାଲୁଆ ପଞ୍ଚାୟତର ସ୍ବଂୟ ସହାୟକ ଗୋଷ୍ଠୀ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି।

ଆଦିବାସୀ ଗାଁ ଗୁଡ଼ିକରେ ସଚେତନତାର ଘୋର ଅଭାବ ଲାଗି ରହିଥିବାରୁ ଗୋଷ୍ଠୀ ସଂକ୍ରମଣ ହେବା ନେଇ ଆଶଙ୍କା ଦେଖା ଦେଇଛି। ଏ ସଂପର୍କରେ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଦୀପ୍ତ କୁମାର ସୁବୁଦ୍ଧିଙ୍କୁ ପଚାରିବାରୁ ଗୁରୁରାଜୁଗୁଡ଼ା ଗ୍ରାମରୁ କିଛି ଦିନ ତଳେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରଠୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଏହି ସବୁ ଗାଁକୁ ଆକ୍ରାନ୍ତଙ୍କ ସ୍ବାବ ଟେଷ୍ଟିଂ କରିବା ପାଇଁ ଯାଉଛି। କିନ୍ତୁ ଗ୍ରାମବାସୀ ସହଯୋଗ କରୁନଥିବାରୁ ସ୍ବାବ ଟେଷ୍ଟିଂ ହୋଇପାରୁନି। ବୈରାଗୀହାଲୁଆ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ଡା. ସୁବୁଦ୍ଧି କହିଛନ୍ତି। ଆଦିବାସୀ ଗାଁରେ କରୋନା ବ୍ୟାପିବା ପୂର୍ବରୁ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ଆକ୍ରାନ୍ତଙ୍କ କରୋନା ଟେଷ୍ଟିଂ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର