କନ୍ଦେଇଲା ଗ୍ରେସି: ସମ୍ମାନର ସହ ଶେଷକୃତ୍ୟ କଲା ପୁଲିସ

କୋରାପୁଟ: ପୁଲିସ ପାଇଁ ଯେତେବେଳେ ଅଡୁଆ ସ୍ଥିତି ଉପୁଜେ, ସେତେବେଳେ ଖୋଜାପଡେ ଗ୍ରେସି। ଚୋରଙ୍କୁ ଧରିବାଠାରୁ ଆରମ୍ଭ କରି ବହୁ ଜଘନ୍ୟ ଅପରାଧର ଖିଅ ଦେବାରେ ସେ ସଫଳ ବି ହେଉଥିଲା। ଖେଳକୁଦରେ ବି ଥିଲା ଏକ ନମ୍ବର। ସେଥିପାଇଁ ସେ ଥିଲା ସବୁରି ପ୍ରିୟ। କିନ୍ତୁ ହଠାତ ଆଜି କୋରାପୁଟ ପୁଲିସର ଏହି ସନ୍ଧାନୀ କୁକୁର ଗ୍ରେସିର ମୃତ୍ୟୁ ହୋଇଛି। ଆଉ ତା’ ମୃତ୍ୟୁ ଅନେକ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଆଖିକୁ ଓଦାଆ କରି ଦେଇଛି। ଶେଷରେ ପୁଲିସ ପକ୍ଷରୁ ଗ୍ରେସିକୁ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ କରାଯାଇଛି।

କୋରାପୁଟ ପୁଲିସ ଡଗ ସ୍କ୍ବାର୍ଡର ସନ୍ଧାନୀ କୁକୁର ଗ୍ରେସିର ଆଜି ସକାଳେ ମୃତ୍ୟୁ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲା। ଏହା ପରେ ତା’ର ଚିକିତ୍ସା ଚାଲିଥିଲା। ହେଲେ ଆଜି ସକାଳ ପ୍ରାୟ ସାଢେ ୬ଟାରେ ଗ୍ରେସି ଚିରଦିନ ପାଇଁ ଆଖି ବୁଜି ଦେଇଛି। ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ତାକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ ରଞ୍ଜନ ଦାସଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ ପୁଷ୍ପଗୁଛ ଦେଇ ଶେଷ ସମ୍ମାନ ଜଣାଇଥିଲେ। ୨୦୧୧ ମସିହାରେ ଜନ୍ମ ହୋଇଥିବା ଗ୍ରେସି ୨୦୧୨ରେ ଗ୍ବାଲିଅରରେ ବିଏସଏଫ ଦ୍ୱାରା ପରିଚାଳିତ ନେସନାଲ ଟ୍ରେନିଂ ସେଣ୍ଟର ଫର ଡଗ୍ସରେ ୮ ମାସ ତାଲିମ ନେଇଥିଲା। ତାଲିମ ପାଇବା ପରେ ଗ୍ରେସି ୨୦୧୩ ମସିହାରେ ପ୍ରଥମଥର ପାଇଁ ନବରଙ୍ଗପୁରରେ ନିଯୁକ୍ତି ପାଇଥିଲା। ଏହା ପରେ କଳାହାଣ୍ଡିରେ ଯୋଗ ଦେଇ ୨୦୧୮ ମସିହାରେ କୋରାପୁଟ ସ୍ଥିତ ପୁଲିସ ଡଗ ସ୍କ୍ବାର୍ଡରେ ଯୋଗ ଦେଇଥିଲା ଗ୍ରେସି। ତା’ ସେବା କାଳରେ ରାଜ୍ୟ ସ୍ତରୀୟ ପୁଲିସ ଡ୍ୟୁଟି ମିଟରେ ଭାଗ ନେଇ ୨୦୧୬ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୨୦୧୭ ଓ ୧୮ରେ ତୃତୀୟ ସ୍ଥାନ ଅଧିକାର କରିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଗ୍ରେସି ନିଜ ଜୀବନ କାଳ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ପୁଲିସକୁ ସାହାଯ୍ୟ କରିଛି। ତେଣୁ ତା’ର ଅକାଳ ମୃତ୍ୟୁରେ କୋରାପୁଟ ପୁଲିସରେ ଶୋକର ଛାୟା ଖେଳି ଯାଇଛି। ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଆଜି ଗ୍ରେସିକୁ ଭାବପୂର୍ଣ୍ଣ ବିଦାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର