ଶିମିଳିପାଳ ନିଆଁକୁ ନେଇ ବଢ଼ୁଛି ରାଜନୈତିକ ତାତି, କେମିତି ନିଆଁ ଲିଭାଇବ ଟାସ୍କଫୋର୍ସ, ଏବେ ପ୍ରକୃତି ଉପରେ ଭରସା

ନିଆଁ ଲିଭାରେ ଅଧିକ ସଂଖ୍ୟକ କର୍ମଚାରୀ ଏବଂ ଅତ୍ୟାଧୁନିକ ଉପକରଣ ପ୍ରୟୋଗ ଦାବି ; ସରକାରଙ୍କୁ ପତ୍ର ଲେଖିଲେ ବାରିପଦା ବିଧାୟକ

ବାରିପଦା : ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରିବାକୁ ହୋଇଥିଲା ଫାୟାର୍‌ ଲାଇନ୍‌। ମାତ୍ର ଏହି ଫାୟାର୍‌ ଲାଇନ୍‌ ହିଁ ବର୍ତ୍ତମାନ ବ୍ୟାପକ ଜଙ୍ଗଲ ନିଆଁର କାରଣ ସାଜିଛି। କାହିଁକି ନା ଗତବର୍ଷଠାରୁ ଏହି ଫାୟାର୍‌ ଲାଇନ୍‌ ସଫା ହୋଇପାରିନାହିଁ। ଫଳରେ ଏହି ଫାୟାର୍‌ ଲାଇନ୍‌ରେ ବହଳ ବହଳ ଶୁଖିଲା ଜମା ହୋଇଛି। ଯାହାକି ବର୍ତ୍ତମାନ ନିଆଁ ନଲିଭିବାର ପ୍ରଧାନ କାରଣ ସାଜିଛି। ତେବେ ଏହି ଶୁଖିଲା ପତ୍ର ସଫା ହେବା ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆସିଥାଏ। ମାତ୍ର କିପରି ଏବଂ କେଉଁ ପରିସ୍ଥିତିରେ ଗ୍ରୀଷ୍ମ ପୂର୍ବରୁ ଫାୟାର୍‌ ଲାଇନ୍‌ରେ ପଡ଼ିଥିବା ଏହି ପତ୍ର ସବୁ ସଫା ହେଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏନେଇ କିଏ ଉତ୍ତରଦାୟୀ ହେବେ , ତାହା ପ୍ରଧାନ ପ୍ରସଙ୍ଗ ପାଲଟିଛି। ଏହି ଘଟଣାରେ ବନବିଭାଗ ବରିଷ୍ଠ ଅଧିକାରୀ ଉତ୍ତରଦାୟୀ ହେବା ଉଚିତ୍‌ ବୋଲି ଦାବି ହୋଇଛି। ସେହିପରି ଶିମିଳିପାଳ ନିଆଁକୁ ନେଇ ରାଜନୈତିକ ତାତି ମଧ୍ୟ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଆଜି ଯେଉଁ କେତେଜଣ ବିଧାୟକ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି ସେଥିରେ ବାରିପଦାରୁ ନିର୍ବାଚିତ ବିଜେପି ବିଧାୟକ ପ୍ରକାଶ ସୋରେନ୍‌ ମଧ୍ୟ ସାମିଲ ଅଛନ୍ତି। ଶିମିଳିପାଳ ନିଆଁ ଆୟତରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କହୁଥିବାବେଳେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି। କାରଣ ଗୋଟିଏ ସ୍ଥାନରୁ ନିଆଁ ଲିଭିଲେ ଆଉ ଏକ ସ୍ଥାନରେ ନିଆଁ ଲାଗୁଛି। ଯାହାକି ସ୍ଥିତିକୁ ସଙ୍ଗୀନ୍‌ କରୁଛି। ତେଣୁ ଏବେ ପ୍ରକୃତି ହିଁ ଅପୂରପା ପ୍ରାକୃତିକ ଶୋଭାରାଜି ଶିମିଳିପାଳକୁ ବଞ୍ଚାଇପାରିବ ବୋଲି ମତପ୍ରକାଶ ପାଇଛି। ନିଆଁ ଲିଭା ପ୍ରକ୍ରିୟାକୁ ନେଇ କିନ୍ତୁ ସନ୍ତୁଷ୍ଟ ନୁହନ୍ତି ପରିବେଶବିତ୍‌। ନିଆଁ ଲିଭାରେ ପ୍ରାୟ ୧୩ଶହ କର୍ମଚାରୀ ନିୟୋଜିତ ଅଛନ୍ତି। ମାତ୍ର ଏତିକି ସଂଖ୍ୟକ କର୍ମଚାରୀ ଜିଲ୍ଲା ସାରା ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଯଥେଷ୍ଟ ନୁହେଁ ବୋଲି କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଥିବା ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ପ୍ରକାଶ କରିଛନ୍ତି। ନିଆଁ ଲିଭାରେ ଅଧିକ ସଂଖ୍ୟା କର୍ମଚାରୀ ସହିତ ଅତ୍ୟାଧୁନିକ ଉପକରଣ ଉପଯୋଗ କରିବା‌କୁ ସେ ଦାବି କରିଛନ୍ତି। ଆମାଜନ୍‌ ଓ ଅଷ୍ଟ୍ରେଲିଆ ବୁସ୍‌ ଫାୟାର୍‌କୁ ନିୟନ୍ତ୍ରଣ କରିବା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ମଧ୍ୟ ପ୍ରୟୋଗ କରାଯିବା ଉଚିତ୍‌ ବୋଲି ଶ୍ରୀମତୀ ଭଞ୍ଜଦେଓ ଦାବି କରିଛନ୍ତି। ପ୍ରାକୃତିକ ଆପଦା ଭଳି ରାଜ୍ୟ ସରକାର ଯେପରି ତତ୍‌ପର ହୋଇ କାର୍ଯ୍ୟ କରନ୍ତି, ଶିମିଳିପାଳ ନିଆଁ ଘଟଣାରେ କିନ୍ତୁ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଆଜି ଓଡ୍ରାଫ୍‌ ନିଆଁ ଲିଭାରେ ନିୟୋଜିତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରିଛନ୍ତି। ମାତ୍ର ଏତେ ବିଳମ୍ବ କାହିଁକି ହେଲା ବୋଲି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଅଭିଯୋଗ କରିଛନ୍ତି। କୌଣସି ବନ୍ୟପ୍ରାଣୀ ପ୍ରାଣ ହରାଇନଥିବା କୁହାଯାଇଥିଲେ ମଧ୍ୟ ବାସ୍ତବରେ କିନ୍ତୁ ଚିତ୍ର ଭିନ୍ନ ରହିଛି। କାରଣ ସରୀସୃପ ଜାତୀୟ ପ୍ରାଣୀଙ୍କ ମୃତଦେହ ବହଳ ବହଳ ପାଉଁଶ ଭିତରୁ କିଏ ଖୋଜିବ ‌ବୋଲି ପରିବେଶବିତ୍‌ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ତେବେ ଟାସ୍କଫୋର୍ସ କିପରି ନିଆଁ ଲିଭାଇବ ଏବଂ ଅଗ୍ନିକାଣ୍ଡ ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ତାହା ଦେଖିବାକୁ ବାକି ରହିଲାବୋଲି ଶ୍ରୀ ଆଚାର୍ଯ୍ୟ କଟାକ୍ଷ କରିଛନ୍ତି।

କ୍ଷେତ୍ର ପରିଦର୍ଶନ କଲା ବିଜେଡି ଟିମ୍‌

ବାରିପଦା: ଶିମିଳିପାଳ ଏବଂ ଜିଲ୍ଲାରେ ଲାଗିଥିବା ବିଭିନ୍ନ ଜଙ୍ଗଲରେ ନିଆଁର ସ୍ଥିତି ଅନୁଧ୍ୟାନ କରିଛି ବିଜେଡି ଯୁବ ଓ ଛାତ୍ର ଜନତା ଦଳର ଏକ ସ୍ବତନ୍ତ୍ର ଟିମ୍‌। ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକ, ରାଜ୍ୟରୁ ଆସିଥିବା ସୁବ୍ରତ ଛାଟୋଇ ପ୍ରମୁଖ ଆଜି ବିଭିନ୍ନ ସ୍ଥାନ ଗସ୍ତ କରି ନିଆଁର ସ୍ଥିତି ପରଖିଛନ୍ତି।

ସମ୍ବନ୍ଧିତ ଖବର