ଝାରସୁଗୁଡ଼ା: ସେବା ପ୍ରଦାନରେ ବିଫଳ ହେବାରୁ ଜିଲ୍ଲା ଖାଉଟି ଅଦାଲତରେ ଷ୍ଟାର୍‌ ହେଲ୍‌ଥ ବୀମା କମ୍ପାନି ଦଣ୍ଡିତ ହୋଇଛି। ଅଭିଯୋଗ ଅନୁସାରେ, ଝାରସୁଗୁଡ଼ା ମୁଙ୍ଗାପଡ଼ାର ପବନ ଅଗ୍ରୱାଲ ୨୦୨୦ ମସିହାରେ ଫ୍ୟାମିଲି ହେଲ୍‌ଥ ଅପଟିମା ବୀମା ନେଇଥିଲେ। ୨୦୨୧ ଏପ୍ରିଲ ୧୯ ତାରିଖରେ ଶ୍ରୀ ଅଗ୍ରୱାଲଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେହି ମାସ ୨୩ ତାରିଖରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସରକାରୀ ହସ୍ପିଟାଲରେ ଜାଗା ନଥିବାରୁ ସେ ବାଧ୍ୟ ହୋଇ ସ୍ତ୍ରୀଙ୍କୁ ରାଉରକେଲାର ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ୨୯ ତାରିଖରେ ତାଙ୍କ ସ୍ତ୍ରୀ ସୁସ୍ଥ ହୋଇଥିବା ବେଳେ ହସ୍‌ପିଟାଲ୍‌ ବିଲ୍‌ ୧ ଲକ୍ଷ ୮୪ ହଜାର ୮୦୯ ଟଙ୍କା ହୋଇଥିଲା। ଏ ନେଇ ସେ ବୀମା କମ୍ପାନିକୁ ଯୋଗାଯୋଗ କରିବାରେ, ବୀମା କମ୍ପାନି ଟଙ୍କା ଦେବାକୁ ମନା କରିବା ସହିତ କ୍ବାରେଣ୍ଟାଇନ୍‌ରେ ବି ତାଙ୍କ ସ୍ତ୍ରୀ ଭଲ ହୋଇପାରିଥାନ୍ତେ ବୋଲି ଉତ୍ତର ରଖିଥିଲା।

Advertisment

ଏହା ପରେ ଶ୍ରୀ ଅଗ୍ରଓ୍ବାଲ ଅନନ୍ୟୋପାୟ ହୋଇ କମ୍ପାନିକୁ ଲିଗାଲ୍‌ ନୋଟିସ୍‌ ପଠାଇଥିଲେ। ଏହାପରେ ଷ୍ଟାର୍‌ ହେଲ୍‌ଥ ପକ୍ଷରୁ ଶ୍ରୀ ଅଗ୍ରୱାଲଙ୍କ ଆକାଉଣ୍ଟକୁ ୯୩,୨୪୩ ଟଙ୍କା ଆସିଥିଲା। ଯାହାକୁ ସେ ବିରୋଧ କରିବା ସହ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ଏହି ମାମଲାର ବିଚାର କରି ଷ୍ଟାର ହେଲ୍ଥ କମ୍ପାନିର ପରିଚାଳନା ନିର୍ଦ୍ଦେଶକ, ଶାଖା ପରିଚାଳକ ଓ ଅଭିଯୋଗ ସମାଧାନ ଅଧିକାରୀଙ୍କୁ ଦଣ୍ଡିତ କରିଛନ୍ତି। ୧ ମାସ ମଧ୍ୟରେ ଶ୍ରୀ ଅଗ୍ରୱାଲଙ୍କୁ ବଳକା ୯୧,୫୬୬ ଟଙ୍କା, ମାନସିକ ନିର୍ଯାତନା ବାବଦକୁ ୨୫ ହଜାର ଟଙ୍କା କ୍ଷତିପୂରଣ ଓ ମାମଲା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଉଟି ଅଦାଲତର ସଭାପତି ଜିଗୀଷା ମିଶ୍ର ଓ ଅଞ୍ଜୁ ଅଗ୍ରୱାଲ ମାମଲାର ଶୁଣାଣି କରିଥିଲେ।