ରାୟଗଡ଼ା ଜିଲ୍ଲା ଶିକ୍ଷା ବିଭାଗରେ ହଟଚମଟ: ସ୍କାନରରେ ୫୯ ନକଲି ଶିକ୍ଷକ, ୩ ଶିକ୍ଷକଙ୍କ ନାଁରେ ମାମଲା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶିକ୍ଷା ବିଭାଗ ନିଯୁକ୍ତିରେ ହୋଇଛି ଜାଲିଆତି। ଜାଲ୍ ସାର୍ଟିଫିକେଟ୍ ଦେଇ ଅଯୋଗ୍ୟ ହାତେଇଛନ୍ତି ଚାକିରୀ। ବର୍ଷବର୍ଷ ଧରି ଏହି ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଆରମ୍ଭ ହୋଇଛି ଧରପଗଡ଼। ରାଜ୍ୟ ସରକାରଙ୍କ ନିର୍ଦେଶରେ ଶିକ୍ଷା ବିଭାଗ ଯାଞ୍ଚ କରି ୩ ଶିକ୍ଷକଙ୍କ ବିରୁଦ୍ଧରେ ଏତଲା ଦେବା ପରେ ରାୟଗଡ଼ା ପୁଲିସ୍ ରୁଜୁ କରିଛି ମାମଲା। ସେପଟେ ବିଭାଗୀୟ ନିର୍ଦେଶକୁ ଅବମାନନା ସହ ତଦନ୍ତରେ ଶିତଳତା ଯୋଗୁ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ୍ ମାଝୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ।

ଜାଲ୍ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତର ସହ ନେଇ ଏହାର ତଦନ୍ତ କରି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ଭୟରେ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରୀ ହା‌ତେଇଥିବା ୨/୩ ଶିକ୍ଷକ ଗତବର୍ଷ ନିଜ ଆଡୁ ଚାକିରୀ ଛାଡ଼ି ପଳାଇଥିଲେ। କିନ୍ତୁ ଆନ୍ଧ୍ରପ୍ରଦେଶ, ଆସାମ, ତାମିଲନାଡ଼ୁ, କାଶ୍ମୀର, ମଧ୍ୟପ୍ରଦେଶ, ଦିଲ୍ଲୀର ବିଭିନ୍ନ ବିଶ୍ବ ବିଦ୍ୟାଳୟରୁ ନକଲି ବିଇଡି ସାର୍ଟିଫିକେଟ୍ ଆଣି ବହୁ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଯାହାର ତଦନ୍ତ ଚାଲିଛି। ଜାଲ୍ ସାର୍ଟିଫିକେଟରେ ଚାକିରୀ କରିଥିବା ୫୯ ଶିକ୍ଷକ ଏବେ ବିଭାଗୀୟ ସ୍କାନରରେ ଥିବାବେଳେ ଏମାନଙ୍କ ସଂପର୍କରେ ଶିକ୍ଷା ବିଭାଗ ସଂପୃକ୍ତ ବିଶ୍ବବିଦ୍ୟାଳୟକୁ ତଥ୍ୟ ମାଗିଛି। ତଥ୍ୟ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ୨୦୦୩, ୨୦୦୫, ୨୦୧୨ ଓ ୨୦୧୮ରେ ହୋଇଥିବା ଶିକ୍ଷା ସହାୟକ ନିଯୁକ୍ତି ସମୟରେ ଏହି ଜାଲିଆତି ହୋଇଥିବା ଅଭିଯୋଗ ହୋଇ ଆସୁଛି। ଯାହାର ସମସ୍ତ ସୂଚନା ଶିକ୍ଷା ବିଭାଗର ଅସାଧୁ ଅଫିସରଙ୍କ ପାଖରେ ରହିଛି। ହେଲେ ସଲାସୁତୁରା ପାଇଁ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଛି।

ଶିକ୍ଷା ବିଭାଗର ତଦନ୍ତ ନିର୍ଦେଶ ସତ୍ତ୍ବେ ଅସାଧୁ ଅଫିସରଙ୍କ ହସ୍ତକ୍ଷେପ ଯୋଗୁ ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବା ପରେ ବିଭାଗ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଡିଇଓ ଏବଂ ଏଡିଇଓଙ୍କ ଦରମା ବନ୍ଦ କରିଛି। ଯାହା ରାୟଗଡ଼ା ଶିକ୍ଷା ବିଭାଗରେ ହଟଚମଟ ସୃଷ୍ଟି କରିଛି। ଏଯାବତ୍ ନକଲି ସାର୍ଟିଫିକେଟରେ ଚାକିରୀ କରିଥିବା କାଶୀପୁର ବ୍ଲକ୍ ଝିରିଗୁମା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନୁକୂଳ ପଦ୍ମନାଭ ବେ‌ହେରା, ବିଷମକଟକ ବ୍ଲକ୍ ବାରଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତପନ ଚୌଧୁରୀ ଏବଂ ରାୟଗଡ଼ା ବ୍ଲକ୍ ମାଣ୍ଡାଙ୍ଗିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପି. ରାଜା ରାଓଙ୍କ ନାଁରେ ମାମଲା ରୁଜୁ ହୋଇଛି। ଶିକ୍ଷା ବିଭାଗର ଅଭିଯୋଗକୁ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି। ଜିଲ୍ଲାର ପ୍ରତି ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ସ୍କୁଲକୁ ଶିକ୍ଷକମାନେ ପାଳି କରି ଯାଉଥିବାରୁ ଶିକ୍ଷା ହାରରେ ଉନ୍ନତି ଆସି ପାରୁନି। ମାଟ୍ରିକ୍ ପରୀକ୍ଷା ଫଳରେ ଏ-୧ ସ୍ଥିତି ବି ଆଶାନୁରୂପକ ହୋଇପାରୁନି। ଏପରି ସ୍ଥଳେ ଜାଲ୍ ଶିକ୍ଷକରେ ପାଠପଢ଼ା ଘଟଣା ଶିକ୍ଷାବିତ୍ ତଥା ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି।

ସମ୍ବନ୍ଧିତ ଖବର