ରାଣୀ ପାଇଁ ବାଦିପାଲା: ଗୋଟିଏ ଗାଈକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ, ଥାନାରେ ମାମଲା

କୋରାପୁଟ: ଗୋଟିଏ ଗାଇ। ଜଣେ ଏହି ଗାଈକୁ ଡାକୁଛି ରାଣୀ, ଆଉ ଜଣେ ହିରାମଣୀ। ଦୁହେଁ କହୁଛନ୍ତି ଗାଇ ମୋ। ଏହି ଗାଇ ପାଇଁ ଏବେ ଦୁଇଜଣ ମହିଳା ମୁହାଁମୁହିଁ ହୋଇଛନ୍ତି। କଥା ଯାଇ ଥାନାରେ ପହଞ୍ଚିଛି। ଫଳରେ ପୁଲିସ ବାଧ୍ୟ ହୋଇ ଗାଈକୁ ଅଟକ ରଖି ତୃତୀୟ ପକ୍ଷର ଜିମା ଦେଇଛି। ଏଥିନେଇ କୋରାପୁଟ ଟାଉନ ଥାନାରେ ଦୁଇଟି ମାମଲା ବି ରୁଜୁ ହୋଇଛି।

କୋରାପୁଟ ସହର ହାଉସିଂବୋର୍ଡରେ ରହୁଥିବା ଜୟଶ୍ରୀ ରାଉତ ଓ କମଳା ମୁଦୁଲିଙ୍କ ମଧ୍ୟରେ ଝଗଡା ହୋଇଛି ଗୋଟିଏ ଗାଈକୁ ନେଇ। ଏହି ଗାଈକୁ ଦୁଇ ମହିଳା ନିଜର ବୋଲି ଦାବି କରୁଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ସେମାନେ ଏଥିନେଇ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏଥିନେଇ ମାମଲା ରୁଜୁ କରି ଗାଈକୁ ଆଣି ଅଟକ ରଖିଥିଲା। ଏଥିନେଇ ପ୍ରାଣୀ ଚିକିତ୍ସକଙ୍କ ସହାୟତା ନିଆଯାଇଥିଲାବେଳେ ସେ ମଧ୍ୟ ଠିକ ଭାବେ ଗାଇ କାହାର ବୋଲି ଚିହ୍ନଟ କରି ପାରି ନ ଥିଲେ। ଅପରପକ୍ଷରେ ଗାଈଟି ମଧ୍ୟ ଉଭୟ ଜୟଶ୍ରୀ ଓ କମଳାଙ୍କ ପାଖକୁ ଯାଇ ଗେଲ ହୋଇଥିଲା। ଆଉ କିଏ ଡାକିଲେ ଗାଈ ଯାଉ ନ ଥିଲେ ମଧ୍ୟ ଏହି ଦୁଇ ମହିଳାଙ୍କ ଭିତରୁ କେହି ବି ଡାକିଦେଲେ ପାଖକୁ ଚାଲି ଯାଉଥିଲା। ଜୟଶ୍ରୀ ଗାଈକୁ ରାଣୀ ବୋଲି ଡାକିଦେଲେ ସେ ତାଙ୍କ ପାଖକୁ ଯାଉଥିଲା। ଏପଟେ କମଳା ମଧ୍ୟ ଗାଈକୁ ହିରାମଣୀ ବୋଲି ଡାକିଦେଲେ ଗାଈଟି ଚାଲି ଆସୁଥିଲା। ଫଳରେ ପୁଲିସ ଦ୍ବନ୍ଦ‌ରେ ପଡିଯାଇଥିଲେ। ପ୍ରକୃତରେ ଗାଈଟି କାହାର ଜାଣିବା ପୁଲିସ ପାଇଁ ମୁସ୍କିଲ ହୋଇ ପଡିଥିଲା। ଏପଟେ ମାମଲାର ସମାଧାନ ନ ହେବାରୁ ପୁଲିସ ଗାଈକୁ ଏବେ ତୃତୀୟ ପକ୍ଷକୁ ଦେଇଛି। ମାମଲାର ସମାଧାନ ହେବା ପରେ ଗାଈକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏପଟେ  ଗୋଟିଏ ଗାଇ ପାଇଁ ଥାନାରେ ଏମିତି ବାଦିପାଲା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର