ରାୟଗଡ଼ା ଉଦ୍ୟାନ୍ ବିଭାଗକୁ ଅର୍ଥ ନିଅଣ୍ଟ, ବାଉଁଶ ବାଡ଼ ସୁରକ୍ଷାରେ ୩ କୋଟିର ସଂପତ୍ତି

ରାୟଗଡ଼ା: ବାଉଁଶ ବାଡ଼ ସୁରକ୍ଷାରେ ଜାତୀୟସ୍ତରର ନର୍ସରୀ। ମୁଖ୍ୟ ଫାଟକ ଭାଙ୍ଗି ଯିବା ପରେ ଅର୍ଥ ଅଭାବ ଦର୍ଶାଇ ଏପରି ଉପାୟ ଆପଣାଇଛି ଉଦ୍ୟାନ୍ ବିଭାଗ। ନର୍ସରୀର ମୁଖ୍ୟ ଫାଟକରେ ବାଉଁଶ ତିଆରି ଗେଟ୍ ଲଗାଇ ୩ କୋଟି ଟଙ୍କାର ସଂପତ୍ତି ପ୍ରତି ଆଖି ବୁଜି ଦେଇଛି ବିଭାଗ। ସ୍ଥାୟୀ ଫାଟକ ନଥିବାରୁ ନର୍ସରୀରେ ଅନୁପ୍ରବେଶ ବଢ଼ୁଥିବାରୁ ମୂଲ୍ୟବାନ ଯନ୍ତ୍ରପାତି ଓ ଲକ୍ଷାଧିକ ଟଙ୍କାର ଚାରା ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ। ରାୟଗଡ଼ା ବ୍ଲକର ଭାକୁରଗୁଡ଼ାରେ ରହିଛି ଉଦ୍ୟାନ୍ ବିଭାଗର ନର୍ସରୀ। ସାରା ଜିଲ୍ଲାକୁ ଚାରା ଯୋଗାଉଥିବା ଏହି ନର୍ସରୀକୁ ୨୦୦୫-୦୬ ରେ ଜାତୀୟ ଉଦ୍ୟାନ୍ କୃଷି ମିଶନ୍ ଦ୍ବାରା ବିକଶିତ କରାଯାଇଥିଲା।

ପ୍ରତିବର୍ଷ ବିଭାଗ ଅଧୀନରେ ହେଉଥିବା ଚାରାରୋପଣ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ଉଦ୍ୟାନ୍ ବିଭାଗ ଏବଂ ଜାତୀୟ ଉଦ୍ୟାନ୍ ମିଶନ୍ ପକ୍ଷରୁ ମିଳୁଥିବା ଚାରାକୁ ଏହି ନର୍ସରୀରେ ରଖାଯାଇଥାଏ। ପରେ ଆବଶ୍ୟକତା ଅନୁଯାୟୀ ରାୟଗଡ଼ା, କାଶୀପୁର, କଲ୍ୟାଣସିଂହପୁର, କୋଲନରା ବ୍ଲକକୁ ପ୍ରଦାନ କରାଯାଇଥାଏ। ଏଥିସହିତ ଆମ୍ବ, କାଜୁ ସମେତ ବିଭିନ୍ନ ଫଳ ଓ ଫୁଲ ଗଛର ଚାରା ମଧ୍ୟ ଏହି ନର୍ସରୀରେ ପ୍ରସ୍ତୁତ କରାଯାଉଛି। ଚାରା ନେବା ପାଇଁ ବହୁ ସମୟରେ ନର୍ସରୀ ବାହାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ପରିଲକ୍ଷିତ ରହିଛି। ଗତ ସପ୍ତାହରେ କାଶୀପୁର ବ୍ଲକ୍ ହିତାଧିକାରୀଙ୍କ ପାଇଁ ଉଦ୍ୟାନ୍ ବିଭାଗ ବାହାର ରାଜ୍ୟରୁ ମଗାଇଥିବା ଆମ୍ବ ଚାରା ନେବା ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ଢ଼ିଲା ଫାଟକ ଯୋଗୁ ନର୍ସରୀ ଭିତରକୁ ଚାଷୀ ଧସେଇ ପଶି ଚାରା ଗାଡ଼ିକୁ ନେବା ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ଚାନ୍ଦିଲି ପୁଲିସ ନର୍ସରୀରେ ପହଞ୍ଚି ଚାରା ଗାଡ଼ିକୁ ସୁରକ୍ଷିତ ରଖିବା ସହ ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ପରବର୍ତ୍ତୀ ସମୟରେ ରାୟଗଡ଼ା ଉପଜିଲ୍ଲାପାଳ, ଉଦ୍ୟାନ୍ ବିଭାଗ ଉପନିର୍ଦେଶକଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା। ଅନ୍ୟପକ୍ଷରେ ନର୍ସରୀ ଭିତରେ ଆମ୍ବ ଉଦ୍ୟାନ୍ ଥିବାବ‌େଳେ ବାର୍ଷିକ ଲକ୍ଷାଧିକ ଟଙ୍କାର ଆମ୍ବ ଉତ୍ପାଦନ ‌ହୋଇଥାଏ। ଯାହାକୁ ବିକ୍ରି କରି ବିଭାଗ ନର୍ସରୀର ବିକାଶ କାର୍ଯ୍ୟରେ ଲଗାଇଥାଏ।

ଏଥିସହିତ ବାର୍ଷିକ ରାୟଗଡ଼ା ଜିଲ୍ଲାରୁ ୫୭ ହଜାର ୬୨୮ ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହେଉଥିବାରୁ ବାହାର ରାଜ୍ୟକୁ ନ ପଠାଇ ଏଠାରେ ପ୍ରକ୍ରିୟାକରଣ କରି ଚାଷୀଙ୍କୁ ଲାଭବାନ୍ କରିବା ଆଶାରେ ୨୦୧୬ ରେ ୨ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟରେ ମିଠା ଆମ୍ବ ପ୍ରକ୍ରିୟାକରଣ ୟୁନିଟ୍ ନିର୍ମାଣ କରାଯାଇଛି। ବିଦ୍ୟୁତ୍ ସମସ୍ୟା ଯୋଗୁ ଏହି ପ୍ରକଳ୍ପ ଏବେ ବନ୍ଦ ଥିବାରୁ ମୂଲ୍ୟବାନ ଯନ୍ତ୍ରପାତି ଚୋରି କରି ନେବାକୁ ବହୁବାର ଉଦ୍ୟମ ହୋଇଛି। ଜରାଜୀର୍ଣ୍ଣ ଅବସ୍ଥା ଯୋଗୁ ଗତ କିଛିଦିନ ତଳେ ନର୍ସରୀର ପ୍ରବେଶ ପଥରେ ଲାଗିଥିବା ଗୋଟିଏ ପାର୍ଶ୍ବ ଲୁହା ଗେଟ୍ ଭାଙ୍ଗି ଯାଇଥିଲା। ଲଗାଣ ବର୍ଷା ପ୍ରଭାବରେ ଅନ୍ୟ ପାର୍ଶ୍ବ ଗେଟ୍ ମଧ୍ୟ ଭାଙ୍ଗିଯିବା ପରେ ମୁକୁଳା ପଡିଥିବା ପ୍ରବେଶ ପଥକୁ ବିଭାଗୀୟ କର୍ତ୍ତୃପକ୍ଷ ବାଉଁଶ‌ରେ ତିଆରି ଗେଟ୍ ଲଗାଇ କାମ ଚଳାଇ ନେଇଛନ୍ତି। ୩୨୬ ନଂ ଜାତୀୟ ରାଜପଥର ନିଛାଟିଆ ଅଞ୍ଚଳରେ ନର୍ସରୀ ଥିବାରୁ ମୁଖ୍ୟ ଫାଟକ ତୁରନ୍ତ ନିର୍ମାଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନ ହେଲେ ଚୋରି ହେବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ।

ସମ୍ବନ୍ଧିତ ଖବର