ଧଉଳି: ଧଉଳି ଥାନା ଅଧୀନ ରେବତୀ ନଗର ଅଞ୍ଚଳରେ ଏକ ଫାଇନାନ୍ସ ସଂସ୍ଥାର ଯୁବକ ଓ ଅଟୋ ସଂଗଠନ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଫାଇନାନ୍ସ ସଂସ୍ଥାର ଯୁବକମାନେ ଅଟୋକୁ ଅଟକାଇ ଗାଡ଼ିରୁ ଚାବି ନେଇଯାଇଥିଲେ। ଚାଳକ ଏହାର ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ତାଙ୍କୁ ମାଡ଼ମାରିଥିଲେ। ଅଟୋ ଚାଳକ ମୋବାଇଲ ଫୋନରେ ଅଟୋ ସଂଗଠନର କର୍ମକର୍ତ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିବାରୁ ସେମାନେ ତାଙ୍କ ଅଟୋକୁ ଭଙ୍ଗାରୁଜା କରିବା ସହ ମୋବାଇଲ ଫୋନ ରାସ୍ତାରେ ଫିଙ୍ଗି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଉକ୍ତ ଅଟୋକୁ ରେବତୀନଗର ସ୍ଥିତ ସଂସ୍ଥାର ଷ୍ଟକୟାର୍ଡ଼କୁ ନେଇଯାଇଥିଲେ। ପରେ ଖବର ପାଇ ଭୁବନେଶ୍ବରରୁ ଶତାଧିକ ଅଟୋ ଚାଳକ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଟୋ ଚାଳକ ଓ ଫାଇନାନ୍ସ ସଂସ୍ଥାର ଯୁବକମାନଙ୍କ ମଧ୍ୟରେ ଭୀଷଣ ମାରପିଟ ହୋଇଥିଲା। ଏହାର ପ୍ରତିବାଦରେ ଶତାଧିକ ଅଟୋଚାଳକ ପୁରୀ-କଟକ ଜାତୀୟ ରାଜପଥ ଅବରୋଧ କରିବାକୁ ଉଦ୍ୟମ କରିଥିଲେ।
ସକାଳ ୯ଟା ସମୟରୁ ଦିନ ୧ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ଖବର ପାଇ ଧଉଳି ପିସିଆର ଓ ଥାନା ଅଧିକାରୀ ଦୟାନିଧି ନାୟକ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ୟୁନିଟ-୬ ଅଞ୍ଚଳରେ ରହୁଥିବା ଅଟୋ ଚାଳକ ମିଥୁନ କଂଅର ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ଘଟଣାର ଆପୋଷ ସମାଧାନ ହୋଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ମୁତାବକ ମିଥୁନ ସଂପୃକ୍ତ ଫାଇନାନ୍ସ ସଂସ୍ଥାରୁ ଅଟୋ ଋଣରେ ଆଣିଥିଲେ। ଆଜି ସେ ବରଗଡ଼ ଥାନା ଅଞ୍ଚଳେରେ ଯାତ୍ରୀଙ୍କୁ ଛାଡ଼ି ଫେରୁଥିବା ବେଳେ ଫାଇନାନ୍ସ ସଂସ୍ଥାର ୪ ଜଣ ଯୁବକ ଅଟାକୁ ଅଟକାଇଥିଲେ। ମିଥୁନ ଏହାର ପ୍ରତିବାଦ କରିବାରୁ ସେମାନେ ଅଟୋ ଭଙ୍ଗାରୁଜା କରିବା ସହ ତାଙ୍କ ମୋବାଇଲ ଫୋନ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଅଟୋକୁ ରେବତୀନଗର ସ୍ଥିତ ଷ୍ଟକୟାର୍ଡ଼କୁ ନେଇଯାଇଥିଲେ। ଖବର ପାଇ ସେଠାରେ ଶତାଧିକ ଅଟୋ ଚାଳକ ପହଞ୍ଚିବା ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପରରକୁ ଆକ୍ରମଣ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/WhatsApp-Image-2021-02-06-at-6.09.23-PM.jpeg)