ରାଉରକେଲା: ପୁଣି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାତିଲେ ନକ୍ସଲ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରୁ ମାତ୍ର ୪୦ କି.ମି. ଦୂର ପଶ୍ଚିମ ସିଂହଭୂମ ଜିଲ୍ଲା ଗୋଏଲକେରା ପଞ୍ଚାଲ୍‌ବୁରୁ ଗାଁ ନିକଟରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉଭୟପଟୁ ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ନକ୍ସଲଙ୍କ ଗୁଳିରେ ୨୦୯ କୋବ୍ରା ବଟାଲିୟନ ଡେପୁଟି କମାଣ୍ଡାଣ୍ଟ ଦୀପକ କୁମାର ତିୱାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ‌ବାୟୁସେନା ହେଲିକ୍ୟାପ୍ଟ‌ଟରରେ ରାଞ୍ଚି ନିଆଯାଇଛି। ଅନ୍ୟ ଯବାନମାନେ ସୁରକ୍ଷିତ ଥିବା ଜଣା ପଡ଼ିଛି।

Advertisment

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଯବାନମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଗୋଏଲକେରା ପଞ୍ଚାଳବୁରୁ ଗାଁ ନିକଟରେ ନକ୍ସଲମାନେ ଲୁଚିଥିବା ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ୨୦୯ କୋବ୍ରା ବଟାଲିୟନର ଡେପୁଟି କମାଣ୍ଡାଣ୍ଟ ଦୀପକ କୁମାର ତିୱାରୀଙ୍କ ନେତୃତ୍ବରେ ଯବାନମାନେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ନକ୍ସଲମାନେ ସେଠାରୁ ଖସିଯିବା ପାଇଁ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ଯବାନମାନେ ବି ଗୁଳି ବର୍ଷା କରିଥିଲେ। ନକ୍ସଲଙ୍କ କ୍ଷୟକ୍ଷତି ଜଣାପଡ଼ି ନାହିଁ। ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୩/୪ ମାସ ମଧ୍ୟରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲମାନେ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ହିଂସାକାଣ୍ଡ ଭିଆଇଛନ୍ତି। ପୂର୍ବରୁ ରାସ୍ତା କାମରେ ନିୟୋଜିତ ଜେସିବି ଜାଳି ଦେବା ସହ ପଞ୍ଚାୟତ ଅଫିସକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ।