ଜଳସେଚନ ବିଭାଗ ଏସଡିପିଓ ଓ ସହକାରୀ ଯନ୍ତ୍ରୀଙ୍କୁ ପାଦରେ ଚଲାଇବା ଘଟଣା : ଥାନାରେ ଏତଲା ଦେଲେ ଉଭୟ ଅଧିକାରୀ

ଖୋର୍ଦ୍ଧା : ଗତକାଲି ମଲାଗୁଣି ନଦୀରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ରାଜୁଆ ଜଳସେଚନ ପ୍ରକଳ୍ପର ଏସଡିଓ ଓ ସହକାରୀ ଯନ୍ତ୍ରୀଙ୍କୁ ଗ୍ରାମର କେତେକ ଲୋକ ମାଟିକାଦୁଅରେ ଚଲାଇନେବା ଘଟଣାକୁ ନେଇ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଉଭୟ ଏସଡିଓ ଓ ସହକାରୀ ଯନ୍ତ୍ରୀ ଗ୍ରାମବାସୀଙ୍କ ବିରୋଧରେ ନିରାକାରପୁର ଥାନାରେ ଏତଲା ଦେଇଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ଗତକାଲି ରାଜୁଆ ଜଳସେଚନ ପ୍ରକଳ୍ପର ଏସଡିଓ ଅକ୍ଷୟ ବେହେରା ଓ ସହକାରୀ ଯନ୍ତ୍ରୀ ଶିଶିର କୁମାର ସାହୁ ଟାଙ୍ଗୀବ୍ଲକ ଅଧୀନ ଭଗବତୀପଡ଼ାକୁ ଯାଇଥିଲେ । ତେବେ ଲଗାଣବର୍ଷା ଓ ଜାମୁଝରି ନାଳରେ ଘଳିଆ ସୃଷ୍ଟି ହୋଇ ଭଗବତୀପଡ଼ା, ହଳଦୀପଦର ଆଦି ଗାଁରେ ପାଣିପଶିଥିଲା । ଏହା ସହ ଗୋଳବାଇରୁ ପୁରୀ ଜିଲ୍ଳାର କଣାସ ଯାଇଥିବା ମାଟି ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ଗ୍ରାମବାସୀ ଗତ ୩ ଦିନ ଧରି ଘରୁ ବାହାରି ପାରିନଥିଲେ । ଏହି ସମୟରେ ଜଳସେଚନ ବିଭାଗର ଇଂଜିନିୟର ଦ୍ୱୟଙ୍କୁ ଦେଖି ଉତ୍ୟକ୍ତ ଗାଁ ଲୋକମାନେ ସେମାନଙ୍କୁ ପାଦରେ ଉକ୍ତ ମାଟିକାଦ ରାସ୍ତାରେ ପ୍ରାୟ ୨୦୦ ମିଟର ଚଲାଇ ନେଇଥିଲେ । ଫଳରେ ଅକ୍ଷୟ ବେହେରାଙ୍କ ପାଦରେ ଆଘତ ଲାଗିଥିଲା ।
ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ କହିବା କଥା ହେଲା ରାଜୁଆ ଜଳସେଚନ ବିଭାଗ ପକ୍ଷରୁ ୬୦ଲକ୍ଷ ଟଙ୍କା ବ୍ୟୟରେ ୫୦୦ ମିଟର ଦୀର୍ଘ ଗାର୍ଡୱାଲ୍ ନିର୍ମାଣ କରାଯାଇଛି । ଗାର୍ଡୱାଲ୍ ନିର୍ମାଣ ହେବା ପରେ ଏହାର ପାଶ୍ୱବର୍ତୀ ରାସ୍ତା କେନାଲ ଠାରୁ ନିମ୍ନରେ ରହିଥିଲା । ଫଳରେ ବର୍ଷାଜଳ ରାସ୍ତାଉପରେ ଜମିରହୁଥିଲା । ଏନେଇ ସେମାନେ ଜଳସେଚନ ବିଭାଗକୁ ମାଟି ଓ ମୋରମ ପକାଇ ରାସ୍ତାକୁ ଉଚ୍ଚ କରିବାକୁ କହିଥିଲେ । ଗାର୍ଡ଼ ୱାଲ୍ କାମ ଶେଷ ହେବାପୂର୍ବରୁ ରାସ୍ତାରେ ମାଟି ପକାଇ ଉଚ୍ଚ କରାଯିବ ବୋଲି ଠିକାଦାର ଓ ଯନ୍ତ୍ରୀ କହିଥିଲେ । କିନ୍ତୁ ଏନେଇ କୌଣସି ପଦକ୍ଷେପ ନେଲେ ନାହିଁ । ଫଳରେ ବର୍ତମାନ ଲଗାଣବର୍ଷାରେ କେବଳ ଭଗବତୀପୁର ନୁହେଁ ଆଖପାଖର ୩-୪ଖଣ୍ଡ ଗାଁ ବାହ୍ୟଜଗତରୁ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି ।
ଏନେଇ ଜନ ଆକ୍ରୋଶର ଶିକାର ହୋଇଥିବା ଏସଡିଓ ଅକ୍ଷୟ ବେହେରା କହିଛନ୍ତ ଯେ ଗାର୍ଡ ୱାଲ୍ ନିର୍ମାଣ କାମ ଚଳିତ ଜୁନ୍ ମାସରେ ଶେଷ ହୋଇଥିଲା । ବର୍ଷାଋତୁରେ ଜଳସେଚନ ବିଭାଗ ପକ୍ଷରୁ କୌଣସି ମାଟି କାମ କରାଯାଏ ନାହିଁ । ଏହାସହ ଯେଉଁ ରାସ୍ତା ଯାଇଛି ତାହା ଟାଙ୍ଗୀ ବ୍ଲକ ପ୍ରଶାସନର ଅଧୀନ । ଏହି ରାସ୍ତା ନିର୍ମାଣ କରିବା ସେମାନଙ୍କ ବିଭାଗର ଅଧୀନ ନୁହେଁ । ତେବେ ଗାର୍ଡ ୱାଲ୍ ନିର୍ମାଣ ବେଳେ ଗାଁ ଲୋକ ଅନୁରୋଧ କରିଥିଲେ ଯେ ମାଟି ଓ ମୋରମ ପକାଇ ରାସ୍ତାକୁ ଗାର୍ଡ ୱାଲର ଉଚ୍ଚତା ଯାଏଁ ସମତୁଲ କରିବାକୁ । ଏହା ଗାର୍ଡୱାଲ୍ର ମୂଳ ବ୍ୟୟ ଅଟକଳରେ ସାମିଲ ନଥିବାରୁ ଏହାକୁ କରାଯାଇନଥିଲା । ଏପରିସ୍ଥଳେ, ସେମାନେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ ବିନାକାରଣରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଏନେଇ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ତାଙ୍କ ଅନୁମତିକ୍ରମେ ସେମାନେ ସେମାନଙ୍କ ପ୍ରତି ଅସଦାଚରଣ କରିଥିବା ଓ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିବା ଲୋକଙ୍କ ବିରୋଧରେ ନିରାକାରପୁର ଥାନାରେ ଏତଲା ଦେବେ ।

ଘଟଣାସମ୍ପର୍କରେ ଆଜି ଦକ୍ଷିଣାଂଚଳ ରାଜସ୍ୱ କମିଶନର ଅନୀଲ ସାମଲଙ୍କୁ ପଚାରିବାରେ ଏନେଇ ସେ ଶୁଣିଛନ୍ତି, ବିଭାଗୀୟ ଏସ୍ଇଙ୍କ ସହ ଆଲୋଚନା କରିବେ । ତେବେ ବର୍ତମାନ ସେଠାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଘଳିଆ ସ୍ଥାନକୁ ବାଲିବସ୍ତା ଦ୍ୱାରା ଅବରୋଧ କରାଯାଇଛି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର