ସୁନ୍ଦରଗଡ଼: ଯାହାଙ୍କ ହତ୍ୟା ଚର୍ଚ୍ଚାରେ ଥିଲା। ଖୋଦ୍ ଥାନାଧିକାରୀ ୩୦୨ରେ ମାମଲା ରୁଜୁ କରି ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହି ମୃତକଙ୍କ ନାମରେ ମୃତ୍ୟୁର ୫ ଦିନରେ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି ଥାନାଧିକାରୀ। ଚାଞ୍ଚଲ୍ୟକର ଅଭିଯୋଗଟି ଆସିଛି ଭଷ୍ମା ଥାନାରୁ। ଗତ ମେ ୨୯ ରାତି ଓ ୩୦ ତାରିଖ ସକାଳେ ଥାନା ଅନ୍ତର୍ଗତ ଜେ. ରାଏବଗା ଗାଁରେ ଘଟିଥିଲା ଲୋମହର୍ଷକ ହତ୍ୟାକାଣ୍ଡ। ଗାଁ ଲୋକେ ରଂଜିତ ମଗଧା ଓ ରାଧେଶ୍ୟାମ ରକ୍ସାଙ୍କୁ ଗୋଡ଼ାଇ ଗୋଡ଼ାଇ ହାତୁଡ଼ିରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା।
ପୁଲିସ ମାମଲା ରୁଜୁ କରି ୧୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ତେବେ ୨ ମୃତକଙ୍କ ବିରୋଧରେ ହତ୍ୟା ଘଟଣା ପୂର୍ବରୁ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିବା ବେଳେ ଜୁନ୍ ୪ ତାରିଖରେ ପୁଣି ଏକ ମାମଲା ରୁଜୁ କରିଛି ପୁଲିସ। ଜେ. ରାଏବଗାର ଜଣେ ବ୍ୟକ୍ତି ୨ ମୃତକଙ୍କ ସମେତ ଅନ୍ୟ କେତେ ଲୋକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ଏତଲା ଦେଇଛନ୍ତି। ଏହା ମଧ୍ୟରେ ମୃତକଙ୍କ ୨ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ମୃତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।