ଜାତୀୟ ରାଜପଥରେ ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି, ପର୍ଯ୍ୟଟକଙ୍କୁ ଗାଡ଼ିରୁ ଓହ୍ଲାଇ ଫିଙ୍ଗିଦେଲେ ଭୋଜିଭାତ ସାମଗ୍ରୀ

ଧଉଳି: ଧଉଳି ଥାନା ଅଧୀନ ଅଞ୍ଚଳରେ ଫାଇନାନ୍ସ କର୍ମଚାରୀ ଜୋର ଜବରଦସ୍ତି ଲୋକଙ୍କ ଗାଡ଼ି ମଟର ଛଡ଼ାଇ ନେଉଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦ କଲେ ବସ ଓ ହାଇୱା ମାଲିକ ଏବଂ କର୍ମଚାରୀ ଫାଇନାନ୍ସ କର୍ମଚାରୀଙ୍କ ଆକ୍ରମଣର ଶିକାର ହେଉଥିବା ସୂଚନା ମିଳିଛି। ଖାଲି ସେତିକି ନୁହେଁ ବସରେ ଯାଉଥିବା ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଉ ନାହାଁନ୍ତି। ବସ ଭିତରୁ ପର୍ଯ୍ୟଟକ ମାନଙ୍କୁ ତଳକୁ ଓହ୍ଲାଇ ଦେବା ସହ ବସ ଭିତରେ ଥିବା ଭୋଜିଭାତ ସାମଗ୍ରୀ ଫିଙ୍ଗି ଦେଉଥିବା ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।

ଏନେଇ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଶାନ୍ତିସ୍ତୂପ ଧଉଳି ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ହଇରାଣ ହରକତ ହେଉଛନ୍ତି। ଏନେଇ ଆଜି ପୁରୀ କଟକ ବାଇପାସ ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଧଉଳି ଶାନ୍ତିସ୍ତୂପ ଆଡ଼କୁ ଆସୁଥିବା ଶ୍ରଦ୍ଧା ସବୁରୀ ନାମକ ଏକ ଘରୋଇ ବସକୁ ଓଡ଼ିଆଣୀ ହୋଟେଲ ନିକଟରେ ୭/୧୦ ଜଣ ଫାଇନାନ୍ସ କର୍ମଚାରୀ ଯୁବକ ଅଟକାଇଥିଲେ। ଡ୍ରାଇଭର ବସ ରୋକିବା ପରେ ବସ ଭିତରକୁ ପଶି ସଂପୃକ୍ତ ଯୁବକମାନେ ପର୍ଯ୍ୟଟକ ମାନଙ୍କୁ ଖାଲି କରି ଦେଇଥିଲେ। ଖାଲି ସେତିକି ନୁହେଁ ବସ ଭିତରେ ଥିବା ଭୋଜିଭାତ ସାମଗ୍ରୀ ତଳକୁ ଫିଙ୍ଗି ଦେଇଥିବା ଭଳି ସଂଙ୍ଗୀନ ଅଭିଯୋଗ କରିଛନ୍ତି।

ଏହାପରେ ଉକ୍ତ ବସକୁ ନେଇଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଜାତୀୟ ରାଜପଥରେ ଉତ୍ତେଜନା ସଂପର୍କରେ ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସେଠାରୁ ପର୍ଯ୍ୟଟକ ମାନଙ୍କୁ ଆଉ ଗୋଟିଏ ବସରେ ପଠାଇଥିବା ଜଣାପଡ଼ିଛି। ଗଣ୍ଡଗୋଳ ଯୋଗୁ ପର୍ଯ୍ୟଟକ ମାନେ ଆଉ ଶାନ୍ତିସ୍ତୂପ ବୁଲିବାକୁ ନଯାଇ ରୁଟ ପରିବର୍ତ୍ତନ କରି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଅଭିମୁଖେ ପଳାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଆଠମଲ୍ଲିକ ଅଞ୍ଚଳରୁ ୩୫ ଜଣ ପର୍ଯ୍ୟଟକ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ସାରି ଶାନ୍ତିସ୍ତୂପ ଅଭିମୁଖେ ଆସୁଥିଲେ। ହେଲେ ବସ ମାଲିକ ମାସିକ କିସ୍ତି ଟଙ୍କା ଫାଇନାନ୍ସ ସଂସ୍ଥାରେ ପୈଠ କରିନଥିବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଉଲ୍ଲେଖଯୋଗ୍ୟ, ପୁରୀ- କଟକ ଜାତୀୟ ରାଜପଥ ସମେତ ଧଉଳି ଛକ ଏବଂ ଉତ୍ତରା ଛକ ନିକଟରେ ଫାଇନାନ୍ସ କର୍ମଚାରୀ ଜଗି ରହି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ମଟର ଛଡ଼ାଇ ନେଇଥିବା ଅଭିଯୋଗ ହେଉଛି। ପୁଲିସ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର