କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ଗ୍ରାମ ପଞ୍ଚାୟତସ୍ଥ ନିୟମଗିରି ପାହାଡ଼ ଉପରେ ନିଆଁ ଲାଗି ଶହ ଶହ ଏକର ଜମିର ସପୁରୀ ଫସଲ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଞ୍ଚଳ ନିବାସୀ ଖମ୍ବେସି ଗାଁ ନିକଟ ପାହାଡ଼ ଉପରେ ଡଙ୍ଗର ଚାଷ କରି ଜିବିକା ନିର୍ବାହ କରିଥାନ୍ତି। ପାହାଡ଼ରେ ଆମ୍ବ, ପଣସ, କାଜୁ, କଦଳୀ ସାଙ୍ଗକୁ ସପୁରୀ, ଅଦା, ହଳଦୀ ଚାଷ କରିଥାନ୍ତି। ଖମ୍ବେସି ପାହାଡ଼ ଉପରେ ଶହ ଶହ ଏକର ଜମିରେ ଚାଷୀ କରି ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କାର ସପୁରୀ ବିକ୍ରି କରିଥାନ୍ତି। ଏହି ଅଞ୍ଚଳ ସପୁରୀ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଶହ ଶହ ଟନ ସପୁରୀ ଉତ୍ପାଳନ ହେଉଥାଏ। ଆଉ ଗୋଟିଏ ମାସ ପରେ ସପୁରୀ ବଜାରକୁ ଆସିବାକୁ ଥିବା ବେଳେ ଗତ ଦୁଇଦିନ ତଳେ ଜଙ୍ଗଲରେ ନିଆଁ ଲାଗି ପ୍ରାୟ ଏକ ଶହ ଏକରରୁ ଊର୍ଦ୍ଧ୍ବ ସପୁରୀ ପୋଡ଼ି ପାଉଁଶ ହୋଇଯାଇଛି। ତା’ ସାଙ୍ଗକୁ ସେ ଅଞ୍ଚଳରେ ଥିବା ଆମ୍ବ, ପଣସ ଏବଂ କାଜୁ ଗଛ ମଧ୍ୟ ବାଦ ପଡ଼ିନାହିଁ।

Advertisment

ଜଙ୍ଗଲରେ ନିଆଁ ଲାଗିବା ଦେଖି ଚାଷୀମାନେ ନିଜ ନିଜ ବଗିଚାକୁ ଦୌଡ଼ି ଯାଇଥିଲେ ସୁଦ୍ଧା ସେମାନେ ନିଆଁକୁ ଆୟତ କରିବାର ସକ୍ଷମ ହୋଇ ପାରିନଥିଲେ। ନିଆଁ ଗୋଟିଏ ବଗିଚା ପରେ ଆଉ ଗୋଟିଏ ବଗିଚାରେ ଲାଗି ପାଉଁ ହୋଇଯାଇଥିଲା। ଚାଷୀମାନେ ବର୍ଷକର ଫସଲ ହରାଇବା ସହ ସପୁରୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ପୁଣି ନୂତନ ଭାବେ ସପୁରି ଚାଷ କଲେ ଫଳ ପାଇବା ନିମନ୍ତେ ତିନି ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ଲୋତକ ଭରା ନୟନରେ ଚାଷୀମାନେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେମାନେ ନିଜ ପରିବାରର ପ୍ରତିପୋଷଣ କେମିତି କରିବେ ସେ ନେଇ ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି। ଉକ୍ତ କ୍ଷତିଗ୍ରସ୍ତ ଚାଷୀମାନେ ହେଲେ ଖମ୍ବେସି ଗ୍ରାମର ବଛ ନାୟକ, ଳଭିମ ହିଆଲ, ଚନ୍ଦ୍ର କରକରିଆ, ନାରୁସୁ ପାକା, ଦିନ ଭାତ୍ରା, ଧୋବଲି ବିଭାର, ପିଣ୍ଟୁ କନ୍ଧପାଣି, ଜନ କନ୍ଧପାଣି, ଅଞ୍ଚା ଚିଚୁଆନ୍‌, ଭିମ କନ୍ଧପାଣି, ସୁନ୍ଦୁରୁ ୱାଡକା, ମିଲାଡି ସିକ୍କା, ସିତାକାନ୍ତ ସିକ୍କା, ଭଗବାନ ବିଭାର, ଅନନ୍ଦ ବିଭାର, ବୃଷବ ନାୟକ, ଅଙ୍ଗଦ କନ୍ଧପାଣି।