ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକ ପାତ୍ରଗୁଡା ଗ୍ରାମର ବଲରାମ ପୁଟିଆ। ବୟସ ୩୦ ଛୁଇଁଲାଣି। ‌ଯେଉଁ ବୟସରେ ରୋଜଗାର କରି ପରିବାର ଚଳାଇବା କଥା ସେଇ ସମୟରେ ସେ ପରିବାରର ବୋଝ ହୋଇ ପଡିଛନ୍ତି। ‌ଅଜଣା ରୋଗର ଶିକାର ହୋଇ ସେ ଏବେ ଶଯ୍ୟାଶାୟୀ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହିଁ। ପରିବାର କହିଲେ ପତ୍ନୀଙ୍କ ସହ ତିନି ପୁଅ ଓ ଗୋଟିଏ ଝିଅ। ବଳରାମ ଓ ତାଙ୍କ ସ୍ତ୍ରୀ କୁଲି କାମ କରି ପରିବାର ଚଳାଉଥିଲେ। କିନ୍ତୁ ଯୁବକ ବୟସରେ ରୋଗଗ୍ରସ୍ତ ହୋଇଛନ୍ତି ବଳରାମ। ଗତ ୫ ବର୍ଷ ତଳେ ଅଜଣା ରୋଗର ଶିକାର ହୋଇଥିଲେ। ରୋଗଶଯ୍ୟାରେ ପଡିଥିବାରୁ କାମ କରିବାକୁ ସକ୍ଷମ ହୋଇପାରୁନାହାନ୍ତି।  ଏଭଳି ପରିସ୍ଥିତିରେ ବଳରାମଙ୍କ ପତ୍ନୀ ଏବେ ଘର ସମ୍ଭାଳୁଛନ୍ତି। ନିଜେ କୁଲି କାମ କରି ଯାହା ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳେ।

Advertisment

ରୋଗଶଯ୍ୟାରେ ପଡିଥିବା ବଳରାମଙ୍କୁ ଖୁଆଇଦେଲେ ଖାଉଛନ୍ତି ନହେ‌ଲେ ନାହିଁ। ବଳରାମଙ୍କ ସ୍ବାସ୍ଥ୍ୟ ଯେତେବେ‌ଳେ ଖରାପ ହେଲା ତରନ୍ତ ତାଂକୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଦୁଇ ସପ୍ତାହ ରହିବା ପରେ ମଧ୍ୟ ଭଲ ନହେବାରୁ କୋରାପୁଟ ବଡ ମେଡିକାଲକୁ ନିଆଯାଇଥିଲା। ସେଠାରେ ମଧ୍ୟ ପନ୍ଦର ଦିନ ରହି ଚିକିତ୍ସିତ ହେବା ପରେ ମଧ୍ୟ କୌଣସି ଉନ୍ନତି ହେଲା ନାହିଁ। ଡାକ୍ତର ଶେଷରେ କଟକ ବଡ ମେଡିକାଲକୁ ନେବାକୁ ପରାମର୍ଶ ଦେଲେ।

ତେବେ ପାଖରେ ଅର୍ଥ ନଥିବାରୁ ପତ୍ନୀ ବଳରାମଙ୍କୁ ଘରକୁ ଫେରାଇ ଆଣିଥିବା କ୍ଷୋଭର ସହ ପ୍ରକାଶ କରିଥିଲେ। ଏବେ ସେ ପେଟ ପାଇଁ ଦାନା ଯୋଗାଡ କରିବେ ନା ସ୍ବାମୀଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି। ଅନ୍ୟପ‌‌କ୍ଷେ ପିଲାମାନେ ବଡହେବା ସହ ସେମାନଙ୍କ ପାଇଁ ଦୁଇଓଳା ‌ଖାଦ୍ୟଯୋଗାଡ କରିବା ଆବଶ୍ୟକ ହୋଇପଡିଛି ବୋଲି କୁହନ୍ତି ବଳରାମଙ୍କ ପତ୍ନୀ। ପାଖରେ ଅର୍ଥ ନଥିବାରୁ ଶେଷରେ ଦିସାରୀ ଉପରେ ହିଁ ନିର୍ଭର କରି ରହିଛନ୍ତି।

ସ୍ଥାନୀୟ ଦିସାରୀ ବଳରାମଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଦ ଦେଉଥିବା ସେ କହିଥିଲେ। ତେବେ ବଳରାମଙ୍କ ସ୍ବାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଲାଣି। ତୁରନ୍ତ ଚିକିତ୍ସା କରାନଗଲେ ଏକ ଅମୂଲ୍ୟ ଜୀବନ ଅକାଳରେ ଝଡିପଡିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି କୁହାଯାଇଛି। ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ବଳରାମଙ୍କୁ ସହଯୋଗର ହାତ ବଢାଇଲେ ହୁଏତ ସେ ପୁଣି ରୋଗଶଯ୍ୟାରୁ ଉଠି ନିଜର ପୂର୍ବ ଅବସ୍ଥାକୁ ଫେରିପାରନ୍ତେ ବୋଲି ଅଂଚଳବାସୀ ଆଶାବ୍ୟକ୍ତ କରିଛନ୍ତି।