କାମରେ ଆସୁନି ୫୦ କୋଟିର ଗ୍ରିଡ୍; ଅଟକିଛି ୫ ସବ୍ ଷ୍ଟେସନକୁ ବିଦ୍ୟୁତ୍ ଯୋଗାଣ

ରେଳ ଲାଇନକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇପାରୁନି

ରାୟଗଡ଼ା: ଗ୍ରିଡ୍ କାର୍ଯ୍ୟକ୍ଷମ ହେଲେ ୭୫ ହଜାର ଉପ‌ଭୋକ୍ତା ଉପକୃତ ହେବେ। ୫ ସବଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ ହେବା ସହ ଲୋ ଭୋଲଟାଜ୍ ସମସ୍ୟାରୁ ମୁକ୍ତି ମିଳିବ। ହେଲେ ଗ୍ରିଡ଼୍ ନିର୍ମାଣକୁ ୩ ମାସ ବିତିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇପାରୁନି। ଫଳରେ ୫୦ କୋଟି ଟଙ୍କାର ଗ୍ରିଡ଼୍ କାର୍ଯ୍ୟକ୍ଷମ ନ ହୋଇ ପଡି ରହିଛି। ଗ୍ରିଡ୍ କାର୍ଯ୍ୟକ୍ଷମରେ ବିଳମ୍ବ ଯୋଗୁ ରେଲୱେକୁ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇପାରୁନି। ଓପିଟିସିଏଲ୍ ପକ୍ଷରୁ ଗୁଣପୁର ବ୍ଲକର ଓକିଲଗୁଡାରେ ୧୦ ଏକର ପରିମିତ ଜମିରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଗ୍ରିଡ୍ ଷ୍ଟେସନ। କୋଲାବରୁ ଉତ୍ପାଦିତ ବିଦ୍ୟୁତ ଜୟପୁର ଜୟନଗର ମୁଖ୍ୟ ଗ୍ରିଡକୁ ଆସିବା ପରେ ସେଠାରୁ ୨୨୦/୩୩ କେଭି ଲାଇନ୍ ଥେରୁବାଲି ଗ୍ରିଡକୁ ସଂଯୋଗ ହୋଇଛି। ଥେରୁବାଲି ଗ୍ରିଡରୁ ୧୩୨/୩୩ କେଭି ଗୁଣପୁର ଗ୍ରିଡକୁ ବିଦ୍ୟୁତ୍ ସଂ‌ଯୋଗ ପାଇଁ ଲକ୍ଷ୍ୟ ରହିଛି। ଏଥି ପାଇଁ ଗୁଣପୁର ଗ୍ରିଡରେ ୪ଟି ୧୫ ଏମଭି ଶକ୍ତି ଧାରଣ କରୁଥିବା ଟ୍ରାନ୍ସଫର୍ମର ବସାଯାଇଛି। ଏହି ସବ୍‍ ଗ୍ରୀଡ ଷ୍ଟେସନରୁ ୩ଟି ଫିଡର ମାଧ୍ୟମରେ ଗୁଣପୁର,  ଜଲତାର ଓ ବିକ୍ରମପୁର ସବ୍‍ ଷ୍ଟେସନକୁ ବିଦ୍ୟୁତ୍ ଯୋଗାଇ ଦିଆଯିବ। ସେହିପରି ଆଉ ଗୋଟିଏ ଫିଡରରୁ ପାରଳାଖେମୁଣ୍ଡି ସବ୍‍ ଷ୍ଟେସନକୁ ଏବଂ ଅନ୍ୟ ଗୋଟିଏ ଫିଡରରୁ ବିକ୍ରମପୁର, ଜଗନ୍ନାଥପୁର ହୋଇ ବଥବା ନିକଟରେ ରେଲୱେ ଲାଇନ ସହ ସଂଯୋଗ ହେବ। ଏପରି ଭାବେ ୫ଟି ଫିଡର ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଏହି ଗ୍ରିଡରୁ ବିଦ୍ୟୁତ୍ ଯୋଗାଣ ହେବ। କିନ୍ତୁ ଗ୍ରିଡ୍ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଥିବାରୁ ୫ ସବ ଷ୍ଟେସନ ଅଧୀନରେ ଥିବା ୭୫ ହଜାର ଉପଭୋକ୍ତା ଉପଯୁକ୍ତ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ଗୁଣପୁର- ନୌପଡା ରେଳ ଲାଇନରେ ବିଦ୍ୟୁତ୍ ଚାଳିତ ଟ୍ରେନ୍ ଯାତାୟତ କରୁଥିବା ବେଳେ ଏହି ଗ୍ରିଡରୁ ରେଳ ଲାଇନକୁ ବିଦ୍ୟୁତ୍ ସଂଯୋଗ ହେବ। ବର୍ତ୍ତମାନ ନୌପଡାରୁ ଆସିଥିବା ବିଦ୍ୟୁତରେ ଟ୍ରେନ୍ ଯାତାୟାତ କରୁଛି।

ଓକିଲଗୁଡାରୁ ବଥବା ଯାଏ ଯିବାକୁ ଥିବା ବିଦ୍ୟୁତ୍ ଲାଇନ୍ ୮ କିମି ରାସ୍ତା ମଧ୍ୟରେ କେତେକ ସ୍ଥାନରେ ଜମି ବିବାଦ ପାଇଁ ଟାୱାର ନିର୍ମାଣ ହୋଇପାରୁନି। ସେହିପରି ଗୁଣପୁର ଅଞ୍ଚଳକୁ ଥେରୁବାଲି, ଆଖୁସିଙ୍ଗି, କାଶୀନଗର ଗ୍ରିଡ ଷ୍ଟେସନରୁ ବିଦ୍ୟୁତ୍ ସଂଯୋଗ ହୋଇଥିବାରୁ ଏହି ସବୁ ଅଞ୍ଚଳରେ କୌଣସି ସମସ୍ୟା ହେଲେ ଗୁଣପୁରବାସୀ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବହୁତ ଦୂରରୁ ଗୁଣପୁରକୁ ସବ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ ହୋଇଥିବାରୁ ସାମାନ୍ୟ ବର୍ଷା ପବନ ଆସିଲେ ବିଦ୍ୟୁତ୍ ସେବା ଠପ୍ ହୋଇ ପଡିଛି। ଗୁଣପୁର ଅଧୀନରେ ଥିବା ଅନ୍ୟ ଗ୍ରାମାଞ୍ଚଳ ସ୍ଥିତି କଥା ନ କହିବା ଭଲ। ଗ୍ରାମାଞ୍ଚଳରେ ଥରେ ବିଦ୍ୟୁତ୍ କଟିଲେ କେତେବେଳେ ପୁଣି ସଂଯୋଗ ହେବ ତାହା କହି ହେଉନଥିବାରୁ ଉପଭୋକ୍ତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରା ଦିନେ ଲୋ ଭୋଟେଜ୍‍ ସମସ୍ୟା କାରଣରୁ ଉପଖଣ୍ଡବାସୀ ଗରମରେ ସନ୍ତୁଳି ହେଉଥିବାରୁ ନୂତନ ଗ୍ରିଡ୍ କାର୍ଯ୍ୟକ୍ଷମ ଜରୁରି ହୋଇ ପଡିଛି। ଗ୍ରିଡ୍ କାର୍ଯ୍ୟକ୍ଷମ ହେଲେ ଗୁଣପୁର, ଜଲତାର, ବିକ୍ରମପୁର, ଗୁମୁଡା, ରାମନାଗୁଡା, ପଦ୍ମପୁର, ଡମ୍ବସରା, ଗୁଡାରି ଅଞ୍ଚଳର ୭୫ ହଜାର ଉପଭୋକ୍ତା ଲୋ ଭୋଲଟାଜ୍ ସମସ୍ୟା ଓ ଘନ ଘନ ବିଦ୍ୟୁତ୍ କାଟ ସମସ୍ୟାରୁ ମୁକ୍ତି ପାଇବେ। ନୂତନ ଗ୍ରିଡକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ସର୍ଭେ ଶେଷ ହେବା ସହ ମଞ୍ଜୁରି ପାଇଁ ବିଭାଗକୁ ପଠାଯାଇଛି। କିନ୍ତୁ ବିଦ୍ୟୁତ୍ ସଂଯୋଗ ପାଇଁ ମଞ୍ଜୁରି ମିଳିବାରେ ବିଳମ୍ବ ହେଉଥିବାରୁ ଗ୍ରିଡ୍ କାର୍ଯ୍ୟକ୍ଷମ ହୋଇପାରୁନି।

ସମ୍ବନ୍ଧିତ ଖବର