ବୈପାରିଗୁଡା: ବିନା ଫିଟନେସରେ ବୁଲୁଥିଲା ଅଗ୍ନିଶମ ବିଭାଗର ଦମକଳ ଗାଡ଼ି। ଦମକଳ ଗାଡ଼ିର ଫିଟନେସ ନଥିବା ଯୋଗୁଁ ଗତ ୧୩ ତାରିଖ ଦିନ ଗୁପ୍ତେଶ୍ୱର ସୁକୁନାଳ ଘଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନଲାଇନ୍ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଦମକଳ ଗାଡ଼ି ୨୫ ମାର୍ଚ୍ଚ ୨୦୧୫ ମସିହାରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ୧୦ ବର୍ଷ ୩ ମାସ ପର୍ଯ୍ୟନ୍ତ ଫିଟନେସ ଅବଧି ରହିଥିଲା। ଏଥିସହ ଇନସ୍ୟୁରେନସ ୩୧ ମାର୍ଚ୍ଚ ୨୦୨୩ ଏବଂ ପଲ୍ୟୁସନ ୧୪ ଜୁନ ୨୦୨୩ ରେନ୍ୟୁଆଲ କରିବା ପାଇଁ ଅବଧି ରହିଥିଲା। କିନ୍ତୁ ଦମକଳ ଗାଡ଼ିର ଫିଟନେସ ତଥା କୌଣସି କାଗଜପତ୍ର ଠିକ୍ ନଥିବା ବେଳେ ସରକାର ନିୟମକୁ ଉଲ୍ଲଂଘନ କରି ଦମକଳ ଗାଡ଼ି କିପରି ବିଭିନ୍ନ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିଲା।
ଫିଟନେସ ନଥିବାରୁ ଦମକଳ ଗାଡ଼ିର ଦୁର୍ଘଟଣା ଘଟି ଜଣେ ନାବାଳକର ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ନାବାଳକ ସହ ଜଣେ ଯୁବତୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଗତ ରବିବାର ଅପରାହ୍ନରେ ଗୁପ୍ତେଶ୍ୱର ସୁକନାଳ ଘାଟିରେ ଦମକଳ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ଦୁରୁଆ ଆଦିବାସୀ ସଂପ୍ରଦାୟର ନାବାଳକ ପର୍ଶୁରାମ ଦୁରୁଆଙ୍କ ଜୀବନ ଯାଇଥିବା ବେଳେ ପର୍ଶୁରାମଙ୍କ ଭାଇ ଏବଂ ନନ୍ଦପୁର ଅଞ୍ଚଳର ଜଣେ ଯୁବତୀ ବୋଲବମ୍ କାଉଡ଼ିଆ ରଶ୍ମିତା ଖିଲ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଦୁର୍ଘଟଣା ଘଟିବା ପରେ ବୈପାରିଗୁଡା ପୁଲିସ ଦମକଳ ଗାଡ଼ିକୁ ଜବତ କରିବା ସହ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବୈପାରିଗୁଡା ଆଇଆଇସି ରଶ୍ମି ରଂଜନ ପ୍ରଧାନ ଦୁର୍ଘଟଣା ସଂପର୍କରେ ପ୍ରତିକ୍ରିୟା ରଖି ପ୍ରକାଶ କରିଥିଲେ ଯେ, ଉକ୍ତ ଦମକଳ ବାହିନୀ ଗାଡ଼ିର ଫିଟନେସ ଓ ପଲ୍ୟୁସନର ଅବଧି ଶେଷ ହୋଇଯାଇଛି ଏବଂ ଆରଟିଓ ବିଭାଗ ଗାଡ଼ିର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କଲାପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ।
ଆରଟିଓ ବିଭାଗର ତପନ କୁମାର ବେଟିଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜ ପ୍ରତିକ୍ରିୟା ରଖି କହିଥିଲେ ଯେ ଗାଡ଼ିର ଫିଟନେସ ଅବଧି ଶେଷ ହୋଇଯାଇଛି ଏବଂ ଏୟାର ବ୍ରେକ ଫାଟି ଯାଇଥିବାରୁ ଏୟାର ଲିକ୍ ହେଉଥିବାରୁ ଘାଟିରେ ବ୍ରେକ ଫେଲ୍ ହୋଇଥିଲା। ସେଥିପାଇଁ ଦୁର୍ଘଟଣା ଘଟିଥିଲା। ଏପରି ଅବହେଳା ପାଇଁ ଜୋରିମାନା ଆଦାୟ ହେବ ବୋଲି ପ୍ରକାଶ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଅଗ୍ନିଶମ ବିଭାଗ ଗାଡ଼ିର ଫିଟନେସ ନକରି ଲୋକଙ୍କ ସେବାରେ ନିହୋଜିତ କରାଯାଉଛି।
Koraput