ମହିଳା ଫାଇନାନ୍ସ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଛଡେଇ ନେଲେ ଟଙ୍କା ବ୍ୟାଗ

ବାଲିପାଟଣା : ବାଲିପାଟଣା ଥାନା ସରାଟ ଶାସନ ନିକଟରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି । ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରେ କଟୁରୀ ଲଗାଇ ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି ।

ସୂଚନା ଅନୁସାରେ , ବନ୍ଧନ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ବର୍ଷାରାଣୀ ସ୍ୱାଇଁ ଚଣାହଟ୍ଟା ଓ ସରାଟ ଶାସନର କେତୋଟି ମହିଳା ସଂଗଠନରୁ ଟଙ୍କା ଆଦାୟ କରି ଫେରୁଥିଲେ । ମଧ୍ୟାହ୍ନ ପ୍ରାୟ ଅଢେଇଟା ବେଳେ ସେ ତାଙ୍କ ଓଡ଼ି ୦୨ ଏସି ୨୬୧୮ ସ୍କୁଟିରେ ଆଙ୍କୁଶପୁର କେନାଲ ବନ୍ଧରେ ସରାଟ ଶାସନ ଭୋଇ ସାହିକୁ ଯାଉଥିଲେ । ଗୋଟିଏ ବାଇକରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ । ଗାଡି ଅଟକିବା ମାତ୍ରେ କର୍ମଚାରୀଙ୍କୁ ଧକା ମାରି ତଳେ ପକାଇ ଦେଇଥିଲେ | ଏବଂ ସ୍କୁଟି ଡ଼ିକି ଖୋଲି ଟଙ୍କା ବ୍ୟାଗ ଜୋର ଜବରଦସ୍ତ ନେବାକୁ ଚେଷ୍ଟା କରିଥିଲେ । ସେହି ସମୟରେ କର୍ମଚାରୀ ଜଣଙ୍କ ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ମାନେ ତାଙ୍କ ବେକରେ କଟୁରୀ ଲଗାଇ ମାରିଦେବାକୁ ଧମକ ଦେଇଥିଲେ । ଅଖିପିଛୁଳାକେ ଟଙ୍କା ବ୍ୟାଗ ଛଡାଇ ଅଠାନ୍ତର ଅଭିମୁଖେ ଦ୍ରୁତ ବେଗରେ ବାଇକ ନେଇ ଚାଲି ଯାଇଥିଲେ । ବ୍ୟାଗରେ ୩୨ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଜରୁରୀ କାଗଜ ଥିଲା । ସୂଚନା ପାଇବା ପରେ ସଂସ୍ଥାର ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥାନାରେ ଅଭିଯୋଗ ପାଇଁ ଯାଇଛନ୍ତି ।

ସମ୍ବନ୍ଧିତ ଖବର