ମାଟ୍ରିକ୍‌ ପରୀକ୍ଷାରେ ମିଛ ଫର୍ମପୂରଣ: ପରୀକ୍ଷା ଦେଲେନି ବାଲେଶ୍ବରର ୩୧୯୭ ଛାତ୍ରଛାତ୍ରୀ

ଘରେ ପହଞ୍ଚୁଛନ୍ତି ଶିକ୍ଷକ, ‘ଲେଖି ଦିଅ, ଅସୁସ୍ଥ ଥିବାରୁ ପରୀକ୍ଷା ଦେଉନ’

ବାଲେଶ୍ବର : ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ହଜାର ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ୩୧୯୭ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଫର୍ମ ଫିଲପ୍ କରିଥିଲେ ମଧ୍ୟ ଏହି ପିଲାମାନେ କାହିଁକି ବୋର୍ଡ ପରୀକ୍ଷା ଦେଲେନି ସେ ସଂପର୍କରେ ଜିଲ୍ଲା ଶିକ୍ଷା ବିଭାଗ ନିରୁତ୍ତର ରହିଛି।

ଜିଲ୍ଲାରେ ଏଥର ୫୦୬ଟି ହାଇସ୍କୁଲର ଛାତ୍ରଛାତ୍ରୀ ୨୦୬ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସେଥିମଧ୍ୟରୁ ହାଇସ୍କୁଲ ସାର୍ଟିଫିକେଟ୍‌ ସମେଟିଭ୍‌ ଆସେସମେଣ୍ଟ୍‌-୨ ପରୀକ୍ଷା ପାଇଁ ୩୨୯୫୭ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବାବେଳେ ୩୦୧୩୯ ପିଲା ପରୀକ୍ଷା ଦେଉଛନ୍ତି। ଅର୍ଥାତ୍‌ ଏଥିରେ ୨୮୧୮ ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି। ସେହିପରି ମଧ୍ୟମା ପରୀକ୍ଷା ପାଇଁ ୧୦୬୭ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ୧୦୬୭ ଜଣ ପରୀକ୍ଷା ଦେଉଥିବା ବେଳେ ୩୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସୁନାହାନ୍ତି। ଏସ୍‌ଓଏସି ପରୀକ୍ଷା ପାଇଁ ୭୨୦ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଥିବା ବେଳେ ୬୪୭ ଜଣ ପରୀକ୍ଷା ଦେଉଛନ୍ତି ଏବଂ ୭୩ ଜଣ ଅନୁପସ୍ଥିତ ଅଛନ୍ତି। ଏହିପରି ଭାବେ ଜିଲ୍ଲାରେ ମୋଟ୍‌ ୩୧୯୭ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀମାନେ କେଉଁ ବ୍ଲକରୁ କେତେ ସଂଖ୍ୟାରେ ଅଛନ୍ତି, ପ୍ରକୃତରେ ସେମିତି ପିଲା ଅଛନ୍ତି ନା ନାହିଁ, ଯଦି ଅଛନ୍ତି ସେମାନେ କେଉଁ ଅଞ୍ଚଳର ଓ କେଉଁ କାରଣରୁ ପରୀକ୍ଷା ଦେବାକୁ ଆସିଲେନି, ସେ ନେଇ ଖୋଦ୍‌ ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ସୂତାରଙ୍କ ପାଖରେ ମଧ୍ୟ ଉତ୍ତର ନାହିଁ। ‌ଶ୍ରୀ ସୂତାରଙ୍କ ଅଫିସ୍‌କୁ ଗଲେ ତାଙ୍କ ଭେଟ ମିଳିପାରୁନଥିବା ବେଳେ ସେ ଫୋନ୍‌ ମଧ୍ୟ ଉଠାଉନାହାନ୍ତି।

ମିଳିଥିବା ସୂଚନା ମୁତାବକ, ଜିଲ୍ଲାର ପ୍ରାୟ ହାଇସ୍କୁଲରେ କିଛି କିଛି ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ପିଲାମାନେ ଏଥର ମାଟ୍ରିକ ସମେଟିଭ୍ ଆସେସମେଣ୍ଟ୍-୧ ପରୀକ୍ଷା ଦେବାକୁ ଆସିନଥିଲେ; ସେମାନଙ୍କୁ ପରବର୍ତ୍ତୀ ସମୟରେ ସମେଟିଭ୍‌ ଆସେସମେଣ୍ଟ୍‌-୨ ପରୀକ୍ଷା ଦେବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା। ଫଳରେ ସଂପୃକ୍ତ ପିଲାମାନେ ଥାଆନ୍ତୁ ବା ନଥାଆନ୍ତୁ ତାଙ୍କ ଫର୍ମ ପୂରଣ କରାଯାଇଥିଲା। ପରେ ସେମାନେ ଆଉ ପରୀକ୍ଷା ଦେବାକୁ ଆସିଲେ ନାହିଁ। ତେବେ ଏଭଳି ବିଚିତ୍ର ନିୟମ ବିଭାଗ ପକ୍ଷରୁ କାହିଁକି କରାଯାଇଥିଲା, ତାର ଉତ୍ତର ଏବେ କାହା ପା‌ଖରେ ନାହିଁ। କୁହାଯାଉଛି ଯେ, ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଦର୍ଶାଇ ସେମାନଙ୍କ ପାଇଁ ଆସୁଥିବା‌ ସରକାରୀ ସୁବିଧାସୁଯୋଗ ହାତେଇବା ସହ ସ୍କୁଲ୍‌ର ସ୍ବୀକୃତି ବଜାୟ ରଖିବା ଉଦ୍ଦେଶ୍ୟରେ ମିଛ ଫର୍ମପୂରଣ କରାଯାଇଛି।

ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ବରୁଣ ସିଂ ବାଳିକା ହାଇସ୍କୁଲରେ ଚଳିତବର୍ଷ ୧୪୯ ଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୨୨ ଜଣ ଛାତ୍ରୀ ଅନୁପସ୍ଥିତ ଅଛନ୍ତି। ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ଉତ୍ତର ମିଳିପାରିନାହିଁ। ସେହିପରି ନୀଳଗିରି ବ୍ଲକ ‌ତେଲିପାଳ ଆଶ୍ରମ ସ୍କୁଲର ୬୭ ଜଣ ଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଠାରେ ମଧ୍ୟ ୮ ଜଣ ଛାତ୍ରୀ ଅନୁପସ୍ଥିତ ଅଛନ୍ତି। ଜିଲ୍ଲାରେ ଏମିତି ୧୦ ପ୍ରତିଶତ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ଓ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ବାବଦରେ ସ୍କୁଲ କର୍ତ୍ତୃପକ୍ଷ ଓ ଜିଲ୍ଲା ଶିକ୍ଷା ବିଭାଗ ତଥ୍ୟ ପ୍ରଦାନ ନକରିପାରିବା ସନ୍ଦେହ ସୃଷ୍ଟି କରିଛି।

ଘରେ ପହଞ୍ଚୁଛନ୍ତି ଶିକ୍ଷକ, ‘ଲେଖି ଦିଅ, ଅସୁସ୍ଥ ଥିବାରୁ ପରୀକ୍ଷା ଦେଉନ’

କଟକ/ସାଲେପୁର/ବାରଙ୍ଗ/ ନିଶ୍ଚିନ୍ତକୋଇଲି : ପିଲା କେଉଁଠି କାଜୁ ବଗିଚାରେ କାମ କରୁଛି ତ କେଉଁଠି ବାପାମା’ଙ୍କ ସହ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଇଛି। କିନ୍ତୁ ଦୁଇ ଦିନ ହେଲା ‘ସମ୍ବାଦ’ରେ ଏ ଖବର ପ୍ରକାଶ ପାଇବା ପରେ ଏବେ ଅନେକ ସ୍କୁଲର ଶିକ୍ଷକ ପରୀକ୍ଷା ଦେଉ ନଥିବା ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରିଛନ୍ତି। ଯେଉଁମାନେ ଗାଁରେ ଥାଇ ପରୀକ୍ଷା ଦେଉ ନାହାନ୍ତି, ସେମାନଙ୍କ ଅଭିଭାବକଙ୍କ ଠାରୁ ଲେଖା ସଂଗ୍ରହ କରୁଛନ୍ତି। ‘ଆ‌ମ ପିଲାର ଦେହ ଖରାପ ଥିବାରୁ ସେ ପରୀକ୍ଷା ଦେବନି..’ ବୋଲି ଲେଖାଇ ଆଣୁଥିବା ସଂପର୍କରେ ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ଅଭିଯୋଗ ହୋଇଛି।

ସାଲେପୁର ହାଇସ୍କୁଲରୁ ଫର୍ମ ପୂରଣ କରି ପରୀକ୍ଷା ଦେଉ ନଥିବା ପୂଜା ଦାସଙ୍କ ବାପା ରମେଶ ଦାସ କହିଛନ୍ତି ଯେ ଝିଅକୁ ପାଠ ପଢାଇବାକୁ ସମ୍ବଳ ନଥିବାରୁ ସେ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ି ସାରିଛି। ତାଙ୍କ ଝିଅ ପାଇଁ କିଏ ଫର୍ମ ପୂରଣ କଲା, ମାଟ୍ରିକ ପରୀକ୍ଷା କେବେ ହେଉଛି, ସେ ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ରମେଶ କହିଛନ୍ତି। ସେହିପରି ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ଯୋଡୁମ୍‌ ହାଇସ୍କୁଲ, ଜିଲିଣ୍ଡାର ଛାତ୍ର ବାବୁ ପ୍ରଧାନଙ୍କ ବାପା ଶ୍ରୀଧର ମୂଲ ଲାଗି ପରିବାର ଚଳାନ୍ତି। ବାବୁ ହିନ୍ଦୋଳର ଏକ ଫାର୍ମରେ କାଜୁ ତୋଳୁଛନ୍ତି। ସେ ମାଟ୍ରିକ୍‌ ପରୀକ୍ଷା ସଂପର୍କରେ କିଛି ବି ଜାଣନ୍ତି ନାହିଁ ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି। ସେହି ବିଦ୍ୟାଳୟର ସତ୍ୟ ରଞ୍ଜନ ବେହେରା ଏବେ କାମ ପାଇଁ ରାଜ୍ୟ ବାହାରକୁ ପଳାଇଛନ୍ତି। ସେହିପରି ବାରଙ୍ଗ ବ୍ଲକ୍‌ ପରମହିଂସ ବିଦ୍ୟାଳୟର ଛାତ୍ର ସୋମନାଥ ବାରିକ୍‌ ଏବେ ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ପଳାଇଥିବା ସୂଚନା ମିଳିଛି।

କଟକ ଜିଲ୍ଲାରେ ୧୪୦୯ଜଣ ପିଲା ଅନୁପସ୍ଥିତ ରହିଥିବାବେଳେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ରେ ୧୨୦, ଡମପଡା ବ୍ଲକ୍‌ରେ ୧୧୪, ନିଶ୍ଚିନ୍ତକୋଇଲିରେ ୧୧୧, ନରସିଂହପୁରରେ ୯୩, ସାଲେପୁରରେ ୮୫, ଆଠଗଡ଼ ଓ ମାହାଙ୍ଗାରେ ୭୬ଜଣ ଲେଖାଏ, ନିଆଳିରେ ୭୫, ବାରଙ୍ଗରେ ୬୪, କଣ୍ଟାପଡାରେ ୫୮, ତିଗିରିଆରେ ୫୧ ପିଲା ଅନୁପସ୍ଥିତ ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର