ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ ମାର୍କେଟରେ ରହୁଥିବା ତାରକେଶ୍ୱର ଦାସଙ୍କ ପତ୍ନୀ ଦୀପିକା ଦାସ (୨୭)ଙ୍କ ଝୁଲନ୍ତା ମୃତ ଦେହ ସୋମବାର ସନ୍ଧ୍ୟାରେ ତାଙ୍କର ଶୋଇବା ଘରୁ ଉଦ୍ଧାର କରାଯାଇଛି। ଓଢ଼ଣୀରେ ପଙ୍ଖାରେ ତାଙ୍କ ଶବ ଝୁଲୁଥିବା ପରିବାର ଲୋକ ଦେଖିଥିବା କହିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ ଘଟଣା ସଂପର୍କରେ ସ୍ୱାମୀ ତାରକେଶ୍ୱର ବ୍ରଜରାଜନଗର ଥାନା ରାମପୁର ଫାଣ୍ଡିକୁ ଜଣାଇଥିଲେ। ପରେ ଏ ସମ୍ପର୍କରେ ଦୀପିକାଙ୍କ ବାପଘର ମୟୂରଭଞ୍ଜ ଜିଲ୍ଲା  ବାରିପଦା ସଦର ଥାନା ଅନ୍ତର୍ଗତ ବୁଢ଼ୀଖମାରୀ ଗ୍ରାମରେ ଥିବା ତାଙ୍କ ଭାଇକୁ ଜଣାଇଥିଲେ।

Advertisment

ଆଜି ଅପରାହ୍ନରେ ଦୀପିକାଙ୍କ ଭାଇ ବଟକୃଷ୍ଣ ପରିଡ଼ା ବ୍ରଜରାଜନଗର ପହଞ୍ଚିବା ପରେ ପୁଲିସ ଓ ମ୍ୟାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ଝାରସୁଗୁଡ଼ା ତହସିଲଦାର କୁଳମଣି ରଣବିଡ଼ାରଙ୍କ ଉପସ୍ଥିତିରେ ଘର କବାଟ ଖୋଲି ଶବ ତଳକୁ ଓହ୍ଲାଇ ତଦନ୍ତ କରିଥିଲେ। ସାଇଣ୍ଟିଫିକ୍‌ ଟିମ ଉପସ୍ଥିତ ରହି ନମୁନା ସଂଗ୍ରହ କରିଥିଲା। ଘଟଣାସ୍ଥଳରେ ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ସେଠ, ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳାଇ ଉପସ୍ଥିତ ଥିଲେ। ଏହାର ତଦନ୍ତ ଭାର ଏସ୍‌ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ନେଇଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ। ଅପରପକ୍ଷେ ଦୀପିକାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ଭାଇ ବଟକୃଷ୍ଣ ଲିଖିତ ଭାବେ ବ୍ରଜରାଜନଗର ଥାନାରେ ଜଣାଇଛନ୍ତି। ଭଉଣୀ ଗର୍ଭବତୀ ଥିବା ସେ ଉଲ୍ଲଖ କରିଛନ୍ତି।

ଯୌତୁକ ପାଇଁ ଏଭଳି କରାଯାଇଥିବା ଉଲ୍ଲେଖ କରି ସ୍ୱାମୀ ତାରେକେଶ୍ୱର (୩୧), ଶାଶୂ ମାନସୀ ଦାସ (୫୫), ନଣନ୍ଦ ସନ୍ଧ୍ୟା ପରିଡା ଓ ନଣଦେଇ ଦିନେଶଙ୍କ ନାଁରେ ଅଭିଯୋଗ କରିଛନ୍ତି। ଗତବର୍ଷ ଜୁନ ୨୬ ତାରିଖରେ ବୈଦିକ ରୀତିରେ ତାରକେଶ୍ବର ଓ ଦୀପିକାଙ୍କ ବିବାହ ହୋଇଥିଲା। ଯୌତୁକ ବାବଦରେ ୧ଲକ୍ଷ ଟଙ୍କା ଓ ୬ ଲକ୍ଷ ଟଙ୍କାର ଗହଣା ସହିତ ଅନ୍ୟ ଆସବାବପତ୍ର ଦିଆଯାଇଥିଲା। ବିବାହର ମାସକ ପରେ ସେମାନେ ଅଧିକ ୪ଲକ୍ଷ ଟଙ୍କା ଦାବି କରିଥିଲେ। ସେଥିପାଇଁ ଶାଶୂ, ସ୍ୱାମୀ, ନଣନ୍ଦ ଓ ନଣଦେଇ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିଲେ ବୋଲି ବଟକୃଷ୍ଣ ଅଭିଯୋଗରେ ଦର୍ଶାଇଛନ୍ତି। ଦାବି ଅନୁଯାୟୀ ସାବିତ୍ରୀ ଅମାବାସ୍ୟା ଭାର ସହିତ ଅଧିକ ୧ ଲକ୍ଷ ଟଙ୍କା ଦେଇଥିଲେ ବୋଲି କହିଛନ୍ତି। ତଥାପି ସେମାନେ ଏଥିରେ ସନ୍ତୁଷ୍ଟ ନଥିଲେ। ସେଥିପାଇଁ ଭଉଣୀ ଗର୍ଭବତୀ ଥାଇ ମଧ୍ୟ ତାକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି।