ରାୟଗଡ଼ା: ଆଷାଢ଼ ସରି ଶ୍ରାବଣ ଆସିଲାଣି। ଅଥଚ ରାୟଗଡ଼ା ଜିଲ୍ଲାରେ ସ୍ବାଭାବିକ ହୋଇପାରିନି ବୃଷ୍ଟିପାତ। ଜୁନରେ ୨୬ ପ୍ରତିଶତ କମ୍ ବୃଷ୍ଟିପାତ ଯୋଗୁ ହେକ୍ଟର ହେକ୍ଟର ଜମି ପଡିଆ ପଡ଼ିଛି। ଚାଷୀ ବର୍ଷାକୁ ଚାହିଁ ରହିଥିବାରୁ ଖରିଫ୍ ଚାଷ ବାଧାପ୍ରାପ୍ତ ହୋଇଛି। ଲଘୁଚାପ ପ୍ରଭାବରେ ଜୁଲାଇ ପହିଲାରୁ ବର୍ଷା ଲାଗି ରହିଥିଲେ ମଧ୍ୟ ଚାଷ କାର୍ଯ୍ୟ ଆଶାତୀତ ଭାବେ ଆଗେଇ ପାରୁନି। ୨୦୨୨ ଖରିଫ୍ ଋତୁରେ କୃଷି ବିଭାଗ ଜିଲ୍ଲାର ୧ ଲକ୍ଷ ୯୩ ହଜାର ଜମିରେ ଚାଷ କାର୍ୟ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୨୯ ହଜାର ହେକ୍ଟର ଜମିରେ ଧାନ ଚାଷ କରି ୧ ଲକ୍ଷ ୫୦ ହଜାର ୮୦୦ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ସେହିପରି ୫୦ ହଜାର ୩୦ ହେକ୍ଟର ଜମିରେ ମାଣ୍ଡିଆ ଏବଂ ଅନ୍ୟାନ୍ୟ ଶସ୍ୟ ଜାତୀୟ ଚାଷ କରି ୮୪ ହଜାର ୩୦୦ ମେଟ୍ରିକ୍ ଟନ୍, ୩୪ ହଜାର ୪୦୦ ହେକ୍ଟରରେ ଡାଲିଜାତୀୟ ଚାଷ କରି ୨୪ ହଜାର ୩୦୦ ମେଟ୍ରିକ୍ ଟନ୍, ୧୨ ହଜାର ୯୦ ହେକ୍ଟରରେ ତୈଳଜାତୀୟ ଚାଷ କରି ୬ ହଜାର ୫୦୦ ମେଟ୍ରିକ୍ ଟନ୍, ୪୫ ହଜାର ୯୦୦ ହେକ୍ଟର ଜମିରେ ରେଶମ ଚାଷ କରି ୧ ଲକ୍ଷ ୫୩ ହଜାର ୯୦୦ ମେଟ୍ରିକ୍ ଟନ୍, ୨୫୩୦ ହେକ୍ଟର ଜମିରେ ତନ୍ତୁ ଜାତୀୟ ଚାଷ କରି ୧୩ ହଜାର ୫୮୦ ମେଟ୍ରିକ୍ ଟନ୍, ୧୫ ହଜାର ୪୮୦ ହେକ୍ଟର ଜମିରେ ପନିପରିବା ଚାଷ କରି ୧୮ ହଜାର ୯୨୦ ମେଟ୍ରିକ୍ ଟନ୍, ୩୫୦୦ ହେକ୍ଟର ଜମିରେ ମସଲା ଜାତୀୟ ଫସଲ ଚାଷ କରି ୧୯ ହଜାର ୯୩୦ ମେଟ୍ରିକ୍ ଟନ୍ ଉତ୍ପାଦନ ପାଇଁ କୃଷି ବିଭାଗ ଆକଳନ କରିଛି।
ଖରିଫରେ ପ୍ରାଥମିକତା ଭିତ୍ତିରେ କୃଷି ବିଭାଗ ଧାନ ଚାଷକୁ ଗୁରୁତ୍ବ ଦେଇଛି। ଅକ୍ଷୟ ତୃତୀୟାରୁ ଚାଷୀ ଅକ୍ଷିମୁଠୀ ଅନୁକୂଳ କରିଥିଲେ ମଧ୍ୟ ଆଜି ସୁଦ୍ଧା ଜିଲ୍ଲାର ୩୦ ପ୍ରତିଶତ ଜମିରେ ଚାଷ କାର୍ଯ୍ୟ ସରିପାରିନି। ଆବଶ୍ୟକ ତଳି ନଥିବାରୁ ଜୁଲାଇ ଶେଷ ସୁଦ୍ଧା ଧାନ ଚାଷ ସରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ସୂଚନାନୁଯାୟୀ, ଜୁନରେ ରାୟଗଡ଼ା ଜିଲ୍ଲାର ସ୍ବାଭାବିକ ବୃଷ୍ଟିପାତ ୧୯୫.୩ ମିମି ରହିଛି। ୨୦୨୧ରେ ୧୨୭.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ୨୦୨୨ ଜୁନରେ ୧୬୯.୨ ମିମି ବର୍ଷା ହୋଇଛି। ସେହିପରି ଜୁଲାଇରେ ରାୟଗଡ଼ାର ସ୍ବାଭାବିକ ବୃଷ୍ଟିପାତ ୨୫୯.୫ ମିମି ଥିବା ବେଳେ ୨୦୨୧ରେ ୨୬୦.୯ ମିମି, ୨୦୨୨ ଆଜି ସୁଦ୍ଧା ୭୫.୭୫ ମିମି ବର୍ଷା ରେକର୍ଡ ହୋଇଛି। ଗତ ଦୁଇବର୍ଷ ଧରି ବର୍ଷା ହାର କମୁଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ଅମଳ ହେଉଛି। ବର୍ଷାକୁ ଛାଡ଼ି ୭୦ ହଜାର ୫୫୮ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ଲକ୍ଷ୍ୟ ରହିଛି। ବଡ଼ନାଳ ପ୍ରକଳ୍ପ ଦ୍ବାରା ୯ ହଜାର ୮୭୪, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୨୧ ହଜାର ୯୦୦ ହେକ୍ଟର, ଗୋଷ୍ଠୀ ଉଠାସେଚ ପ୍ରକଳ୍ପ (ସରକାରୀ) ଦ୍ବାରା ୧୫ ହଜାର ୭୮୬ ହେକ୍ଟର୍, ମେଗା ଉଠା ସେଚ ପ୍ରକଳ୍ପ ଦ୍ବାରା ୨୨୩୧ ହେକ୍ଟର, ବୋରୱେଲ୍ ମାଧ୍ୟମରେ ୧୦ ହଜାର ୫୫୦ ହେକ୍ଟର, ଉଠା ସେଚ ପ୍ରକଳ୍ପ (ବେସରକାରୀ) ୯୫୧ ହେକ୍ଟର, ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ୧୨୭୩ ହେକ୍ଟର, ଡଗ ୱେଲ୍ ଦ୍ବାରା ୨୫୭ ହେକ୍ଟର, ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ବାରା ୧୮୦୦ ହେକ୍ଟର ଏବଂ ଅନ୍ୟାନ୍ୟ ଉତ୍ସରୁ ୫ ହଜାର ୯୩୬ ହେକ୍ଟର ଜମିକୁ ଜଳସେଚିତ ପାଇଁ ଯୋଜନା ହୋଇଛି।