ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସରମବାଇ ଛକରେ ଶୁକ୍ରବାର ହୋଇଥିବା ଆକ୍ରମଣ ଘଟଣାରେ ଦୁଇଜଣ ଗୁରୁତର ଥିବା ବେଳେ ଡ୍ରାଇଭରଙ୍କୁ ମଧ୍ୟ ଅମାନୁଷିକ ଭାବେ ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ରାଜ୍ୟ ଡ୍ରାଇଭର ମହାସଂଘରେ ଉଦବେଗ ପ୍ରକାଶ ପାଇଥିବାବେଳେ ଆଜି ଉକ୍ତ ଘଟଣାକୁ ନେଇ କାଶୀପୁର ଥାନାରେ ଏକ ଏତଲା କରାଯାଇଛି।ଉକ୍ତ ଘଟଣାରେ ଦୁର୍ବୁତ୍ତ ଦ୍ୱାରା ଆକ୍ରମଣର ଶିକାର ହେଇଥିଲେ ନବୀ ଗୌଡ଼। କିଛିଦିନ ଧରି ସୁଙ୍ଗେର ଅଞ୍ଚଳରେ କୌଣସି କାରଣରୁ ଅଶାନ୍ତର ପରିବେଶ ଜାରି ରହିଥିବା ବେଳେ ଲଗାତାର ଭାବେ ବିଭିନ୍ନ ଆକ୍ରମଣ ଭଳି ଘଟଣା ସମ୍ପର୍କରେ କାଶୀପୁର ଥାନାରେ ତିନୋଟି ଲିଖିତ ଅଭିଯୋଗ ହେଇଅଛି।
ପ୍ରକାଶ ଥାଉକି ଶୁକ୍ରବାର ମୈତ୍ରୀ କମ୍ପାନିର ଦୁଇ କର୍ମଚାରୀ ଏକ ବଲେରୋ ଗାଡ଼ିରେ ସୁଙ୍ଗେର ଅଞ୍ଚଳରୁ ଟିକିରି ଅଭିମୁଖେ ଆସୁଥିଲେ। ଫେରୁଥିବା ସମୟରେ ପ୍ରାୟ ୨୦ଟି ବାଇକରେ କିଛି ଦୁର୍ବୁତ୍ତ ଆସି ସରମବାଇ ଛକ ଠାରେ ଉକ୍ତ ବଲେରୋକୁ ଅଟକାଇ ଘଟଣା ସମ୍ପର୍କରେ କିଛି ବୁଝିବା ପୂର୍ବରୁ ଆକ୍ରମଣ ଆରମ୍ଭ କରିଦେଇଥିଲେ।ଏଥିରେ ଉକ୍ତ କର୍ମଚାରୀ ଲହୁଲୁହଣ ଅବସ୍ଥାରେ କାଶୀପୁର ମେଡିକାଲ ଓ ପରବର୍ତ୍ତୀ ସମୟରେ ବିଶାଖାପାଟଣା ଭର୍ତ୍ତି ହେଇଯାଇଥିବା ବେଳେ ନବୀ ଗୌଡ଼କୁ ଡ୍ରାଇଭର ସଂଘ ସଦସ୍ୟ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲେ।ଉକ୍ତ ଘଟଣାକୁ ନେଇ ସାରା ରାଜ୍ୟର ଡ୍ରାଇଭର ସଂଘ ପକ୍ଷରୁ ନିନ୍ଦା କରାଯାଇଛି।ଆଜି କାଶୀପୁର ଡ୍ରାଇଭର ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ପରେ ଶତାଧିକ ଡ୍ରାଇଭରଙ୍କ ଉପସ୍ଥିତିରେ କାଶୀପୁର ଥାନାରେ ପହଞ୍ଚି ଉକ୍ତ ଘଟଣାରେ ସମ୍ପୃକ୍ତି ବ୍ୟକ୍ତିମାନଙ୍କୁ ତଦନ୍ତ ପରେ ଗିରଫ ପାଇଁ ଲିଖିତ ଅଭିଯୋଗ କରିଥିଲେ।ଥାନାରେ ଅଭିଯୋଗ ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ଉପସଭାପତି ଜଗନ୍ନାଥ ତୁରୁକ,କାମଲେ ନାଏକ, ଅମର ଗୋପାଳ, ପରମେଶ୍ୱର ମାଝି, ଧନ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।