ରାୟଗଡ଼ା: ଛାତ୍ର ନିଖୋଜକୁ ୧୧ ଦିନ ବିତିଲାଣି। ବହୁ ଖୋଜାଖୋଜି ପରେ ନିଖୋଜ ଛାତ୍ରର ପତ୍ତା ମିଳିପାରୁନି। ସ୍କୁଲ୍ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକଙ୍କ ଖୋଳତାଡ଼ ପରେ ନିଖୋଜର ୧୦ ଦିନ ପରେ ଶେଷଖାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଆଜି ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସହପାଠୀଙ୍କ ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ର ମୃତ୍ୟୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ସ୍କୁଲରୁ ପୁଣି ଜଣେ ଛାତ୍ର ନିଖୋଜ ଘଟଣା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଡ଼ୁଆରେ ପକାଇଛି।
ରାୟଗଡ଼ା ବ୍ଲକ୍ ଡାଙ୍ଗଲୋଡି ପଞ୍ଚାୟତ ପେନିକଣା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଲିଙ୍ଗରାଜ ନାୟକ। କାଶୀପୁର ବାସିନ୍ଦା ଚିତ୍ର ନାୟକଙ୍କ ପୁଅ ଲିଙ୍ଗରାଜ ଓ ଝିଅ ଧର୍ମେନ୍ଦ୍ରି ନାୟକ ପେନିକଣା ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ଉଭୟେ ହଷ୍ଟେଲରେ ରହି ଆସୁଛନ୍ତି। ଗତ ୧୭ ତାରିଖରେ ଲିଙ୍ଗରାଜ ସ୍କୁଲରେ ମଧ୍ୟାହଣ୍ ଭୋଜନ ଖାଇବା ପରଠାରୁ କୁଆଡ଼େ ଚାଲି ଯାଇଛନ୍ତି। ଘଟଣାର ସପ୍ତାହକ ପରେ ଭାଇ ଲିଙ୍ଗରାଜ ସ୍କୁଲରେ ନଥିବା ଖବର ପାଇ ଭଉଣୀ ଧର୍ମେନ୍ଦ୍ରି ଘରକୁ ଖବର ଦେଇଥିଲେ। ଖବର ପାଇ ବାପା ଚିତ୍ରାଙ୍କ ସମେତ ପରିବାର ଲୋକ ଗୁରୁବାର ସ୍କୁଲରେ ପହଞ୍ଚି ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲେ। ସ୍କୁଲ୍ କର୍ତ୍ତୃପକ୍ଷ- ପରିବାର ଲୋକ ମିଳିତ ଭାବେ ରାୟଗଡ଼ା ସହର ସମେତ ଆଖାପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ଲିଙ୍ଗରାଜଙ୍କ ପତ୍ତା ପାଇନଥିଲେ।
ଘଟଣା ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ ଅବଗତ ପରେ ଶେଷଖାଲ ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ ହୋଇଛି। ଥାନା କର୍ତ୍ତୃପକ୍ଷ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପ୍ରଧାନ ଶିକ୍ଷକ ଡମ୍ବରୁଧର କନ୍ଧପାଣି, ହଷ୍ଟେଲ୍ ଇନଚାର୍ଜ ରମେଶ କୁମାର ନାୟକ ଓ ସହପାଠୀଙ୍କୁ ପଚରାଉଚରା କରିଛନ୍ତି। ତେବେ ହଷ୍ଟେଲରୁ ଛାତ୍ର ନିଖୋଜ ସଂପର୍କରେ ଅଭିଭାବକଙ୍କୁ ଅବଗତ ନ କରିବା, ପୁଲିସକୁ କୌଣସି ସୂଚନା ନ ଦେବା ହଷ୍ଟେଲ୍ ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛାତ୍ରୀ ନିବାସରେ ୱାର୍ଡେନ୍ ରହୁଥିବା ବେଳେ ଛାତ୍ରାବାସ ଦାୟିତ୍ବରେ କେହି ନଥିବାରୁ ରୀତିମତ ଅନ୍ତେବାସୀ ବାହାରକୁ ଯାଇ ବୁଲାବୁଲି କରି ହଷ୍ଟେଲକୁ ଫେରୁଥିବା ନେଇ ଅଭିଭାବକ ଓ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସଂଧ୍ୟା ପରେ ସ୍କୁଲରେ କୌଣସି ଶିକ୍ଷକ ରହୁନଥିବାରୁ ଛାତ୍ରାବାସ ଅନ୍ତେବାସୀ ସ୍କୁଲ୍ ବାହାରେ ମଧ୍ୟ ରାତି ପର୍ଯ୍ୟନ୍ତ ବୁଲାବୁଲି କରୁଛନ୍ତି। ସୂଚନାଯୋଗ୍ୟ, ପେନିକଣା ଉଚ୍ଚବିଦ୍ୟାଳୟ ଛାତ୍ରୀ ନିବାସରେ ୨୧୭ ବାଳିକା, ଛାତ୍ରାବାସରେ ୯୩ ବାଳକ ରହୁଥିବା ବେଳେ ୧୭ ଜଣ ଦୈନିକ ସ୍କୁଲକୁ ଯାତାୟାତ କରି ଅଧ୍ୟୟନ କରୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ ସୁରକ୍ଷା ଦାୟିତ୍ବ ପ୍ରତି ବିଭାଗ ସଂପୂର୍ଣ୍ଣ ଭାବେ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି।