ଦଶପଲ୍ଲା: ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ୧୨ ନମ୍ବର ୱାର୍ଡ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଜଣେ ଦଣ୍ତୁଆ ଗତକାଲି ବିଳମ୍ବିତ ରାତିରୁ କେଉଁଆଡେ ନିଖୋଜ ଅଛନ୍ତି। ନିଖୋଜ ଦଣ୍ତୁଆ ଜଣଙ୍କ ହେଲେ ଗ୍ରାମର ଅଶୋକ ନାହାକଙ୍କ ପୁଅ ବିଜୟ ନାହାକ (୨୭) ବୋଲି ଜଣାପଡିଛି। ଏନେଇ ଆଜି ପରିବାର ଲୋକ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବିଜୟ ଗ୍ରାମ ଦଣ୍ତରେ ମାନସିକ ବ୍ରତ ଧାରଣ କରିଥିଲେ। ଗତକାଲି ଠାକୁର ଘୁଗୁଡିପଡା ଯାଇଥିଲେ। ସେଠାରେ ରାତିରେ ଦଣ୍ତ ଉଠିବା ସହ ନୃତ୍ୟ ପରିବେଷଣ ହୋଇଥିଲା। ବିଜୟ ମଧ୍ୟ ପରଭା ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହାପରେ ସାଥୀ ଦଣ୍ତୁଆଙ୍କ ସହିତ ନିକଟରେ ଥିବା ଏକ ନଦୀକୁ ନିତ୍ୟକର୍ମ ସାରିବାକୁ ଯାଇଥିଲେ। ହଠାତ୍ ସେଠାରୁ କେଉଁଆଡେ ଦୌଡି ପଳାଇଥିବା କୁହାଯାଉଛି।

Advertisment

ସାଥୀ ଦଣ୍ତୁଆ ମାନେ ଧରିବାକୁ ଚେଷ୍ଟାକରି ବିଫଳ ହେବାପରେ ସମସ୍ତଙ୍କୁ କହିବା ସହ ଜଙ୍ଗଲରେ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନମିଳିବାରୁ ଆଜି ପୂର୍ବାହ୍ଣରେ ମଧ୍ୟ ଦଣ୍ତୁଆଙ୍କ ସମେତ ଗ୍ରାମବାସୀ ପହଁଚି ଜଙ୍ଗଲରେ ଖୋଜାଖୋଜି କରିଛନ୍ତି। ମାତ୍ର କୈାଣସି ସନ୍ଧାନ ନମିଳିବାରୁ ସମସ୍ତଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ଏହି ଘଟଣା ମଧ୍ୟ ଦଶପଲ୍ଲାର ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏପଟେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି।