ରାୟଗଡା: ଆସନ୍ତା ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି ପଡୁଥିବା ବେଳେ ସେହିଦିନ ହିଁ ସମ୍ବିଧାନ ପ୍ରଣେତା ବାବା ଭୀମରାଓ ଆମ୍ବେଦକରଙ୍କର ଜୟନ୍ତୀ ପଡୁଛି। ତେବେ ରାୟଗଡା ସହରରେ ରହିଥିବା ଜିସିଡି ପଡିଆରେ ମହାବିଷୁବ ସଂକ୍ରାନ୍ତି କରିବା ନେଇ ଏକ ଗୋଷ୍ଠୀ ଜିଲ୍ଲାପାଳଙ୍କୁ ଆବେଦନ କରିଥିବା ବେଳେ ଆମ୍ବେଦକର ଜୟନ୍ତୀ ପାଳନ ନେଇ ମଧ୍ୟ ଆଉ ଏକ ଗୋଷ୍ଠୀ ଜିଲ୍ଲାପାଳଙ୍କୁ ଭେଟି ସେହି ପଡିଆରେ ହିଁ କରିବା ପାଇଁ ଅନୁମତି ମାଗିଥିଲେ।

Advertisment

ତେବେ ଜିଲ୍ଲାପାଳ ଆମ୍ବେଦକର ଜୟନ୍ତୀ ପାଳନ କମିଟିକୁ ସଫା ସଫା ମନା କରି ଦେଇଥିଲେ। କାରଣ ମହାବିଷୁବ ସଂକ୍ରାନ୍ତି ପାଳନ କରୁଥିବା ଗୋଷ୍ଠୀଙ୍କୁ ସେଠାରେ ଅନୁମତି ପ୍ରଦାନ କରାଯାଇ ସାରିଛି। ତେବେ ଏନେଇ ଆଜି ଦୁଇ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ନିଜ ନିଜର ମତ ରଖିଥିଲେ। ଆମ୍ବେଦକର ଜୟନ୍ତୀ ପାଳନ କରୁଥିବା କମିଟି ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଡାକି ସେଠାରେ କୁହାଯାଇଥିଲା ଯେ କୌଣସି ସାଂସ୍କୃତିକ କାମ ଠାରୁ ଉର୍ଦ୍ଧ୍ବରେ ଜାତିର ଜଣେ ଆଗଧାଡିର ମହାପୁରୁଷଙ୍କ ଜୟନ୍ତୀ ପାଳନ କରିବା। ଏହି କାର୍ଯ୍ୟକ୍ରମ ସମସ୍ତ ଜାତି, ଧର୍ମ, ବର୍ଣ୍ଣ ତଥା ସର୍ବଦଳୀୟ ଭିତ୍ତିରେ ପାଳନ କରାଯିବା ଉଚିତ। ଏଥିପାଇଁ କେହି ବି ବିରୋଧ କରିବା ଉଚିତ ନୁହେଁ ବୋଲି ଯୁକ୍ତି ବାଢିଥିଲେ।

ସମ୍ବାଦିକ ମାନଙ୍କ ଜରିଆରେ ଏହି କିମିଟି ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ କରି କିଛି ପ୍ରଶ୍ନ କରିଥିଲେ। ସେଥିମଧ୍ୟରୁ ମେଲୋଡି କାର୍ଯ୍ୟକ୍ରମ କଣ ସମ୍ବିଧାନ ନିର୍ମାତା ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଠାରୁ ଅଧିକା ଗୁରୁତ୍ବ ବହନ କରେ କି ? ସେହି ମେଲୋଡି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ଲିଖିତ ଅନୁମତି ପ୍ରଦାନ କରିଛନ୍ତି କି? ପଣା ସଂକ୍ରାନ୍ତି ପାଳନ କରୁଥିବା ଅନୁଷ୍ଠାନ ଜିଲ୍ଲାପାଳଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ପାଇ ଶୁଭୁଖୁଣ୍ଟି ପୋତୁଛନ୍ତି କି? ଯଦି ଜିଲ୍ଲାପାଳ ସେହି ଅନୁଷ୍ଠାନକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ତେବେ ତାହାକୁ ସାର୍ବଜନୀନ କରିବେ କି ? ଜିଲ୍ଲାପାଳଙ୍କ କୌଣସି ଲିଖିତ ପତ୍ର ନାହିଁ, ତେବେ କିପରି ସେମାନେ ସେଠାରେ ଶୁଭଖୁଣ୍ଟି ସ୍ଥାପନ କଲେ।

ଯଦି ଜିଲ୍ଲାପାଳ ଲିଖିତ ପତ୍ର ଦେଇଛନ୍ତି ତେବେ ସେ ଉଚ୍ଚ ନ୍ୟାୟାଳୟର ଆଦେଶକୁ ଅବମାନନା କରିଛନ୍ତି। ଉଚ୍ଚ ନ୍ୟାୟାଳୟର ଆଦେଶ ପତ୍ରରେ ସ୍ପଷ୍ଟ ଲେଖାଯାଇଛି ଯେ ଶିକ୍ଷାନୁଷ୍ଠାନର କୋଠାଗୃହ କିମ୍ବା ପଡିଆକୁ କୌଣସି ଯାତ୍ରା କିମ୍ବା ମେଲୋଡି କାର୍ଯ୍ୟକ୍ରମ ପାଇଁ ଦିଆଯିବ ନାହିଁ ବୋଲି କହିଥିଲେ। ସରକାରଙ୍କ ନିକଟରେ କମିଟି ପତ୍ର ଲେଖି ତୁରନ୍ତ ଜିଲ୍ଲାପାଳଙ୍କ ଆଦେଶକୁ ରଦ୍ଦ କରିବାକୁ ଦାବି କରାଯାଇଥିବା କୁହାଯାଇଥିଲା। ଏଥିସହ ଆମ୍ବେଦକର ଜୟନ୍ତୀ ପାଇଁ ସେଠାରେ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଂଗାଧର ପୁଆଲା, ରାୟଗଡା ବ୍ଲକ ଉପଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ତପନ ଟେଡେଣ୍ଟି, ସୁବାଷ ଚନ୍ଦ୍ର ବିଡିକା, ତାମା ରାଓ ବିଡିକା, ପ୍ରତାପ ପୁଆଲା, ହୃଷୀକେଶ କୁଲଦୀପ ପ୍ରମୁଖ ଉପସ୍ଥିତ ରହି ପ୍ରକାଶ କରିଥିଲେ।

publive-image Sambad

ରାଜନୈତିକ ଚାପରେ ଏଭଳି ଏକତରଫା ନିଷ୍ପତ୍ତି ଜିଲ୍ଲାପାଳ ନେଇଥିବା ଅଭିଯୋଗ କରାଯାଇଥିଲା। ଯଦି ନିଷ୍ପତ୍ତି ନବଦଳାନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗର ଡକବଙ୍ଗଳାରେ ବିଶୁବ ସଂକ୍ରାନ୍ତି ପାଳନ କରୁଥିବା ଅନ୍ୟ ଏକ ଅନୁଷ୍ଠାନ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଆପାଲା ସ୍ବାମୀ କେଡ୍ରେକା, ବସନ୍ତ ଉଲାକା, ରାଉଳ ମାଝୀ, ଧନିରାମ ନାୟକ, ରାଜୀବ ଖୋସଲା ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକର ଜୟନ୍ତୀ ପାଳନ କରୁଥିବା ଅନୁଷ୍ଠାନକୁ ମିଳିମିଶି ଜୟନ୍ତୀ ଅନ୍ୟତ୍ର ପାଳନ କରିବାକୁ ଅନୁରୋଧ କରିଥିଲେ। ସହରରେ ବହୁ ସ୍ଥାନ ରହିଛି। ସେଠାରେ ମିଳିମିଶି ଦୁଇ ଅନୁଷ୍ଠାନ ଏହି ଜୟନ୍ତୀକୁ ପାଳନ କରିବା ବୋଲି କହିଥିଲେ। ମହା ବିଷୁବ ସଂକ୍ରାନ୍ତିକୁ କେହି ବିରୋଧ କରିବା ଉଚିତ ନୁହେଁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ତେବେ ଏହାକୁ ଜଣେ ବ୍ୟକ୍ତିଙ୍କ ନିର୍ଦେଶରେ ବିରୋଧ କରାଯାଉଛି ବୋଲି କୁହାଯାଇଥିଲା। ସେହି ବ୍ୟକ୍ତି ଜଣକୁ ଜାଣିଶୁଣି ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଏଭଳି ଆଉ ଏକ କାର୍ଯ୍ୟକ୍ରମ କରି ସେହି ପଡିଆରେ ହିଁ କରିବାକୁ ଉସୁକାଉଥିବା ଅଭିଯୋଗ ହୋଇଥିଲା। ତେବେ ଆମେ ସମସ୍ତେ ରାୟଗଡାର ଭାଇମାନେ। ମିଳିମିଶି ଏକାଠି ବସି ଏହାର ନିଷ୍ପତ୍ତି ନେଇପାରିବା ବୋଲି ସମ୍ମିଳନୀରେ ଉପସ୍ଥିତ ସଦସ୍ୟମାନେ କହିଥିଲେ। ତେଣୁ ଅପ୍ରତିକର ଘଟଣା ନଘଟାଇ ଦୁହେଁ କିପରି ଦୁଇଟି କାର୍ଯ୍ୟକ୍ରମ ଠିକ ଭାବେ ହେବ ତାକୁ ବିଚାର କରାଯାଉ। ଯଦି ଏଥିରେ କୌଣସି ବାଧା ସୃଷ୍ଟି ହୁଏ ତେବେ ଏହାକୁ କଦାପି ସହ୍ୟ କରାଯିବ ନାହିଁ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।