ଟ୍ରାଫିକ୍‌ ନିୟମ ଉଲଂଘନ: ୮୪ ଜଣଙ୍କ ଠାରୁ ଲକ୍ଷେ ୭ ହଜାର ଟଙ୍କା ଜରିମାନା ଆଦାୟ

ବାଲେଶ୍ୱର/ଭଦ୍ରକ: ଟ୍ରାଫିକ୍‌ ନିୟମ ଉଲଂଘନ କରିବା ଅଭିଯୋଗରେ ରବିବାର ବାଲେଶ୍ୱର ଓ ଭଦ୍ରକ ପୁଲିସ ୧ ଲକ୍ଷ ୭ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଦୁଇ ସହରରେ ୮୪ ଜଣ ନିୟମ ଉଲଂଘନକାରୀଙ୍କ ଠାରୁ ପୁଲିସ ଏହି ଜରିମାନା ଆଦାୟ କରିଛି।

ରିପୋର୍ଟ ଅନୁସାରେ ମଦ ପିଇ ଏବଂ ବିନା ହେଲମେଟରେ ଗାଡ଼ି ଚଳାଇବା ଅଭିଯୋଗରେ ପୁଲିସ ଆଜି ବାଲେଶ୍ୱରରେ ୨ ଜଣ ବାଇକ ଆରୋହୀଙ୍କୁ ଗିରଫ କରିଛି। ସେହିପରି ବାଲେଶ୍ୱର ପୁଲିସ ଆଜି ଟ୍ରାଫିକ ଧରପଗଡ଼ ସମୟରେ ୬୫ ଜଣଙ୍କ ଠାରୁ ୬୫ ହଜାର ଟଙ୍କା ଜରିମାନା ଆଦାୟ କରିଛି। ପୁଲିସ ସୂଚନା ଅନୁସାରେ ଆଜି ସକାଳୁ ୨ ଘଣ୍ଟା ଟ୍ରାଫିକ ଯାଞ୍ଚ କରାଯାଇଥିବା ବେଳେ ସନ୍ଧ୍ୟା ପରଠାରୁ ରାତି ୯ଟା ଯାଏଁ ଏହି କାମ ଜାରି ରହିବ।

ଭଦ୍ରକ ଟାଉନ୍‌ ପୁଲିସ ୧୯ ଜଣ ଟ୍ରାଫିକ୍‌ ନିୟମ ଉଲଂଘନକାରୀଙ୍କ ଠାରୁ ୪୨ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଜରିମାନା ଟଙ୍କା ଦେଇଥିବା ଲୋକେ ଗାଡ଼ି ଚଳାଇବା ବେଳେ ହେଲମେଟ ପିନ୍ଧି ନ ଥିଲେ ଅଥବା ସିଟ୍‌ ବେଲ୍ଟ ବାନ୍ଧି ନଥିଲେ।

ସମ୍ବନ୍ଧିତ ଖବର