ଗୁଣିଗାରେଡି ସନ୍ଦେହରେ ଗ୍ରାମସଭାରେ ୨ ଜଣଙ୍କୁ ନିସ୍ତୁକ ପିଟିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗୁଣିଗାରେଡିକୁ ନେଇ ବହୁ ହତ୍ୟା ଘଟଣା ହୋଇଥିବାର ନଜର ରହିଛି। ଏହିକ୍ରମରେ ଆଜି ପୁଣି ଗୁଣିଗାରେଡିକୁ ନେଇ ମାରଧର କରାଯାଉଥିବା ନେଇ ମାଧୁରୀ ପଡିଆମୀ ନାମକ ଯୁବତୀ ମାଲକାନଗିରି ଥାନାରେ ଏତଲା ଦାୟର କରିଛନ୍ତି। ମାଧୁରୀଙ୍କ ଅଭିଯୋଗ ଅନୁଯାୟୀ ମାଲକାନଗିରି ବ୍ଲକର କାମୱାଡା ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ନିଜ ପରିବାର ଲୋକଙ୍କ ସହ ମାଧୁରୀ ରୁହନ୍ତି।

ତେବେ ଏହି ଗ୍ରାମରେ ବାସ କରୁଥିବା କାବାସି ପରିବାରରେ ତିନିଜଣ ଅସୁସ୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିଲା। ତେବେ ଏହି ମୃତ୍ୟୁକୁ ଗୁଣିଗାରେଡି କରାଯାଇଥିବା ନେଇ କାବାସି ପରିବାର ଲୋକେ ସନ୍ଦେହ କରିଥିଲେ। ତେବେ ଏହାକୁ ସ୍ପଷ୍ଟ କରିବା ପାଇଁ ନିକଟସ୍ଥ ଗ୍ରାମ ଡାକୁରରାଜି ଗ୍ରାମରେ ପହଞ୍ଚି ଗୁଣିଆକୁ ଏ ସଂପର୍କରେ ଆଲୋଚନା କରିଥିଲେ। ଡିଶାରୀ ଏହି ଘଟଣାରେ ତେନ୍ତୁଳିଗୁଡା ଗ୍ରାମର ଦେବା ପଡିଆମୀ, କେଶା କାବାସି ଏବଂ ପେର୍ମା ପଡିଆମୀଙ୍କ ନାମ ନେଇ ସେମାନେ ହିଁ ଗୁଣିଆ କରି ତୁମର ପରିବାରର ଜଣେ ବ୍ୟକ୍ତିଙ୍କୁ ମାରିଥିବା କହିଥିଲେ। ଏହାପରେ କାବାସି ପରିବାର ଲୋକେ ମୋ ବାପାଙ୍କ ସହ ରାମା ପଡିଆମୀଙ୍କୁ ଗାଡିରେ ବସାଇ ନେଇ ତେନ୍ତୁଳିଗୁଡା ଗ୍ରାମରେ ସଭାରେ ହାଜର କରାଇ ନିର୍ଧୂମ ମାରିଥିଲେ। ମୁଁ ମୋ ବାପାଙ୍କୁ ବଞ୍ଚାଇବାକୁ ଯିବାରୁ ସେମାନେ ମୋତେ ମଧ୍ୟ ପିଟିଥିଲେ। ସେମାନେ ମୋ ପରିବାର ସହ ପେର୍ମା ପଡିଆମୀ, କୋସା କାବାସିଙ୍କୁ ସଭାରେ ନିସ୍ତୁକ ମାଡ ମାରିଥିଲେ।

ଗତ ୫ ବର୍ଷ ହେଲା ଏହି ଗାଁରେ ଗୁଣିଗାରେଡିକୁ ନେଇ ବିଭିନ୍ନ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି। ଗ୍ରାମର ମାଢୀ ପରିବାର ମାଧୁରୀଙ୍କ ପରିବାରକୁ ଗୁଣିଗାରେଡି କରୁଥିବା ନେଇ ଗଣ୍ଡଗୋଳ କରୁଥିଲେ। ଏହି ଗଣ୍ଡଗୋଳରେ ମାଢୀ ପରିବାର ଲୋକେ କାବାସି ପରିବାରକୁ ମିଛ ସତ କହି ଆମ ବିରୋଧରେ ଉସୁକାଇଥିଲେ ବୋଲି ମାଧୁରୀ ଅଭିଯୋଗ କରିଛନ୍ତି। ଆଜି ସଭାରେ ମୋ ବାପାଙ୍କୁ ଡାକି ନିର୍ଦ୍ଧୁମ ମାଡ ମାରିଥିଲେ। ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ନେଇ ମାଧୁରୀ ଥାନାରେ ଅଭିଯୋଗ କରିଛନ୍ତି। ତେବେ ସଭାରେ ଉପସ୍ଥିତ ଥିବା ନାୟକ, ମୁଖିଆ ମାନେ ଏହାକୁ ସମାଧାନ କରିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ସମାଧାନ କରାଯାଉ ବୋଲି ଦାବି କରାଯାଇଛି। ଏଥିସହ ଗୁଣିଆ ଡିସାରୀମାନଙ୍କର ମିଥ୍ୟା ପ୍ରଚାର ଏବଂ କୌଣିସ ଲୋକଙ୍କ ଉପରେ ଗୁଣିଗାରେଡି କରିବା ନେଇ ସ୍ପଷ୍ଟିକରଣ ଦେବା ଯୋଗୁଁ ଏଭଳି ଅବସ୍ଥା ଉପୁଜୁଛି ବୋଲି କୁହାଯାଇଛି। ତେଣୁ ପ୍ରଶାସନ ତରଫରୁ ଗୁଣିଆମାନଙ୍କୁ ସଚେତନ କରାଯାଉ ବୋଲି ଦାବି କରାଯାଇଛି।

ସମ୍ବନ୍ଧିତ ଖବର