ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ନାମରେ ତାପସୀ ପ୍ରହରାଜ ଦେଲେ ଏତଲା

ଭଦ୍ରକ: ବିରୋଧୀ ଦଳର ଉପନେତା ତଥା ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ନାମରେ ଆଜି ଭଦ୍ରକ ଟାଉନ ଥାନା‌ ଆଇଆଇସିଙ୍କ ନିକଟରେ ସର୍ବ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତିର ସମ୍ପାଦିକା ତାପସୀ ପ୍ରହରାଜ ଏତଲା ଦେଇଛନ୍ତି। ଶ୍ରୀମତୀ ପ୍ରହରାଜ ଗତକାଲି ଭଦ୍ରକରେ ହୋଟେଲ ଓରିୟନ ସଭା କକ୍ଷରେ ବିଶ୍ବ ମାନବାଧିକାର ଦିବସ ପାଳନ ଅବସରରେ ଏକ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଇ ସଭାରେ ମଧ୍ୟ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଯୋଗଦେଇଥିଲେ। ବିଷ୍ଣୁ ନିଜର ଭାଷଣ ଦେବା ବେଳେ ନିଜ ବକ୍ତବ୍ୟରେ କହିଲେ, ମହିଳାମାନେ କେବେ ପୁରୁଷଙ୍କ ସହ ସମାନ ହୋଇପାରିବେ ନାହିଁ। ସେମାନେ ଅଧିକାର ନାମରେ ସ୍ବେଚ୍ଛାଚାରିତା କରିବାର ଲାଇସେନସ୍ ମାଗୁଛନ୍ତି।ସେମାନେ ଚାହୁଁଛନ୍ତି, ସ୍ବାମୀମାନେ ସ୍ତ୍ରୀର ପଦ ଲେହନ କରୁ। ମହିଳାମାନଙ୍କ ବିରୁଦ୍ଧରେ ଏଭଳି ମନ୍ତବ୍ୟ ସଭା ମଞ୍ଚ ଦେବା ଘଟଣାକୁ ସଭାମଞ୍ଚରେ ଅତିଥି ଭାବେ ବସିଥିବା ତାପସୀ ପ୍ରହରାଜ ଗ୍ରହଣ କରିପାରି ନଥିଲେ।

ମହିଳାମାନଙ୍କ ଅଧିକାର, ସମ୍ମାନ, ସୁରକ୍ଷା ଓ ସ୍ବାଭିମାନ ପାଇଁ ସଂଗ୍ରାମ କରୁଥିବା ତାପସୀଙ୍କୁ ବିଷ୍ଣୁଙ୍କର ଏଭଳି ମନ୍ତବ୍ୟ ଅସହ୍ୟ ହୋଇପଡିଲା। ସଭାରେ ଉପସ୍ଥିତ ଥିବା ସଭାପତି ତଥା ବରିଷ୍ଠ ଅଧିବକ୍ତା ଟହଲି ମହାନ୍ତିଙ୍କୁ ଅନୁମତି ମାଗି ସଭାସ୍ଥଳ ଛାଡିବାକୁ ତାପସୀ ଉଦ୍ୟମ କରୁଥିବେ ବେଳେ ବିଷ୍ଣୁ ତାଙ୍କୁ ଉତକ୍ଷିପ୍ତ ଭାଷାରେ ଗାଳି ଗୁଲଜ କରିଥିଲେ। ଏଠାରୁ ଇଞ୍ଚେ ଘୁଂଚାଇ ଦେବି ନାହିଁ ବୋଲି ଧମକ ଦେଇଥି‌ଲେ। ତାପସୀ ଆଜି ନିଜ ଏତଲାରେ ଏହାର ପ୍ରକାଶ କରିଛନ୍ତି। ତାପସୀଙ୍କ ସହ ଭଦ୍ରକ ଜିଲ୍ଲା ଗଣତାନ୍ତ୍ରି ମହିଳା ସମିତିର ସଭାପତି, ସଂପାଦିକା ଓ ଅନ୍ୟ କର୍ମକର୍ତ୍ତା, ସିଟୁ ନେତା ତଥା ଆଇନଜୀବୀ ଦିବ୍ୟସିଂହ ନାପୟକ ପ୍ରମୁଖ ଭଦ୍ରକ ଏସପି ଅଫିସକୁ ଯାଇଥିବା ବେଳେ ସେଠାରେ ସେ ଏସପିଙ୍କୁ ଭେଟି ବିରୋଧୀ ଦଳର ଉପନେତାଙ୍କର ଏଭଳି ମହିଳା ବିରୋଧୀ ବକ୍ତବ୍ୟ ଓ ତାପସୀ ପ୍ରହରାଜଙ୍କ ପରି ଜଣେ ସର୍ବଭାରତୀୟ ନାରୀ ନେତ୍ରୀଙ୍କୁ ଏଭଳି ଦୁର୍ବ୍ୟବହାର ଘଟଣାର ପ୍ରତିବାଦ କରିବାସ ସହ ଏଇ ଘଟଣା‌ରେ ବିଧାୟକ ଶ୍ରୀ ସେଠୀଙ୍କ ବିରୁଦ୍ଧରେ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ।

ଏଇ ଘଟଣାକୁ ନେଇ ମଧ୍ୟ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯିବା ସହ ବିଧାୟକ ଶ୍ରୀ ସେଠୀଙ୍କର ଏଭଳି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଇ ଘଟଣାରେ ପୁଲିସ ନିରପେକ୍ଷ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ଏପରି ଏକ ଅପ୍ରୀତି କର ଘଟଣା ସଂପର୍କରେ ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କର ପ୍ରତିକ୍ରିୟା ନେବାକୁ ତାଙ୍କ ମୋବାଇଲରେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ମୋବାଇ ସୁଇଚ ଅଫ୍ ରହିଥିଲା।

ବିଷ୍ଣୁଙ୍କର ଏଇ ମହିଳା ବିରୋଧୀ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏଇ ଘଟଣାରେ ଶ୍ରୀମତୀ ପ୍ରହରାଜଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ, ଆଜି ଏତଲା ଦେଲୁ। ଏସପିଙ୍କୁ ଭେଟିଲୁ। ଆଶା ରଖିବୁ ଏସପି ଏଇ ଘଟଣାର ଗୁରୁତ୍ବ ଉପଲବ୍ଧି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପୁଲିସର କାର୍ଯ୍ୟାନୁଷ୍ଠାନ କରାନଗଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀମତୀ ପ୍ରହରାଜ ସମ୍ବାଦକୁ କହିଛନ୍ତି।

ସମ୍ବନ୍ଧିତ ଖବର