ଖୋର୍ଦ୍ଧା:୨୦୨୨ରେ ବାଣପୁର ବ୍ଲକ କୁଲେଇ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଯୋଜନାରେ ପଞ୍ଚାୟତ ପୋଖରୀର ମରାମତି କରାଯାଇଥିଲା। ତେବେ ଏହି ପ୍ରକଳ୍ପରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହେବା ପରେ ମନରେଗା ଓମ୍ବଡସମନ୍ ପ୍ରାୟ ୧ ବର୍ଷ ତଦନ୍ତ କରିବା ପରେ ପ୍ରକଳ୍ପ କାର୍ଯ୍ୟ କରିଥିବା କର୍ତ୍ତୃପକ୍ଷଙ୍କ ଠାରୁ ଅତିରିକ୍ତ ଖର୍ଚ୍ଚ ହୋଇଥିବା ୪୪ ହଜାର ଟଙ୍କା ଆଦାୟ କରିବା ଓ ସୂଚନା ଫଳକରେ ପ୍ରକଳ୍ପ ସମ୍ପର୍କରେ ସଠିକ ସୂଚନା ଦେଇ ନଥିବାରୁ ଜିଆର୍ଏସ୍ଙ୍କୁ ୧ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋଖରୀ ଖୋଳାରେ ଶ୍ରମିକ ବଦଳରେ ଯନ୍ତ୍ର ବ୍ୟବହାର ହୋଇଥିବା, ଶ୍ରମିକଙ୍କୁ ମଜୁରୀ ମିଳି ନଥିବା ଓ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ସଠିକ ଦିଆଯାଇ ନଥିବା ଆଦି ନେଇ ସେହି ଗ୍ରାମର ପ୍ରଦୀପ କୁମାର ମହାପାତ୍ର ଓମ୍ବଡସ୍ମନ୍ଙ୍କ ଠାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଭିତ୍ତିରେ ୩/୨୦୨୨ରେ ଏକ ମାମଲା ରୁଜୁ କରି ଓମ୍ବଡସ୍ମନ୍ ତଦନ୍ତ ଆରମ୍ଭ କରିଥିଲେ। ଏନେଇ ୨୦୨୨ ଅଗଷ୍ଟ ୮ରେ ପ୍ରଥମ ଶୁଣାଣି ହୋଇଥିଲା। ଏହାପରେ ସ୍ଥାନୀୟ ମନରେଗା କର୍ତ୍ତୃପକ୍ଷ ବିଡିଓ, ସରପଞ୍ଚ, ଏଇଇ, ଜେଇ, ପିଇଓ ଏବଂ ଅଭିଯୋଗକାରୀଙ୍କ ଉପସ୍ଥିତିରେ ୨୦୨୨ ସେପ୍ଟମ୍ବର ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହୋଇଥିଲା। ଏହାପରେ ଓମ୍ବଡସ୍ମନ୍ ବାଣପୁର ବିଡିଓଙ୍କୁ ଏହାର ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ରିପୋର୍ଟ ମିଳିବା ପରେ ୨୦୨୨ ସେପ୍ଟମ୍ବର ୨୭ ତାରିଖରେ ଅତିରିକ୍ତ ଇଓ (ବୈଷୟିକ), ବିଡିଓ, ସରପଞ୍ଚ ଓ ଅନ୍ୟ ମନରେଗା କର୍ତୃପକ୍ଷଙ୍କ ସହ ଓମ୍ବଡସ୍ମନ୍ ପୋଖରୀ ଯାଞ୍ଚ କରିବାକୁ ଯାଇଥିଲେ। ସେଠାରେ ସୂଚନା ଫଳକରେ ସଠିକ ତଥ୍ୟ ନଥିବା ଦେଖିଥିଲେ।
ପୋଖରୀରେ ପାଣି ଥିବାରୁ ଚଳିତବର୍ଷ ମଇ ୧୨ ତାରିଖରେ ପୁଣି ଥରେ ଯାଞ୍ଚ କରାଯାଇଥିଲା। ମୋଟ ପ୍ରକଳ୍ପ ଅନୁଦାନ ୮ ଲକ୍ଷଟଙ୍କାରୁ ୭ଲକ୍ଷ ୧୭ ହଜାର ୨୦୦ଟଙ୍କା ୬୨ଜଣ ଶ୍ରମିକଙ୍କ ମଜୁରୀ ଓ ଅନ୍ୟ ସାମଗ୍ରୀ ବାବଦରେ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲା। ତେବେ ଯାଞ୍ଚରେ ପ୍ରକୃତ ଖର୍ଚ୍ଚ ୬ଲକ୍ଷ୫୮ହଜାର ୭୫ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଥଲା। ଏହା ବ୍ୟତୀତ, ଶ୍ରମିକଙ୍କୁ ମଜୁରୀ ମିଳିନଥିବା, ପ୍ରକଳ୍ପରେ ଏକ୍ସାଭେଟର ଆଦି ବ୍ୟବହାର ହୋଇଥିବା ଅଭିଯୋଗ ମିଥ୍ୟା ବୋଲି ଓମ୍ବଡସ୍ମନ୍ ଜାଣିବାକୁ ପାଇଥିଲେ। ତେବେ କମ୍ ମାଟି ଖୋଳି ଏହି ବାବାଦକୁ ଶ୍ରମିକଙ୍କ ମଜୁରୀ ଖର୍ଚ୍ଚ ଅଧିକ ଦେଖାଇଥିବାରୁ ଅତିରିକ୍ତ ଖର୍ଚ୍ଚ ହୋଇଥିବା ୪୪ ହଜାର ୧୧୫ ଟଙ୍କା ସ୍ଥାନୀୟ ମନରେଗା କର୍ତୃପକ୍ଷଙ୍କ ଠାରୁ ଆଦାୟ କରିବା ଓ ସଠିକ ସୂଚନା ଫଳକରେ ସ୍ଥାନିତ କରିନଥିବାରୁ ଜିଆର୍ଏସ୍ଙ୍କ ଠାରୁ ୧ ହଜାର ଟଙ୍କା ଆଦାୟ କରିବାକୁ ଚଳିତବର୍ଷ ଜୁଲାଇ ୧୦ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବାଣପୁର ବିଡିଓ ଶୀଥଲ ଅଗ୍ରୱାଲ୍ଙ୍କୁ ପଚାରିବାରେ ସେ କହିଛନ୍ତି ନିର୍ଦ୍ଦେଶ ଅନୁସାରେ ଟଙ୍କା ଆଦାୟ ହୋଇଛି ଓ ଏହା ଯଥାଶୀଘ୍ର ଜମା କରି ଦିଆଯିବ।