ସଂସାରର ସଂଜ୍ଞା ବୁଝୁବୁଝୁ ଜୀବନ ହାରିଲେ ନବଦମ୍ପତି

ବିବାହର ୨ ମାସ ପରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ବାଲେଶ୍ୱର: ବିବାହକୁ ମାତ୍ର ୨ ମାସ ପୂରିଥିଲା | ସୁନା ସଂସାରକୁ କେମିତି ଗଢିବେ ସେ ନେଇ ଉଭୟ ଦେଖିଥିଲେ ଢେର ସ୍ୱପ୍ନ | ହେଲେ ପରିବାରର ଆର୍ଥିକ ଅନଟନ ହିଁ କାଳ ସାଜିଲା | ଆଉ କୀଟନାଶକ ପିଇ ନବଦମ୍ପତି ଆତ୍ମହତ୍ୟା କରିଛନ୍ତି | ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲାର ସଦର ଥାନାର ଚଷାଖଣ୍ଡ ପଞ୍ଚାୟତର ମଧୁପୁରା ଗ୍ରାମରେ ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ବିଭୂତି ଭୂଷଣ ଜେନାଙ୍କ ପୁଅ ହରିଶଙ୍କର ଜେନା ରାଜମିସ୍ତ୍ରୀ ଭାବରେ କାମ କରନ୍ତି |

ଫେସବୁକରେ କେନ୍ଦୁଝର ଆନନ୍ଦପୁରର ବେବିରାଣୀ ଜେନାଙ୍କ ସହ ତାଙ୍କର ପ୍ରେମ ହୋଇଥିଲା | ଗତ ରଥଯାତ୍ରା ସମୟରେ ଉଭୟଙ୍କ ମଧ୍ୟରେ ସଂପର୍କ ଦୃଢ଼ ହେବାରୁ ଯୁବତୀ ଜଣକ ହରିଶଙ୍କରଙ୍କ ଘରକୁ ଚାଲିଆସିଥିଲେ | ଏହା ପରେ ୨ ମାସ ତଳେ ଉଭୟଙ୍କର ବିବାହ ହୋଇଥିଲା |

ତେବେ କିଛିଦିନ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ହରିଶଙ୍କର ଆହତ ହେବାରୁ ଘରେ ହିଁ ରହିଥିଲେ | ଆଉ ହରିଶଙ୍କରଙ୍କର ପରିବାରବର୍ଗଙ୍କ ସୂଚନା ମୁତାବକ ଆର୍ଥିକ ଅନଟନ ଯୋଗୁଁ ନବଦମ୍ପତି ସବୁବେଳେ ମାନସିକ ଚାପରେ ରହୁଥିଲେ | ଆଉ ଆଜି ଉଭୟ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି | ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ଅଣାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି |

ସମ୍ବନ୍ଧିତ ଖବର