ମହିଳା ଏସ୍‌ପିଙ୍କ ଆକ୍ରମଣରେ ଜଣେ ମହିଳାଙ୍କର ଗର୍ଭ ନଷ୍ଟ! ଏସଡିଜେଏମଙ୍କ ନିର୍ଦ୍ଦେଶ ପରେ ଥାନାରେ ଏତଲା

ସୁନ୍ଦରଗଡ଼: ମହିଳା ଏସ୍‌ପିଙ୍କ ଆକ୍ରମଣରେ ଜଣେ ମହିଳାଙ୍କର ଗର୍ଭ ନଷ୍ଟ ହୋଇଥିବା ନେଇ ଥାନାକୁ ଅଭିଯୋଗ ଆସିଛି। ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶରେ ହେମଗିରି ଥାନାରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନାଁରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କନିକା ଅଞ୍ଚଳର ପ୍ରିୟା ଦେ ନାମରେ ଜଣେ ମହିଳା। ମହିଳାଙ୍କ ଏତଲାକୁ ନେଇ ପୁଲିସ ମାମଲା ରୁଜୁ କରିଛି। ଏତଲାରେ ଉଲ୍ଲେଖ ଅଛି ଯେ, ଏସ୍‌ପି ସୌମ୍ୟା ମିଶ୍ର ତାଙ୍କ ସ୍ୱାମୀଙ୍କୁ ଖୋଜିବାକୁ ଆସି ମହିଳାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା। ପୁଲିସ ଏସ୍‌ପିଙ୍କ ନାଁରେ ବିଭିନ୍ନ ଦଫା (୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯, ୩୪୨, ୩୧୩, ୧୬୬, ୫୦୩ ଓ ୫୦୪)ରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଏକ ସଡ଼କ ଦୁର୍ଘଟଣା ପରେ ଜଣେ ଚିକିତ୍ସାଧୀନ ଯୁବକଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳର ଉତ୍ତେଜିତ ଲୋକେ ଗତ ଜୁଲାଇ ୪ ତାରିଖରେ କନିକା ଫାଣ୍ଡିରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ମହିଳାଙ୍କ ସ୍ୱାମୀକୁ ଖୋଜିବା ପାଇଁ ଏସ୍‌ପି ସୌମ୍ୟା ମିଶ୍ର ଏକ ଟିମ ସହିତ ମହିଳାଙ୍କ ଘରକୁ ଯାଇଥିଲେ। ସ୍କର୍ପିଓ ଧକ୍କାରେ କନିକା ଗାଁର ଯୁବକ ଲିପୁନ ନାୟକ ଗୁରୁତର ହେବା ପରେ ତାଙ୍କୁ ସ୍ଥାନୀୟ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲିପୁନର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର