ଜଗତସିଂହପୁର ଟାଉନ୍: ଜଗତସିଂହପୁର ସହର। ଏଇଠି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଘର। ଭାରତ ସ୍ବାଧୀନତାର ମଙ୍ଗ ଧରିଥିବା ବିଶିଷ୍ଟ ସ୍ବାଧୀନତୀ ସଂଗ୍ରାମୀଙ୍କ ଜନ୍ମସ୍ଥାନ। ଜଗତସିଂହପୁର ଜିଲ୍ଲାରେ ବିଗତ ବର୍ଷରେ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିବା ଅଧିକାଂଶ ଆଇଏଏସ୍ ଅଫିସର ଏବେ ପ୍ରତିଷ୍ଠିତ ଓ ନାମକରା ସଚିବ। ଏକାଧିକ ଦକ୍ଷ ରାଜନେତା ମଧ୍ୟ ଏଠାରୁ ପ୍ରତିନିଧିତ୍ବ କରିଛନ୍ତି। ହାତଗଣତି ଆଇଏଏସ୍ ଜିଲ୍ଲାପାଳଙ୍କୁ ଛାଡ଼ିଦେଲେ ବାକି ସବୁ ସହରର ବିକାଶକୁ ଅଣଦେଖା କରିଛନ୍ତି। ଜଗତସିଂହପୁର ସହରକୁ ୫୦ ବର୍ଷ ପୂରିଲାଣି। ପୌରପରିଷଦ ଗଠନକୁ ମଧ୍ୟ ୨୧ ବର୍ଷ ବିତିଲାଣି। କିନ୍ତୁ ଅଦ୍ୟାବଧି ଏହା ଏକ ପୂର୍ଣ୍ଣାଙ୍ଗ ସହରରେ ପରିଣତ ହୋଇପାରିନାହିଁ। ଗାଁକୁ ବଡ଼ ସହରକୁ ଛୋଟ ଭଳି ଏହାର କଳେବର। ଏହି ଜିଲ୍ଲା ରାଜ୍ୟର ଅନ୍ୟତମ ସର୍ବାଧିକ ଜନବହୁଳ, ସାକ୍ଷର ଜିଲ୍ଲା। କିନ୍ତୁ ଏହି ସହରାଞ୍ଚଳର ଜନସଂଖ୍ୟା ୫୦ ହଜାରରେ ପହଞ୍ଚୁ ନାହିଁ। ଅର୍ଥାତ୍ ସହରାଞ୍ଚଳର ଭିତ୍ତିଭୂମି ଉପେକ୍ଷିତ ଥିବାରୁ ଏଠାରେ ଘନଜନବସତିର ସଂପ୍ରସାରଣ ଦିଗ ମଧ୍ୟ ସଂକୁଚିତ। ଏଠାରେ ଉନ୍ନତମାନର ରାସ୍ତାଘାଟ, ସ୍ବାସ୍ଥ୍ୟସେବା, ଉଚ୍ଚଶିକ୍ଷା, କ୍ରୀଡ଼ା ଭିତ୍ତିଭୂମି, କଳକାରଖାନା, ମଲ୍, ବଡ଼ ହୋଟେଲ, ରେସ୍ତରାଁ, ରେଳସେବା ଅବା ବିମାନସେବା କ୍ଷେତ୍ରକୁ ସୁଗମ ସଂଯୋଗ ପଥର ସୁବିଧା ନାହିଁ। ତେଣୁ ଜିଲ୍ଲାର ବହୁଧନୀ, ଉଚ୍ଚଶିକ୍ଷିତ ତଥାକଥିତ ବୁଦ୍ଧିଜୀବୀ ଏହି ସହରକୁ ପସନ୍ଦ ନକରି କଟକ, ଭୁବନେଶ୍ବର ଅବା ଅନ୍ୟ ସହରରେ ଘର କରି ରହୁଛନ୍ତି।
ସହରର ମାତ୍ର କେଇ ଶହ ମିଟର ପ୍ରଶସ୍ତ ରାସ୍ତାକୁ ଛାଡ଼ି ଦେଲେ ଏ ପର୍ଯ୍ୟନ୍ତ ୪ ଲେନ୍ ରାସ୍ତାଟିଏ ନାହିଁ। ଦୁଇ ପାର୍ଶ୍ବରେ ଥିବା କେନାଲ ସହରକୁ ସଂକୁଚିତ କରି ରଖିଛି। କୌଣସି ଟାଉନ୍ପ୍ଲାନିଂ ଅବା ମାଷ୍ଟର ପ୍ଲାନ୍ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଦୀର୍ଘ ବର୍ଷ ହେଲା ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ପ୍ରାଶାସନିକ କାର୍ଯ୍ୟଦକ୍ଷତା ଶୂନ୍ୟ ଆଚରଣ ଏଥିପାଇଁ ଦାୟୀ। ମାଟିପାଇଁ ଭାବୋଦ୍ଦୀପକ ଭାଷଣବାଜି କରୁଥିବା ତଥାକଥିତ ବୁଦ୍ଧିଜୀବୀ କେବେ ଏନେଇ ପ୍ରଶ୍ନ ଉଠାଇ ନାହାନ୍ତି। ସ୍ବାଧୀନତା ସଂଗ୍ରାମର ରାହା ଦେଖାଇଥିବା ସଂଗ୍ରାମୀଙ୍କ ଉତ୍ତରପିଢ଼ିଙ୍କୁ ଏ ଦିଗରେ ସଜାଗ କରାଯାଇନଥିବା ଅନେକଙ୍କୁ ବ୍ୟଥିତ କରିଥାଏ। କେବେ ଏକ ପୂର୍ଣ୍ଣାଙ୍ଗ ସହରରେ ପରିଣତ ହେବ ଓ ପୌରାଞ୍ଚଳ ବାସିନ୍ଦାଙ୍କୁ କେବେ ମିଳିବ ଉନ୍ନତମାନର ସହରୀ ସୁବିଧା ସେନେଇ ଯୁବପିଢ଼ି ପ୍ରଶ୍ନ ଉଠାଇଲେଣି। କାହିଁକି ଏତେ ବର୍ଷର ସହରକୁ ଅଣଦେଖା କରାଯାଉଛି? ତାର ମଧ୍ୟ ତର୍ଜମାର ଅପେକ୍ଷା ରଖିଲାଣି। ପଡ଼ୋଶୀ ଜିଲ୍ଲାର ସହରାଞ୍ଚଳରୁ କେଉଁ ଗୁଣରେ ଆମେ କମ୍ ଓ କାହିଁକି ଅବହେଳିତ ତାର ତର୍କ ମଧ୍ୟ ସାମ୍ନାକୁ ଅସୁଛି।
ରାଜ୍ୟର କେତେକ ପୁରୁଣା ସହର ମଧ୍ୟରୁ ଜଗତସିଂହପୁର ପୌରାଞ୍ଚଳ ଅନ୍ୟତମ। ସୂଚନା ଅନୁସାରେ, ୧୯୭୨ ମାର୍ଚ୍ଚ ୧୩ ତାରିଖରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି(ନଂ-୭୨୭୧) ଜରିଆରେ ଜଗତସିଂହପୁରକୁ ଏନ୍ଏସି(ବିଜ୍ଞାପିତ ଅଞ୍ଚଳ ପରିଷଦ) ଘୋଷଣା କରାଯାଇଥିଲା। ସେହିପରି ୨୦୦୨ ଅଗଷ୍ଟ ୧୩ ତାରିଖରେ ବିଭାଗ ପକ୍ଷରୁ ବିଜ୍ଞପ୍ତି(ନଂ-୩୦୮୦୦) ଜରିଆରେ ପୌର ପରିଷଦ ଘୋଷଣା କରା ଯାଇଥିଲା। ଏନଏସି ଗଠନ ହିସାବକୁ ନେଲେ ସହରକୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ୫୦ ବର୍ଷ ପୂରିଗଲାଣି। ୨୦୧୧ ଜନଗଣନା ଅନୁସାରେ ପୌରାଞ୍ଚଳର ୨୧ଟି ଓ୍ଵାର୍ଡର ଜନସଂଖ୍ୟା ୩୩ ହଜାର ୬୭୧ (ପୁରୁଷ ୧୭ ହଜାର ୨୩୯ ଓ ମହିଳା ୧୬ ହଜାର ୩୯୨)। ଚଳିତ ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ଥିଲା ୨୫ ହଜାର ୮୧୭। ଜନଗଣନାକୁ ୧୧ ବର୍ଷ ବିତି ଯାଇଥିବାରୁ ଏବେ ପ୍ରାୟ ୪୦ ହଜାର ହେବ ବୋଲି ଅନୁମାନ କରାଯାଉଛି।
ରାସ୍ତାରେ ବର୍ଷାପାଣି, ନାହିଁ ଡ୍ରେନେଜ୍
ବର୍ଷା ହେଲେ ମୁଖ୍ୟ ରାସ୍ତା ସମେତ କେତେକ ଅଞ୍ଚଳର ରାସ୍ତାରେ ପାଣି ଜମୁଛି। କେତେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଉଛି। ଏପରିକି ବର୍ଷା ଛାଡ଼ିବାର ଦୀର୍ଘ ସମୟ ଧରି ପାଣି ରାସ୍ତା ଉପରେ ରହୁଛି। ତେଣୁ ଯାତାୟତରେ ଅସୁବିଧା ହେଉଛି। ଜଗତସିଂହପୁର ପୌରାଞ୍ଚଳର ଏଯାଁଏ ଡ୍ରେନେଜ୍ ବ୍ୟବସ୍ଥିତ ଢଙ୍ଗରେ ହୋଇପାରି ନାହିଁ। ସବୁ ଅଞ୍ଚଳରେ ଡ୍ରେନ୍ ତିଆରି ହୋଇନାହିଁ। ଯେଉଁ ଅଞ୍ଚଳରେ ଡ୍ରେନ୍ ହୋଇଛି ସେଥିରୁ ଅଧିକାଂଶରେ ପାଣି ନିସ୍କାସନ ହୋଇପାରୁ ନାହିଁ। ଯାହାଫଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି। କେବେ ବ୍ୟବସ୍ଥିତ ଢଙ୍ଗରେ ଡ୍ରେନ୍ ତିଆରି ହେବ ଓ ଲୋକ ରାସ୍ତାଘାଟ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବ ତାହା ଏବେ ଚ୍ୟାଲେଞ୍ଜ। ସେହିପରି ପୌରାଞ୍ଚଳରେ ସ୍ବେରେଜ ବ୍ୟବସ୍ଥା ମଧ୍ୟ ହୋଇପାରି ନାହିଁ। ଯାହା ଆଗକୁ ଆଉ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହେବ।
ଭଗବାନଙ୍କ ଭରସାରେ ସ୍ବାସ୍ଥ୍ୟସେବା
ପୌରାଞ୍ଚଳ ପାଇଁ କୌଣସି ସ୍ବତନ୍ତ୍ର ହସ୍ପିଟାଲ ନାହିଁ। କେବଳ ଏକ ହୋମିଓପ୍ୟାଥି ମେଡିକାଲ ଅଛି। ପୂରା ସ୍ବାସ୍ଥ୍ୟସେବା ନିର୍ଭର କରୁଛି ଜଗତସିଂହରୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ। କିନ୍ତୁ ଏବେ ବି ପ୍ରାୟ ୪୦ ପ୍ରତିଶତ ଡାକ୍ତର, କର୍ମଚାରୀଙ୍କ ଅଭାବ ଓ ଉନ୍ନତ ଚିକିତ୍ସା ସେବା ସରଞ୍ଜାମର ଅଭାବ ଭିତରେ ଏହି ଡାକ୍ତରଖାନା ସଂଘର୍ଷରତ। ଏବେ ଭଗବାନଙ୍କ ଭରସାରେ ଲୋକଙ୍କର ଏହି ଜୀବନରେଖା। ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ କୌଣସି ସୁବିଧା ନାହିଁ। ରାତି କଥା ତ ନ କହିବା ଭଲ। ଯଦି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଗୁରୁତର ହେଲା ତା’ହେଲେ ୪୫ କିଲୋମିଟର ବାଟ କଟକ ବଡ଼ ଡାକ୍ତରଖାନାକୁ ରେଫର୍ କରିଦିଆଯାଏ। ଅଥବା ରୋଗୀଙ୍କୁ ପରିବାର ଓ ସମ୍ପର୍କୀୟ ନିଜ ବ୍ୟବସ୍ଥାରେ କଟକ କିମ୍ବା ଭୁବନେଶ୍ବରର କୌଣସି ଘରୋଇ ହସ୍ପିଟାଲକୁ ନେଇ ଯାଉଛନ୍ତି। ସେହିପରି ହୃଦ୍ଘାତ ରୋଗୀ, ଅନ୍ୟ ଯେକୌଣସି ଗୁରୁତର ରୋଗୀଙ୍କୁ କଟକ ନିଆଯାଉଛି। କିନ୍ତୁ ଜୀବନମରଣର ଆଉ ଏକ ସମସ୍ୟା ରହିଛି ରାସ୍ତାରେ। କନ୍ଦରପୁର ନିକଟରେ ବାଟ ଓଗାଳୁଛି ଲେଭଲ୍ କ୍ରସିଂ। ଏହି ଲେଭଲ୍କ୍ରସିଂକୁ ୫୦ ବର୍ଷ ବିତି ଯାଇଥିଲେ ବି ତିଆରି ହୋଇପାରିନି ଫ୍ଲାଏ ଓଭରବ୍ରିଜ୍। ଯଦି ଫାଟକ ପଡ଼ିଲା ତାହେଲେ ଗୁରୁତର ରୋଗୀଙ୍କ ଭାଗ୍ୟ ଭଗବାନଙ୍କ ଭରସାରେ। ସନ୍ଧ୍ୟା ୫ଟା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ୍ସ-ରେ, ପାଥୋଲୋଜି ବନ୍ଦ। ଅଲଟ୍ରାସାଉଣ୍ଡ କେବଳ ଗର୍ଭବତୀଙ୍କ ପାଇଁ। ତା ପୁଣି ମାସକର ଗୋଟିଏ ଦିନ ୯ ତାରିଖ। ଯଦି ରାତି ଅଧରେ କୌଣସି ରୋଗୀଙ୍କର ଅଲଟ୍ରାସାଉଣ୍ଡ ଆବଶ୍ୟକ ପଡ଼େ ତାହେଲେ କଟକ ନହେଲେ ଭୁବନେଶ୍ବରଯିବାକୁ ପଡ଼େ। ସିଟି ସ୍କାନ୍, ଏମଆରଆଇ କଥା ନକହିଲେ ଭଲ। ପୌରାଞ୍ଚଳବାସୀଙ୍କ ଭାଗ୍ୟରେ ଜୁଟିଛି ଏଭଳି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା।
ଅଣ ଓସାରିଆ ରାସ୍ତାରେ ଅଣନିଶ୍ବାସୀ ଜୀବନ
ପୂରା ପୌରାଞ୍ଚଳ ରାସ୍ତା ଅଣଓସାରିଆ। ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ମଧ୍ୟ ନାହିଁ। ରାସ୍ତା କଡ଼ରେ ଉଠା ଦୋକାନୀ, ପାର୍କିଂ ସବୁ କିଛି। କଟକରୁ ବାଲିକୁଦା, ମାଛଗାଁ, ନାଉଗାଁକୁ ଏହି ରାସ୍ତା ସଂଯୋଗ କରୁଥିବାରୁ ମାଲବାହୀ ଓ ଯାତ୍ରୀବାହୀ ଗାଡ଼ିର ଚଳାଚଳ ଯଥେଷ୍ଟ ଅଧିକ। ସହରର ପୋଷ୍ଟାଲ ଛକ, ଥାନା ଛକ, ଟାଉନ୍ ହଲ୍ ଛକ, ଚର୍ଚ୍ଚିକା ବଜାର, କୋର୍ଟ ଛକ, କଲେଜ ଛକ ଓ ଗାନ୍ଧୀ ଛକରେ ରାସ୍ତା ଜାମ୍ ହୋଇଯାଏ। ସ୍କୁଲ ଓ ଅଫିସ ସମୟରେ ଏହି ଚିତ୍ର ଆହୁରି ସଙ୍ଗିନ। ନାଳ ୧୦ ନମ୍ବରରୁ ପୁରୋହିତପୁର ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ହୋଇଥିଲେ ମଧ୍ୟ ମୁଖ୍ୟ ବଜାର ଓ ସହର ରହୁଥିବାରୁ ଲୋକ ଏହି ରାସ୍ତା ଉପରେ ଅଧିକ ନିର୍ଭର କରିଥାନ୍ତି। ଗୋଟିଏ ଟ୍ରକ୍ ଭିଡ଼ ଭିତରେ ଫସିଗଲେ ରାସ୍ତାରୁ ଗାଡ଼ି ବାହାରିବା ମୁସ୍କିଲ।