ରାୟଗଡା: ରାୟଗଡା ସହରସ୍ଥିତ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ରାୟଗଡା ଡାକ ମଣ୍ଡଳର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ରାୟଗଡା ଡାକ ମଣ୍ଡଳ ଅଧୀକ୍ଷକ ଅମ୍ବିକେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡା ଉପଜିଲ୍ଳାପାଳ ଭୀମସେନ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ବଲପୁର ଓ ବ୍ରହ୍ମପୁର ଆଇପିପିବି ରେଜିଓନାଲ ହେଡ୍ ତଥା ଚିଫ୍ ମ୍ୟାନେଜର ମୁରଲୀଧର ସାହୁ ଓ ରାୟଗଡାର ପୂର୍ବତନ ଡାକ ଅଧୀକ୍ଷକ ଭବାନୀ ପ୍ରସାଦ ପାଢୀ, ରାୟଗଡା ଉପଅଧୀକ୍ଷକ ସିଏଚ. ଜବାହାର ରାଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ। ୨୦୧୯ ମସିହା ଏପ୍ରିଲ ୧ ତାରିଖରେ ରାୟଗଡା ଓ ଗଜପତି ଦୁଇଟି ଜିଲ୍ଳାକୁ ନେଇ ରାୟଗଡା ଡାକ ମଣ୍ଡଳର ପ୍ରତିଷ୍ଠା ହୋଇଥିଲା। ରାୟଗଡା ଓ ପାରଳାଖେମୁଣ୍ଡି ଠାରେ ୨ଟି ହେଡ୍ ପୋଷ୍ଟ ଅଫିସ, ୪୧ଟି ସବ୍ ପୋଷ୍ଟ ଅଫିସ ଏବଂ ୩୩୩ ଟି ଶାଖା ପୋଷ୍ଟ ଅଫିସକୁ ନେଇ ରାୟଗଡା ଡାକ ମଣ୍ଡଳ ଗଠନ ହୋଇଥିବା ବେଳେ ଡିଭିଜନ ଅନ୍ତର୍ଗତ ନକ୍ସଲ ପ୍ରବଣ ୨୪ଟି ଦୁର୍ଗମ ଅଞ୍ଚଳରେ ବ୍ରାଞ୍ଚ ଅଫିସ କରାଯାଇ ଡାକ ସେବା ଯୋଗାଇ ଦିଆଯାଉଥିବା ନେଇ ଡାକ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଥିଲେ। ସେହିପରି ରାୟଗଡା ଡାକ ମଣ୍ଡଳ ୩୨୭କୋଟି ଟଙ୍କାର ସମୁଦାୟ ରାଜସ୍ୱ ଯୋଗାଇବାରେ ସକ୍ଷମ ହୋଇପାରିଛି ବୋଲି ମଧ୍ୟ କହିଥିଲେ। ପ୍ରତ୍ୟେକ ଶାଖା ଡାକ କାର୍ଯ୍ୟାଳୟରେ ସିଏସି ସୁବିଧା କରାଯାଇଥିବା ବେଳେ ରାୟଗଡା ଡାକ ବିଭାଗରେ ସିଏସି ମାଧ୍ୟମରେ ୧୩୦ପ୍ରତିଶତ ବ୍ୟବସାୟ ହାସଲ କରାଯାଇ ପାରିଥିବା ଶ୍ରୀ ବେହେରା ପ୍ରକାଶ କରିଥିଲେ।

Advertisment

ରାୟଗଡା ଡିଭିଜନ ଆରମ୍ଭ ହେବାର ମାତ୍ର ୪ବର୍ଷ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ନିରନ୍ତର ଏବଂ କଠିନ ପରିଶ୍ରମ ସହିତ କେବଳ ଲକ୍ଷ୍ୟ ହାସଲ କରାଯାଇ ନାହିଁ ବରଂ ଲୋକମାନେ ସେମାନଙ୍କର କଷ୍ଟ ଉର୍ପାଜିତ ଅର୍ଥ ବିନିଯୋଗ ବିଷୟରେ ମଧ୍ୟ ଡାକ ବିଭାଗ ସଚେତନ କରିପାରିଛି ଏବଂ ମହିଳା ସଶକ୍ତିକରଣ ଦିଗରେ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲି ଏକ ଅସାଧାରଣ କାର୍ଯ୍ୟ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ପିଏଲଆଇରେ ୪୨୦୨ ଏବଂ ଆରପିଏଲଆଇରେ ୪୧୦୬୬ଟି ନୂତନ ଖାତା ଖୋଲାଯିବା ସହ ୭୪୧୨୬ଟି ସ୍ପିଡପୋଷ୍ଟ ଭଳି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ରାଜସ୍ୱ ମଧ୍ୟ ବୁକ୍ ହୋଇଛି ଯାହା ୨୮୬୪୦୬୪ଟଙ୍କାର ରାଜସ୍ୱ ପରିମାଣ ହେବ। ଇଣ୍ଡିଆ ପୋଷ୍ଟ’ର ଉନ୍ନତୀ ଆଶା କରିବା ସହ ମିସନ ହାସଲ ପାଇଁ  ସମସ୍ତେ ଏକାଠି ଠିଆ ହେବା ବୋଲି ଡାକ ଅଧୀକ୍ଷକ ଶ୍ରୀ ବେହେରା ଅନୁରୋଧ କରିଥିଲେ। ସେହିପରି ମୁଖ୍ୟ ଅତିଥି ଉପଜିଲ୍ଳାପାଳ ଶ୍ରୀ ଶବର ଡାକ ସେବା ଦ୍ୱାରା ପୂର୍ବେ ଜନସାଧାରଣ ଯେଉଁ ଭଳି ସେବା ପାଉଥିଲେ ଆଜିକା ଡିଜିଟାଲ ଯୁଗରେ ଅନେକ ସୁବିଧାସୁଯୋଗ ପାଇ ଡାକ ବିଭାଗ ଦ୍ୱାରା ଅନେକ କ୍ଷେତ୍ରରେ ଉପକୃତ ହୋଇପାରୁଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମ ପାଳନ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଲାଭ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୋଷ୍ଟାଲ ବିଭାଗର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।