ଖେଳପଡ଼ିଆ ଯୋଜନା ବାଟବଣା, ୩୭୩ ପଞ୍ଚାୟତରେ ହୋଇଛି ମାତ୍ର ୩୦ ଖେଳପଡ଼ିଆ

ଅନୁମୋଦନ ସତ୍ତ୍ବେ ୩୪୨ର ଆରମ୍ଭ ହୋଇପାରୁନି କାମ, ୯ଟି ବ୍ଲକ୍‌ରେ ଗୋଟିଏ ବି ଖେଳପଡ଼ିଆ ସରିନି

କଟକ: ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ସବୁ ପଞ୍ଚାୟତରେ ହେବ ଖେଳପଡ଼ିଆ। ଗାଁ ଗାଁରୁ ସୃଷ୍ଟି ହେବେ ଖେଳାଳି। ମନରେଗା ଯୋଜନାରେ ପ୍ରତି ପଞ୍ଚାୟତରେ ୫ଲକ୍ଷ ଟଙ୍କା ବ୍ୟୟରେ କରାଯିବ ଖେଳପଡ଼ିଆର ଉନ୍ନତୀକରଣ। ତିନିବର୍ଷ ହେଲା ଏହି ଯୋଜନାରେ କାମ ଆରମ୍ଭ ହୋଇଥିବା ବେଳେ ଏହାର ସ୍ଥିତି ଅତି ଦୟନୀୟ। କାରଣ ଜିଲ୍ଲାର ୧୪ରୁ ୯ଟି ବ୍ଲକ୍‌ର ଗୋଟିଏ ବି ପଞ୍ଚାୟତରେ ଅନୁମୋଦିତ ଖେଳପଡ଼ିଆ ତିଆରି ବା ଉନ୍ନତୀକରଣ ହୋଇପାରିନି। କେବଳ ୫ଟି ବ୍ଲକ୍‌ରେ ଅନୁମୋଦନ ଲାଭ କରିଥିବା ୫୬୭ଟି ଖେଳପଡ଼ିଆ ମଧ୍ୟରୁ ୩୦ଟିର କାର୍ଯ୍ୟ ଶେଷ ହୋଇଥିବା ବେଳେ ୩୪୨ଟି ଅନୁମୋଦିତ ପ୍ରକଳ୍ପର କାର୍ଯ୍ୟ ଆଦୌ ଆରମ୍ଭ ହୋଇପାରିନି। ଏବଂ ୧୯୫ଟିର କାର୍ଯ୍ୟ ଜାରି (ଅନ୍‌ଗୋଇଙ୍ଗ୍‌) ରହିଛି। ଆଠଗଡ଼, ବାଙ୍କୀ, ବାରଙ୍ଗ, ସଦର, ନିଆଳି, ନିଶ୍ଚିନ୍ତକୋଇଲି, ସାଲେପୁର, ଟାଙ୍ଗୀ-ଚୌଦ୍ବାର, ତିଗିରିଆରେ କୌଣସି ଗୋଟିଏ ବି ଖେଳପଡ଼ିଆ କାମ ସରିନଥିବା ବେଳେ ନରସିଂହପୁରରେ ସର୍ବାଧିକ ୧୪ଟି ଖେଳପଡ଼ିଆର ନିର୍ମାଣ ସରିଛି। ଅନ୍ୟପଟେ ବଡମ୍ବାରେ ୭ଟି, ବାଙ୍କୀ-ଡମପଡ଼ାରେ ୪, କଣ୍ଟାପଡ଼ାରେ ୩, ମାହାଙ୍ଗାରେ ୨ଟି ଲେଖାଏ ଖେଳପଡ଼ିଆର ନିର୍ମାଣ ସରିଥିବା ମନରେଗା ୱେବ୍‌ସାଇଟ୍‌ ତଥ୍ୟ କହୁଛି।

ସୂଚନା ଅନୁସାରେ, କଟକ ଜିଲ୍ଲାର ୩୭୩ଟି ପଞ୍ଚାୟତରେ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ଲେଖାଏ ବ୍ୟୟରେ ୫୬୭ଟି ଖେଳପଡ଼ିଆ ନିର୍ମାଣ କରାଯିବ। ଗଲା ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ପର୍ଯ୍ୟାୟକ୍ରମେ ଏହାର ନିର୍ମାଣ କ‌ାର୍ଯ୍ୟ ସରିବା କଥା। କିନ୍ତୁ ମନ୍ଥର ଗତିରେ ଚାଲିଛି ଖେଳପଡ଼ିଆ ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟ। ଯା’ଫଳରେ ଅନୁମୋଦନ ଲାଭ କରିଥିବା ପ୍ରକଳ୍ପର ଭାଗ୍ୟ ଫିଟିପାରୁନି, ଏହା କେବଳ ଫାଇଲ୍‌ ଭିତରେ ରହିଯାଇଛି। ୧୪ଟି ବ୍ଲକ୍‌ରେ ୩୪୨ଟି ଖେଳପଡ଼ିଆ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ପାରୁ ନଥିବା ବେଳେ ସେଥିରୁ ନରସିଂହପୁରରେ ୧୧୯, ଆଠଗଡ଼ରେ ୪୦, ବଡ଼ମ୍ବାରେ ୨୨, ବାଙ୍କୀ ୨୬, ମାହାଙ୍ଗାରେ ୪୧, ବାଙ୍କୀ-ଡମପଡ଼ାରେ ୭, ବାରଙ୍ଗରେ ୧୧, କଟକ ସଦର ୨୭, ତିଗିରିଆ ୨, କଣ୍ଟାପଡ଼ାରେ ୭, ନିଆଳିରେ ୮, ନିଶ୍ଚିନ୍ତକୋଇଲି ୫, ସାଲେପୁର ୧୯, ଟାଙ୍ଗୀ-ଚୌଦ୍ବାର ୮ଟି ଖେଳପଡ଼ିଆର କାର୍ଯ୍ୟ ଆଦୌ ଆରମ୍ଭ ହୋଇପାରିନି। ସେହିପରି ୧୯୫ଟିର କାର୍ଯ୍ୟ ଚାଲିଥିବା ବେଳେ ତା’ କେବେ ସରିବ କେହି ଜାଣିନାହାନ୍ତି। ଆନ୍ତରିକତା ଓ ସମନ୍ବୟ ଅଭାବରୁ ଜିଲ୍ଲାରେ ଏହି ଯୋଜନାରେ କାମ ଆଗେଇପାରୁନି। କେବଳ ସେତିକି ନୁହେଁ, କେତେକ ସ୍ଥାନରେ ଖେଳପଡ଼ିଆ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ ବିବାଦ ପାଇଁ ଅଟକି ରହିଛି କାମ।

ସମ୍ବନ୍ଧିତ ଖବର