ଟଙ୍କା ମାଗିବାରୁ ଦାଦନ ଶ୍ରମିକର ୮ ଆଙ୍ଗୁଳି କାଟିଦେଲା ଦଲାଲ!

ନୂଆପଡ଼ା: ଜଣେ ଓଡ଼ିଆ ଦାଦନ ଶ୍ରମିକ ମହାରାଷ୍ଟ୍ରରେ ନିର୍ଯାତନାର ଶିିକାର ହୋଇଛନ୍ତି। ଶ୍ରମିକଙ୍କୁ ଦଲାଲ ନୃଶଂସ ଭାବେ ଆଙ୍ଗୁଳି କାଟିଥିବା ଅଭିଯୋଗ ହୋଇଛି। କାମ କରିଥବା ବାକି ଟଙ୍କା ମାଗିବାରୁ ନୂଆପଡ଼ା ଜିଲ୍ଲାର ଜଣେ ଦାଦନ ଶ୍ରମିକର ୮ଟି ଆଙ୍ଗୁଳି କାଟି ଦେଇଛି ଦଲାଲ। ଦଲାଲ ଅତି ନୃଶଂସତାର ସହ ହାତର ୩ଟି ଆଙ୍ଗୁଳି ଓ ଗୋଡ଼ର ୫ଟି ଆଙ୍ଗୁଳି କାଟିବା ପରେ ଷ୍ଟେସନରେ ଫିଙ୍ଗି ଦେଇ ଚାଲିଯାଇଥିଲା। ପରେ ରେଳବାଇ ପୁଲିସ ପୀଡ଼ିତ ଦାଦନଙ୍କୁ ଉଦ୍ଧାର କରି ନୂଆଁପଡ଼ା ପଠାଇଛି। ପରିବାର ଲୋକଙ୍କ ପକ୍ଷରୁ ଏହି ଅଭିଯୋଗ ଅଣାଯାଇଥିବା ଶନିବାର ଜଣାପଡ଼ିଛି।

ସୂଚନା ଅନୁସାରେ ନୂଆଁପଡ଼ା ଜିଲ୍ଲାର କୋମନା ଥାନା ଅନ୍ତର୍ଗତ ଟିକିରାପଡ଼ା ଗାଁରୁ ଗତ ରଥଯାତ୍ରା ସମୟରେ ଜଣେ ଶ୍ରମିକ ଚମରା ପହରିଆ (୬୦) ଦାଦନ ଖଟିବା ପାଇଁ ମହାରାଷ୍ଟ୍ରର ନାଗପୁର ଅଞ୍ଚଳକୁ ଯାଇଥିଲେ। ଏହି ଶ୍ରମିକ ଜଣକ ନିଜ ଗାଁର ଦଲାଲ ଡୋଲା ସତନାମି ଓ ବିଦେଶୀ ସୁନାମୀଙ୍କ ମାଧ୍ୟମରେ ନାଗପୁର ଯାଇଥିଲେ। ଚମରା ନାଗପୁରସ୍ଥିତ କ୍ରିଷ୍ଣା ପବ୍ଲିକ ସ୍କୁଲ କୋଠାରେ କାମ କରୁଥିଲେ। ଘଟଣା ଦିନ ଦାଦନ ଦଲାଲମାନେ ଚମରାଙ୍କୁ ମଦ ପିଆଇ ଆଙ୍ଗୁଳି କାଟିଥିଲେ। ପରେ ସେଠାରୁ ଫେରାର ହୋଇଯାଇଥିଲେ। ଚମରାଙ୍କୁ ରେଳବାଇ ପୁଲିସ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସେ ନାଗପୁରରୁ ଟ୍ରେନରେ କଣ୍ଟାବାଞ୍ଜି ଆସିଥିଲେ। ପରେ ସେ ଗାଁକୁ ଯାଇଥିଲେ। ବର୍ତ୍ତମାନ ଚମରାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଚମରା ନାଗପୁରରେ ପହଂଚିବା ପରେ କିଛି ଦିନ ଠିକ୍‌ଠାକ କାମ କରିଥିଲେ। ମାତ୍ର ପରେ ଦଲାଲଙ୍କ ଦ୍ୱାରା ସେମାନେ ନିର୍ଯାତନାର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର