ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁଁରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କାଠ ଡିପୋରେ ଭୟାବହ ଅଗ୍ନିକାଣ୍ଡ। ପୋଡ଼ିଗଲା ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ କାଠ। ସ୍ଥାନୀୟ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ଜିଲ୍ଲା ମୁଖ୍ୟାଳୟରୁ ଦମକଳ ଆସି ନିଆଁ ଲିଭାଇଥିଲା। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇପାରିନି।
ବିଭାଗର ସୂଚନା ଅନୁସାରେ, ଉକ୍ତ ଡିପୋରେ ୧୪୦ ଟ୍ରିପ୍ କାଠ ଥିଲା। ଏଥିରେ ଜାଳେଣି କାଠ ସମେତ କିଛି ମୂଲ୍ୟବାନ କାଠ ରହିଥିଲା। ଅପରାହ୍ଣ ଗୋଟାଏ ବେଳେ କୌଣସି କାରଣରୁ ଡିପୋରେ ନିଆଁ ଲାଗିଯାଇଥିଲା। ଫଳରେ ୨୦ ବର୍ଷ ହେଲା ପଡ଼ିପଡ଼ି କ୍ଷତ ଖାଉଥିବା କାଠ ଗୁଡ଼ିକ ହୁ ହୁୁ ହୋଇ ଜଳିଥିଲା। ଚାରିଆଡ଼େ ଧୂଆଁମୟ ହୋଇଯାଇଥିଲା। ଆଖପାଖ ବସ୍ତିର ଲୋକେ ଆତଙ୍କିତ ହୋଇଯାଇଥିଲେ। ଦୀର୍ଘ ୪ ଘଣ୍ଟା ଧରି କଠିିନ ପରିଶ୍ରମ କରିବା ପରେ ଅପରାହ୍ଣ ୫ଟାବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।
ଖବର ପାଇ ଓଡ଼ିଶା ବନ ଉନ୍ନୟନ ନିଗମର ଏସ୍ଡିଏମ୍ ମଦନ ମୋହନ ସେଠୀ, କେନ୍ଦୁଝର ଡିଏମ୍ ବିଶ୍ବରଂଜନ ରାଉତ, ଡିଡିଏମ୍ ସବ୍ୟସାଚୀ ରାୟ, କ୍ଷେତ୍ରାଧିକାରୀ ଦୁଷ୍ମନ୍ତ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ଡିପୋରେ ଜଣେ ୱାଚର ଓ ସୁପରଭାଇଜ ଥିବାବେଳେ ଡିପୋକୁ ଲାଗି ଦମକଳ କେନ୍ଦ୍ର ରହିଛି। ଏଭଳି ସ୍ଥିତିରେ କିପରି ନିଆଁ ଏତେ ଭୟଙ୍କର ରୂପ ଧାରଣ କଲା ତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ ଯେ ଏହି ଡିପୋକୁ କେନ୍ଦୁଝର ସହର ପାଖ ନରଣପୁରକୁ ସ୍ଥାନାନ୍ତର ପାଇଁ ଯୋଜନା ହୋଇଥିଲା। ତେବେ କୌଣସି କାରଣରୁ ଏହା ସ୍ଥାନାନ୍ତର ହୋଇନି। ଏଭଳି ପରିସ୍ଥିତିରେ ନିଆଁ ଲାଗି ଡିପୋର ମହଜୁଦ୍ କାଠସବୁ ଜଳିଯିବା ଅନେକ ପ୍ରଶ୍ନ ଠିଆ କରୁଛି। ସ୍ଥାନାନ୍ତର ହୋଇଥିଲେ କେତେ କାଠ ମହଜୁଦ୍ ରହିଥିଲା ? ହିସାବ ଅନୁଯାୟୀ ତାହା ଅଛି କି ନାହିଁ ? ପଦାକୁ ଆସନ୍ତା। ତେଣୁ ଧରାପଡ଼ିବା ଆଶଙ୍କାରେ ଯୋଜନାବଦ୍ଧ ଭାବେ ନିଆଁ ଲଗାଯାଇନି ତ ବୋଲି ପ୍ରଶ୍ନ ଉଠିଲାଣି। ତେବେ ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡର କାରଣ ସଂପର୍କରେ ସ୍ପଷ୍ଟମତ ରଖାଯାଇନି। ଅନ୍ୟଏକ ସୂତ୍ରରୁ ପ୍ରକାଶ ଯେ ଏହି ଡିପୋ ଅଧିକାଂଶ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟୁଛି। ତେଣୁ କେହି ସିଗାରେଟ୍ ନିଆଁ ପକାଇ ଦେଇଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ତେଣୁ ଏହି ଅଗ୍ନିକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/WhatsApp-Image-2021-02-26-at-22.06.08.jpeg)