ପୁଣି ଜଳିଲା ଶିମିଳିପାଳ: ତାତି ବଢ଼ୁଛି, ୪୭ଟି ସ୍ଥାନରେ ଫାୟାର୍‌ ପଏଣ୍ଟ୍‌ ଚିହ୍ନଟ

ବାରିପଦା ଉତ୍ତପ୍ତ ସହର ହେବାର କାରଣ ବନାଗ୍ନି

ବାରିପଦା: ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଲାଣି ବାରିପଦା। ଏପଟେ ଶିମିଳିପାଳରେ ବନାଗ୍ନି ମଧ୍ୟ ପୁଣି କାୟା ମେଲାଇଲାଣି। ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ୁଛି । ଏସଟିଆର ଉପନିର୍ଦ୍ଦେଶକ  ଯଜ୍ଞଦତ୍ତ ପତିଙ୍କ ଅଧୀନରେ ରହିଥିବା ଶିମିଳିପାଳ ସାଉଥ ଅଞ୍ଚଳରେ ଥିବା ପୋଡ଼ାଡିହା ୱାଇଲଡ଼ ଲାଇଫର ଅନନ୍ତପୁରର ଓ ବାଘନ୍ତା ଅଞ୍ଚଳରେ ୬ଟି ସ୍ଥାନ, ଡ଼ୁକୁରା ୱାଇଲଡ଼ ଲାଇଫ ଅଧୀନ ତଳଡିହା ଓ ବହଳଦା ଅଞ୍ଚଳରେ ୮ଟି ସ୍ଥାନରେ, ଜେନାବିଲ ୱାଇଲଡ଼ ଲାଇଫ ଅଧୀନ କୁଳିପାଳ, ଗୁରଣ୍ଡିଆ-୩ ଓ ଗୁରୁଣ୍ଡିଆ-୧ , ସାନପୋଖରୀ-୧ ଅଞ୍ଚଳର ୧୩ଟି ସ୍ଥାନରେ , ନେସନାଲ ପାର୍କ ୱାଇଲଡ଼ ଲାଇଫ ଅଧୀନ ମହାବୀରସାଲ ଅଞ୍ଚଳର ୫ଟି ସ୍ଥାନରେ, ନଅଣା ସାଉଥ ୱାଇଲଡ଼ ଲାଇଫର ଧୁଣ୍ଡୁବସା ଅଞ୍ଚଳର ୪ଟି ସ୍ଥାନରେ, ପିଠାବଟା ୱାଇଲଡ଼ ସାଉଥ ଲାଇଫ ଅଧୀନ ପଳାଶିବେଡ଼ା, ପିଠାବଟା-୧ ଅଞ୍ଚଳର ୭ଟି ସ୍ଥାନରେ, ପିଠାବଟା ନର୍ଥ ୱାଇଲଡ଼ ଲାଇଫ ଅଧୀନ ବଡ଼ଗାଁ ଅଞ୍ଚଳର ୨ଟି ସ୍ଥାନରେ ଏହିପରି ମୋଟ ୪୭ଟି ସ୍ଥାନରେ ନିଆଁ ଜଳୁଥିବାର ଜଣାପଡ଼ିଛି ।

ତେବେ ଶିମିଳିପାଳରେ ନିଆଁ ଜଳୁଥିବା ବିଷୟରେ ସତ୍ୟାସତ୍ୟ ଜାଣିବା ଏବଂ ନିଆଁକୁ ଲିଭାଇବା ନିମନ୍ତେ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥି ନିମନ୍ତେ ଏସଟିଆରର ଶ୍ରୀ ପତିଙ୍କ ସହିତ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା । ଏବିଷୟରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ ବାରିପଦା ତଥା ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ କାରଣରୁ ବୋଲି ପ୍ରକାଶ କରିବା ସାଙ୍ଗକୁ ସରକାର ଓ ବନ ବିଭାଗ ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ବୋଲି ଦାବୀ କରୁଥିବା ବେଳେ ଆଜି ସେଟ ଲାଇଟ ଚିତ୍ରରୁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଜଳୁଥିବାର ଜଣାପଡ଼ିଛି ବୋଲି କହିଛନ୍ତି ।

ସେହିପରି ଶିମିଳିପାଳ ସାଉଥ ଓ ସାଉଥ କୋର ଅଞ୍ଚଳରେ ୪୭ଟି ପଏଣ୍ଟ୍‌ରେ ନିଆଁ ଜଳୁଛି । ୫୬ ବର୍ଷ ବୟସରେ ଏପରି ନିଆଁ ଲାଗିବା ପ୍ରଥମ ଘଟଣା । କୋର ଏରିଆ ଭିତରେ କୌଣସି ଗ୍ରାମ ବା ଲୋକ ନ ଥିବା ସମୟରେ ସେଠାରେ ନିଆଁ ଲଗାଉଛି କିଏ । ହୁଏତ ବନ ବିଭାଗ ନିଜେ ଲଗାଉଥିବ ଅଥବା ଶିକାରୀମାନେ ନିଆଁ ଲଗାଉଥିବେ । ତେବେ ଶିକାରୀମାନେ ନିଆଁ ଲଗାଇବା ଶତପ୍ରତିଶତ ସତ୍ୟ । କାରଣ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଦୈନିକ ଶତାଧିକ ଶିକାରୀ ପ୍ରବେଶ କରି ଜୀବଜନ୍ତୁ ଶିକାର କରୁଥିବାର ରିପୋର୍ଟ ରହିଛି । ଏଣୁ ଶିମିଳିପାଳରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବା ନିମନ୍ତେ କମ୍ୟୁନିଟିକୁ ବିଶ୍ୱାସକୁ ନେଇ ସେମାନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶ୍ରୀ ଆଚାର୍ଯ୍ୟ ।

ସମ୍ବନ୍ଧିତ ଖବର