ଅର୍ଥାଭାବ: ହୋଇ ପାରୁନି ଚିକିତ୍ସା, ଯନ୍ତ୍ରଣା ଭୋଗୁଛନ୍ତି ରାନୁ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ବଡ଼ବାହାଳ ଗ୍ରାମର ମାନସ ନାୟକଙ୍କ ଝିଅ ରାନୁ (୧୫)ଙ୍କ ବାମ ଗୋଡ଼ର ଜଙ୍ଘରେ ଘା’ ହୋଇ ଭିତରୁ ହାଡ଼ ଦୁର୍ବଳ ହୋଇ ଖସି ପଡ଼ୁଛି। ଅର୍ଥାଭାବରୁ ପରିବାର ଲୋକ ତାଙ୍କର ଅଧିକ ଚିକିତ୍ସା କରାଇ ପାରୁ ନାହାନ୍ତି। ସୂଚନା ଅନୁଯାୟୀ ରାନୁ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ବାମ ଗୋଡ଼ ଜଙ୍ଘରେ ଏକ ବଥ ହୋଇଥିଲା। ପରିବାର ଲୋକ ନିକଟସ୍ଥ ଛତାବର ମେଡିକାଲରେ ଚିକିତ୍ସା କରିଥିଲେ। କିନ୍ତୁ ପରବର୍ତୀ ସମୟରେ ଉକ୍ତ ସ୍ଥାନରେ ଘା’ ହୋଇ ବାରମ୍ବାର ରକ୍ତସ୍ରାବ ହୋଇଥିଲା। ଭିତରୁ ଟିକିଟିକି ହାଡ଼ ଖଣ୍ଡ ଖସିଥିଲା। ପରିବାର ଲୋକ ତାଙ୍କୁ ଦେବଗଡ଼ ଜିଲ୍ଲା ମେଡିକାଲ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ପରୀକ୍ଷା କରି ଗୋଡ଼କୁ ଅପରେସନ୍‌ କରିଥିଲେ। କିନ୍ତୁ ପରେ ଉକ୍ତ ଗୋଡ଼ରେ ପୁଣି ଅନ୍ୟ ଏକ ସ୍ଥାନରେ ସେହିପରି ଘା’ ହୋଇ ହାଡ଼ ଖସିଥିଲା।

ରାନୁଙ୍କୁ ପୁନର୍ବାର ବୁର୍ଲା ନେଇ ଅସ୍ତ୍ରୋପଚାର କରାଯାଇଥିଲା। ଗୋଡ଼କୁ ୨ ଥର ଅସ୍ତ୍ରୋପଚାର କରି ପରିବାର ଲୋକ ସର୍ବସ୍ୱାନ୍ତ ହୋଇ ସାରିଲେଣି। ଏହା ଭିତରେ ୫ ବର୍ଷ ବିତିଯାଇ ଥିଲେ ମଧ୍ୟ ଅର୍ଥାଭାବରୁ ରାନୁଙ୍କ ଉପଯୁକ୍ତ ଚିକିତ୍ସା କରାଯାଇ ପାରୁ ନଥିବା ପରିବାର ଲୋକ କହିଛନ୍ତି।

ଅପରପକ୍ଷରେ ରାନୁ ଜଣେ ପ୍ରତିଭା ସମ୍ପନ୍ନ ଛାତ୍ରୀ। ସ୍କୁଲ୍‌ରେ ପଢିବା ବେଳେ ସେ ଆନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ପାଇଛନ୍ତି। ଷଷ୍ଠ ଶ୍ରେଣୀରେ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପଢ଼ିବାା ସୁଯୋଗ ପାଇଥିଲେ। କିନ୍ତୁ ଗୋଡ଼ର ଏପରି ଅବସ୍ଥା ଯୋଗୁଁ ମେଡିକାଲରେ ଚିକିତ୍ସା ପାଇଁ ପାଠ ପଢାରେ ବ୍ୟାଘାତ ହୋଇଥିଲେ। ଫଳରେ ସେ ପାଠ ପଢାରୁ ବଞ୍ଚିତ ହୋଇଥିଲେ। ପରେ ପରିବାର ଲୋକ ତାକୁ ଆଦର୍ଶ ବିଦ୍ୟାଳୟରୁ ନାମ କାଟି ବର୍ତମାନ ଗ୍ରାମରରେ ଥିବା ବଡ଼ବାହାଳ ୟୁପି ସ୍କୁଲରେ ନାମ ଲେଖାଇଥିଲେ।

ବର୍ତମାନ ଅର୍ଥାଭାବରୁ ପରିବାର ଲୋକ ଉପଯୁକ୍ତ ଚିକିତ୍ସା ଯୋଗାଇ ପାରୁ ନ ଥିବାରୁ ଗୋଡ ଅଧିକ ଖରାପ ଦିଗକୁ ଗତି କରୁଛି। ସରକାର ଯଦି ଏ ଦିଗରେ ଦୃଷ୍ଟି ଦେଇ ରାନୁକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର